ନୂଆଦିଲ୍ଲୀ : ଓଡ଼ିଶାରେ ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ। ଏହି ପ୍ରସଙ୍ଗରେ ତଦନ୍ତ ପାଇଁ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ କୁହାଯିବ। ଶୁକ୍ରବାର ଦିନ ଭବାନୀପାଟଣାରେ ବିଜେପିର ମହାଜନସମ୍ପର୍କ ସମାବେଶରେ ଯୋଗଦେଇ ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା। ଶ୍ରୀ ନଡ୍ଡାଙ୍କ ଏହି ଉକ୍ତି ସ୍ପଷ୍ଟ କରୁଛି ଯେ ଏହି ପ୍ରସଙ୍ଗକୁ ବିଜେପି ଆଗାମୀ ସାଧାରଣ ନିର୍ବାଚନ ପ୍ରଚାରରେ ଏକ ପ୍ରମୁଖ ପ୍ରସଙ୍ଗ କରିବ।
ପ୍ରଧାନମନ୍ତ୍ରୀ ଆବାସକୁ ନେଇ ଦୀର୍ଘ ଦିନ ହେଲା ବିଜେପି ଓ ବିଜେଡି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏହାକୁ ନେଇ ଉଭୟ ଦଳ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସଂସଦରେ ବି ଏହି ପ୍ରସଙ୍ଗ ଉଠିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଓଡ଼ିଶାରେ ଆବାସ ଯୋଜନା ଅନିୟମିତତା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ରିପୋର୍ଟକୁ ତର୍ଜମା କରି କେନ୍ଦ୍ର ସରକାର ଗ୍ରହଣ କରିନେବା ପରେ ପୁଣି ଅନିୟମିତତା ଅଭିଯୋଗ ରାଜନୀତିକୁ ଉଷ୍ମ କରିଛି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଓଡ଼ିଶାର ୯ ଜଣ ବିଜେପି ସାଂସଦ ଫେବ୍ରୁଆରି ୧୨, ୨୦୨୦ରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଥିଲେ। ଅଭିଯୋଗ ଥିଲା ଯୋଜନାର ୧୨.୮୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୮୫ ପ୍ରତିଶତ ଅଯୋଗ୍ୟ। ପିଏମ୍ ଆବାସରେ ବିଜୁ ପକ୍କା ଘର ଲୋଗୋ ଲଗାଯାଉଛି। ଅଭିଯୋଗ ଭିତ୍ତିରେ ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଲୋଡ଼ିଲେ। ଏହା ସହ କେନ୍ଦ୍ର ସରକାର ସରଜମିନ ତଦନ୍ତ ପାଇଁ କେନ୍ଦ୍ରୀୟ ଟିମ ମଧ୍ୟ ପଠାଇଲେ। ରାଜ୍ୟ ସରକାର ଏ ସମ୍ପର୍କରେ ଦେଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟକୁ ଜୁଲାଇ ୨୦, ୨୦୨୧ର କେନ୍ଦ୍ର ସରକାର ଗ୍ରହଣ କରିନଥିଲେ। ଦ୍ବିତୀୟ ଥର ପୁନର୍ବାର କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିଲେ। କେନ୍ଦ୍ରୀୟ ଟିମ୍ଙ୍କ ରିପୋର୍ଟ ଆଧାରରେ ଅଗଷ୍ଟ ୪, ୨୦୨୨ରେ ରାଜ୍ୟ ସରକାରଙ୍କ ବିସ୍ତୃତ ରିପୋର୍ଟ ତଲବ କରାଗଲା। ଓଡ଼ିଶା ସରକାର ଅଗଷ୍ଟ ୨୨, ୨୦୨୨ରେ ଯେଉଁ ରିପୋର୍ଟ ଦାଖଲ କଲେ ତାକୁ ତର୍ଜମା କରି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଗ୍ରହଣ କରିନେଇଥିଲେ।
ରାଜ୍ୟ ସରକାର ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ ଅନିୟମିତତା ପାଇଁ ୨୨ ଜଣ ଅଧିକାରୀଙ୍କୁ କାର୍ଯ୍ୟରୁ ବିଦା କରାଯାଇଛି ଓ ୪୪ ଜଣ ଅଧୀକାରୀଙ୍କୁ ସସ୍ପେଣ୍ଡ କରିବା ସହ ଏକାଧିକ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ସୂଚନା ମଧ୍ୟ ସଂସଦରେ କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନା ଜ୍ୟୋତି ରଖିଥିଲେ। ବିଜେପି ସୂତ୍ରରୁ ଜଣାପଡ଼ିଛି ଯେ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓଡ଼ିଶାରେ କି ଭଳି ବାଟବଣା ହୋଇଛି ସେ ସଂପର୍କରେ ଭୋଟରମାନଙ୍କୁ ଅବଗତ କରାଇବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/pmay.jpg)