ସରକାରଙ୍କ ସଂସ୍କାର ଯୋଗୁଁ ଭାରତ ପ୍ରତି ବିଶ୍ୱ ଶିଳ୍ପ ସଂସ୍ଥାନଗୁଡ଼ିକର ଦୃଷ୍ଟିକୋଣ ବଦଳିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ତାଙ୍କ ସରକାର କରିଥିବା ସଂସ୍କାର କାରଣରୁ ଭାରତ ପ୍ରତି ବୈଶ୍ୱିକ ଶିଳ୍ପ ସଂସ୍ଥାନଗୁଡ଼ିକର ଦୃଷ୍ଟିକୋଣରେ ପରିବର୍ତ୍ତନ ଘଟିଛି ବୋଲି ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

‘ଆସୋସିଏଟେଡ୍‌ ଚେମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ’ର (ଆସୋଚେମ୍‌) ପ୍ରତିଷ୍ଠା ସପ୍ତାହ ପାଳନ ଅବସରରେ ଭର୍ଚ୍ୟୁଆଲ୍‌ ଅଭିଭାଷଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ୨୭ ବର୍ଷ ଭାରତର ବୈଶ୍ୱିକ ଭୂମିକା ନିର୍ଦ୍ଧାରଣ କରିବାକୁ ଯାଉଥିବାରୁ ଦେଶ ଗଠନ ପାଇଁ ଯୋଜନା, କାର୍ଯ୍ୟ ଓ ଧ୍ୟାନ ଦେବା ନିମନ୍ତେ ଏହାହିଁ ପ୍ରକୃଷ୍ଟ ସମୟ।

Image Courtesy of The Economic Times

ଭାରତର ଅଭିବୃଦ୍ଧିରେ ଶିଳ୍ପର ଗୁରୁତ୍ୱ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର ସ୍ଥିତି ସଂକ୍ରାନ୍ତରେ ବିଶ୍ୱରେ ଅନେକ ସକାରାତ୍ମକତା ପରିଲକ୍ଷିତ ହେଉଛି। ୧୩୦ କୋଟି ଭାରତୀୟଙ୍କ ଆଶା ଓ ସ୍ୱପ୍ନ କାରଣରୁ ଏହି ସକାରାତ୍ମକତା ଦେଖା ଦେଇଛି ବୋଲି ସେ କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ରତନ ଟାଟାଙ୍କୁ ‘ଆସୋଚେମ୍‌ ଏଣ୍ଟର୍‌ପ୍ରାଇଜ୍‌ ଅଫ୍‌ ସେଞ୍ଚୁରି ଆଓ୍ଵାର୍ଡ’ ପ୍ରଦାନ କରିଛନ୍ତି। ଟାଟା ଗ୍ରୁପ୍‌ ତରଫରୁ ରତନ ଟାଟା ଏହାକୁ ଗ୍ରହଣ କରିଛନ୍ତି। ରତନ ଟାଟାଙ୍କ ଦକ୍ଷ ନେତୃତ୍ୱରେ ଟାଟା ଗ୍ରୁପ୍‌ ଦେଶର ବିକାଶ ପ୍ରତି ଅବଦାନ ଦେଇଛି।
ରତନ ଟାଟା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର