ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦେଶର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ନୂଆଦିଲ୍ଲୀର ତଲକାଟୋରା ଷ୍ଟାଡ଼ିୟମରେ ପରୀକ୍ଷା ପେ ଚର୍ଚ୍ଚା ୨.୦ କାର୍ଯ୍ୟକ୍ରମରେ ଭାବ ବିନିମୟ କରିବେ । ପରୀକ୍ଷା ପୂର୍ବରୁ ଏହାକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ମନରେ ଅନେକ ଆଶା, ଆଶଙ୍କା ଓ ଭୟ ସୃଷ୍ଟି ହୋଇଥାଏ । ସେମାନେ ଏହି କାର୍ଯ୍ୟକ୍ରମରେ କେବଳ ଅଂଶଗ୍ରହଣ କରିବେ ନାହିଁ ପରନ୍ତୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୂଲ୍ୟବାନ ପରାମର୍ଶମାନ ମଧ୍ୟ ଗ୍ରହଣ କରିବେ । ଛାତ୍ରଛାତ୍ରୀମାନେ କିଭଳି ଏକ ସ୍ୱାଭାବିକ ଓ ଚାପମୁକ୍ତ ମନରେ ପରୀକ୍ଷା ଦେଇପାରିବେ ସେଥିପାଇଁ ପ୍ରଧାନମନ୍ତ୍ରୀ ସଦାସର୍ବଦା ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଆସୁଛନ୍ତି । ଏହା ଫଳରେ ସେମାନେ ବିଦ୍ୟା ଅଧ୍ୟୟନର ଦୀର୍ଘ ଯାତ୍ରାରେ କୃତକାର୍ଯ୍ୟ ଓ ସଫଳ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥାନ୍ତି ।
ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସକାଶେ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି ଏବଂ ଆସନ୍ତାକାଳି ପୂର୍ବାହ୍ନ ୧୧ଟା ବେଳେ ଏହା ଅନୁଷ୍ଠିତ ହେବ ।

ଦୂରଦର୍ଶନ ପକ୍ଷରୁ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ ଏବଂ ଅନ୍ୟାନ୍ୟ ଟେଲିଭିଜନ ଚାନେଲମାନେ ମଧ୍ୟ ଏହାର ପ୍ରସାରଣ କରିବେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସକାଶେ ସାରା ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରୁ ଆସି ନୂଆଦିଲ୍ଲୀଠାରେ ପହଂଚିଛନ୍ତି । ଚଳିତ ବର୍ଷ ୨୪ଟି ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରୁ କଲେଜ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ମୋଟ ୨୦୦୦ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ତଲକାଟୋରା ଷ୍ଟାଡ଼ିୟମରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଭାଗନେବେ ।

ଏଥିପାଇଁ ଜାନୁାଆରୀ ୭ ଠାରୁ ୧୭ ପର୍ଯ୍ୟନ୍ତ ଏକ ଅନଲାଇନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଏବଂ ଏଥିରେ ନବମ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ଗ୍ରାଜୁଏଟ ଓ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀ, ସେମାନଙ୍କର ମାତାପିତା ଏବଂ ଶିକ୍ଷକମାନେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଚୟନ କରାଯାଇଥିବା ଛାତ୍ରଛାତ୍ରୀ, ମାତାପିତା ଓ ଶିକ୍ଷକମାନେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭାବ ବିନିମୟ କରିବେ ।

ସମ୍ବନ୍ଧିତ ଖବର