ପିଏମ୍‌ସି ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି: ଜରୁରିକାଳୀନ ଚିକିତ୍ସା ଖର୍ଚ୍ଚ ପାଇଁ ବ୍ୟାଙ୍କ୍‌ରୁ ଉଠାଇ ପାରିବେ ୧ ଲକ୍ଷ ଟଙ୍କା

ମୁମ୍ବାଇ/ ନୂଆଦିଲ୍ଲୀ: ପଞ୍ଜାବ ମହାରାଷ୍ଟ୍ର କୋ-ପରେଟିଭ୍‌ (ପିଏମ୍‌ସି) ବ୍ୟାଙ୍କର ଗ୍ରାହକମାନଙ୍କ ପାଇଁ ଆଜି ଏକ ଆଶ୍ୱସ୍ତିଭରା ଖବର ଆସିଛି। ଚିକିତ୍ସା ବାବଦରେ ଜରୁରିକାଳୀନ ଖର୍ଚ୍ଚ ଉଦ୍ଦେଶ୍ୟରେ ପିଏମ୍‌ସି ବ୍ୟାଙ୍କ୍‌ର ଗ୍ରାହକମାନେ ଏଣିକି ନିଜ ଜମାରୁ ୧ଲକ୍ଷ ଟଙ୍କା ଉଠାଇପାରିବେ। ଏଥିସହ ଏହି ବ୍ୟାଙ୍କରେ ଯେଉଁ ବରିଷ୍ଠ ନାଗରିକମାନେ ଜମା ରଖିଛନ୍ତି ସେମାନେ ବାହାଘର ଓ ସେମାନଙ୍କ ପିଲାମାନଙ୍କର ଶିକ୍ଷା ଖର୍ଚ୍ଚ ତୁଲାଇବା ପାଇଁ ୫୦ ହଜାର ଟଙ୍କା ଉଠାଇ ପାରିବେ। ଏବିଷୟ ବିଜେପି ମହାରାଷ୍ଟ୍ର ଶାଖାର ଉପ ସଭାପତି କୀର୍ତ୍ତି ସୋମୀୟା ଆଜି ଟୁଇଟ୍‌ କରି ଜଣାଇଛନ୍ତି।

ତେବେ, ଚିକିତ୍ସା ବାବଦରେ ଜରୁରିକାଳୀନ ଖର୍ଚ୍ଚ ଉଦ୍ଦେଶ୍ୟରେ ୧ଲକ୍ଷ ଟଙ୍କା ଉଠାଇବାକୁ ଚାହୁଁଥିବା ପିଏମ୍‌ସି ବ୍ୟାଙ୍କ୍‌ର ଗ୍ରାହକମାନେ ଏହି ଟଙ୍କାକୁ ଦୁଇ କିସ୍ତିରେ ଉଠାଇବେ। ପ୍ରଥମ କିସ୍ତିରେ ୬୦ ହଜାର ଓ ଦ୍ୱିତୀୟ କିସ୍ତିରେ ୪୦ ହଜାର ଉଠାଇପାରିବେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ପିଏମ୍‌ସି ବ୍ୟାଙ୍କ୍‌ରେ ହୋଇଥିବା ୪,୫୦୦ କୋଟି ଟଙ୍କା ଦୁର୍ନୀତିର ପର୍ଦ୍ଦାଫାସ୍‌ ହେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପିଏମ୍‌ସି ବ୍ୟାଙ୍କ୍‌ର ଗ୍ରାହକମାନଙ୍କ ଉପରେ କଟକଣା ଲଗାଇ ୧୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ।

ସମ୍ବନ୍ଧିତ ଖବର