ଓଡ଼ିଶାରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ’ରେ ହୋଇଥିବା ଅନିୟମିତତା ରିପୋର୍ଟ ଦାଖଲ ହୋଇଛି: ନରେନ୍ଦ୍ର ସିଂହ ତୋମାର

ନୂଆଦିଲ୍ଲୀ: ଓଡ଼ିଶାରେ ‘ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନା-ଗ୍ରାମୀଣ’ରେ (ପିଏମ୍ଏୱାଇ-ଜି) ହୋଇଥିବା ଅନିୟମିତତା ସଂକ୍ରାନ୍ତ ରିପୋର୍ଟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଦିଆଯାଇଛି ବୋଲି ଭାରତର କୃଷି ଏବଂ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ, ପଞ୍ଚାୟତରାଜ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସାଂସଦ ଜୁଏଲ୍‌ ଓରାମ୍‌ଙ୍କୁ ଜୁନ୍‌ ୩ ତାରିଖରେ ଲିଖିତ ପତ୍ରରେ ଜଣାଇଛନ୍ତି।

ସେ ଲେଖିଛନ୍ତି ଯେ, ଓଡ଼ିଶା ରାଜ୍ୟରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ’ ଲାଗୁ କରାଯିବାରେ ‌ଅନିୟମିତତା ହୋଇଥିବା କଥା ଓଡ଼ିଶାର ସାଂସଦମାନେ ଚିଠି ଲେଖି ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ ନିମନ୍ତେ ୨୦୨୧ ଫେବ୍ରୁଆରି ୯ ରୁ ୧୧ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଅଧିକାରୀ ଦଳ ଓଡ଼ିଶା ଗସ୍ତରେ ଥିଲେ। ଉପରୋକ୍ତ ଯୋଜନାରେ ତୋଳାଯାଇଥିବା ଘରେ ‘ପିଏମ୍‌ଏୱାଇ-ଜି’ ଲୋଗୋ ନ ଥିବା, ଗୃହ ନିର୍ମାଣରେ ମାନ ବଜାୟ ରଖାଯାଇ ନ ଥିବା ଏବଂ ‘ଆବାସସଫ୍ଟ’ରେ ସମ୍ପୂର୍ଣ୍ଣ ବୋଲି ଦର୍ଶାଯାଇଥିବା ଘର ସବୁ ନିର୍ମାଣାଧୀନ ଥିବା କଥା କେନ୍ଦ୍ରୀୟ ଟିମ୍‌ ଜାଣିପାରିଥିଲେ।

Representative Image Courtesy of Slide Player

ଏଥିନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସମ୍ପୃକ୍ତ ଟିମ୍‌ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦେଇଛନ୍ତି। ଏହାଛଡ଼ା, ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟ ଦେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କୁ କୁହାଯାଇଛି। ଏହି ରିପୋର୍ଟର ନକଲ ଆପଣଙ୍କ (ସାଂସଦ ଓରାମ୍‌) ଅବଗତି ନିମନ୍ତେ ଏହି ଚିଠିସହ ସଂଯୋଗ କରାଯାଇଛି।

ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟ ଆସିଲେ ତାହାର ନକଲ ମଧ୍ୟ ଓରାମ୍‌ଙ୍କ ପାଖକୁ ପଠାଯିବ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ ଅଛି।

ଏହା ବ୍ୟତିରେକେ, ଓଡ଼ିଶାର ଅଭାବୀ ତଥା ଯୋଗ୍ୟ ବିବେଚିତ ପରିବାରଙ୍କ ହିତାର୍ଥେ ରାଜ୍ୟରେ ‘ପିଏମ୍‌ଏୱାଇ-ଜି’ ପ୍ରଣୟନ ସୁନିଶ୍ଚିତ କରିବା ଲାଗି ‘ଗ୍ରାମୀଣ ବିକାଶ ମନ୍ତ୍ରାଳୟ’ ପ୍ରତିବଦ୍ଧ ବୋଲି ମୁଁ ପୁନର୍ବାର କହୁଛି ବୋଲି ତୋମାର୍ ଲେଖିଛନ୍ତି।

ସମ୍ବନ୍ଧିତ ଖବର