୧୭ରେ ହଟିବ ଲକଡାଉନ୍ ? ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବିଚାର ବିମର୍ଷ ଜାରି

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସ୍ଥିତି ଓ ଲକଡାଉନ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ଆରମ୍ଭ କରିଛନ୍ତି । ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଅଛନ୍ତି ।

ଏହି ବୈଠକରେ ଲକଡାଉନ, ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା, ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ଆଦି ପ୍ରସଙ୍ଗରେ ଆଲୋଚନା ଜାରି ରହିଛି । ଗତ ଥର ଅଳ୍ପ କେତେକ ମୁଖ୍ୟମନ୍ତ୍ରୀଙ୍କୁ କହିବାର ସୁଯୋଗ ଦିଆଯାଇଥିବା ବେଳେ ଏଥର ସବୁ ମୁଖ୍ୟମନ୍ତ୍ରୀ ନିଜ ନିଜର ମତାମତ ରଖିବେ । ଏଣୁ ଏହି ବୈଠକ ୫ରୁ ୬ ଘଣ୍ଟା ଧରି ଚାଲିବାର ସମ୍ଭାବନା ରହିଛି ।

ଦେଶରେ କରୋନା ସଂକ୍ରମଣ ଦେଖାଯିବା ପରଠାରୁ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ୫ମ ବୈଠକ । ଆଜିର ବୈଠକରେ ଦେଶରେ ଚାଲିଥିବା ଲକଡାଉନ ସଂପର୍କରେ ଆଲୋଚନା ହୋଇଛି। ଏହି ବୈଠକ ପରେ ହିଁ କେନ୍ଦ୍ର ସରକାର ଆସନ୍ତା ୧୭ ତାରିଖ ପରେ ଲକଡାଉନ ବଢିବ କିମ୍ବା ପ୍ରତ୍ୟାହାର ହେବ ସେ ସଂପର୍କରେ ନିଷ୍ପତ୍ତି ନେବେ ।

ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୪ ତାରିଖରେ ସାରା ଦେଶରେ ଲକଡାଉନ ସଂପର୍କରେ ଘୋଷଣା କରିଥିଲେ । ପ୍ରଥମ ଦଫା ଲକଡାଉନ ୨୧ଦିନ ପାଇଁ ଘୋଷିତ ହୋଇଥିଲା ଓ ଏହା ଏପ୍ରିଲ ୧୪ରେ ସମାପ୍ତ ହୋଇହେବାର ଥିଲା । ତେବେ ଏହାକୁ ମେ ୪ ଓ ତାପରେ ମେ ୧୭ ପର୍ଯ୍ୟନ୍ତ ବଢାଇଦିଆଯାଇଥିଲା । ତେବେ ୨ୟ ଦଫା ଲଡକାଉନ ପରଠାରୁ ସରକାର ପର୍ଯ୍ୟାୟକ୍ରମେ କେତେକ କ୍ଷେତ୍ରକୁ ଧୀରେ ଧୀରେ ଖୋଲିବା ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର