ନୂଆଦିଲ୍ଲୀ: ଶପଥ ନେବା ପରେ ପ୍ରଥମ ଥର ପାଇଁ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କିଛି ସମୟ ପୂର୍ବରୁ ସାଉଥ୍ ବ୍ଲକରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଛିଛନ୍ତି ନରେନ୍ଦ୍ର ମୋଦୀ। ସେ ତାଙ୍କ ତୃତୀୟ ପାଳିର ଆଜି ପ୍ରଥମ ଦିନରେ ପ୍ରଥମେ ୨୦ ହଜାର କୋଟି ଟଙ୍କାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଫାଇଲ୍ର ୧୭ତମ କିସ୍ତିରେ ଦସ୍ତଖତ କରିଛନ୍ତି। ଏହା ଦ୍ବାରା ପ୍ରାୟ ୯.୩ କୋଟି ଚାଷୀ ଉପକୃତ ହେବେ।
ପ୍ରଥମ ଦସ୍ତଖତ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆମେ କୃଷକ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ। ଏହା କୃଷକ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିବନ୍ଧତାକୁ ଦର୍ଶାଉଛି। ଆମ ସରକାର କୃଷକମାନଙ୍କୁ ପାଇଁ ପୂରାପୂରି ଭାବେ ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ଆମେ କୃଷକମାନଙ୍କ ପାଇଁ ଅଧିକରୁ ଅଧିକ କାମ କରିବୁ।’’
ଉଲ୍ଲେଖଯୋଗ୍ୟ, ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିବ। ସେହିପରି କେଉଁ ମନ୍ତ୍ରୀଙ୍କୁ କେଉଁ ମନ୍ତ୍ରାଳୟ ମିଳିବ, ତାହା ଉପରେ ନଜର ରହିଛି । ବିଜେପି ନିଜ ପାଖରେ କେଉଁ ବିଭାଗ ରଖିବ ଏବଂ ସହଯୋଗୀଙ୍କୁ କେଉଁ ବିଭାଗ ଦେବ ତାହାକୁ ଅନେକ ଅପେକ୍ଷା କରିଛନ୍ତି।