ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୨୪ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଭାରତର ସମୃଦ୍ଧ ଜ୍ଞାନ ପରମ୍ପରା ଓ ଜୈବ ବିବିଧତାର ସଂରକ୍ଷଣ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଉପରେ ସେ ଆଲୋକପାତ କରିଥିଲେ। ‘ଜ୍ଞାନ ଭାରତ ମିସନ’ର ଘୋଷଣାକୁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ଏହି ମିସନ ଆଗାମୀ ପିଢ଼ିକୁ ଭାରତର ଆତ୍ମା ସହିତ ଯୋଡ଼ିବାର ଏକ ମାଧ୍ୟମରେ ପରିଣତ ହେବ। ଏଆଇଠାରୁ ମହାକାଶ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଜି ମୋଦୀ ଆଲୋକପାତ କରିଥିଲେ।
ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତର ସମୃଦ୍ଧ ଜ୍ଞାନ ପରମ୍ପରା ଓ ଜୈବବିବିଧତାକୁ ବଞ୍ଚାଇବା ପାଇଁ ସମଗ୍ର ଦେଶରେ ପ୍ରୟାସ କରାଯିବ। ଏହାଦ୍ୱାରା ଆମର ପ୍ରାଚୀନ ଜ୍ଞାନ କେବଳ ବହି କିମ୍ବା କାନ୍ଥରେ ସୀମିତ ରହିବ ନାହିଁ, ବରଂ ନୂଆ ପିଢ଼ିର ଚିନ୍ତାଧାରାର ଏକ ଅଂଶ ହୋଇଯିବ। ଏହି ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସରକାର ଚଳିତ ବର୍ଷ ବଜେଟରେ ‘ଜ୍ଞାନ ଭାରତ ମିସନ’ ଆରମ୍ଭ କରିଛନ୍ତି। ଏହି ମିସନ ଅଧୀନରେ ସାରା ଦେଶରେ ଥିବା ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକୁ ଡିଜିଟାଇଜ୍ କରାଯିବ। ଏହାପରେ ଏକ ଜାତୀୟ ଡିଜିଟାଲ ଭଣ୍ଡାର ସୃଷ୍ଟି କରାଯିବ, ଯେଉଁଠାରେ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ଛାତ୍ରଛାତ୍ରୀ ଓ ଗବେଷକମାନେ ଭାରତୀୟ ଜ୍ଞାନ ପରମ୍ପରା ସହ ଯୋଡ଼ି ହୋଇପାରିବେ।
ଶୁଭାଂଶୁ ଶୁକ୍ଳାଙ୍କ ପ୍ରତ୍ୟାବର୍ତ୍ତନ ଏକ ଗର୍ବିତ ମୁହୂର୍ତ୍ତ
ମହାକାଶରୁ ଶୁଭାଂଶୁ ଶୁକ୍ଳାଙ୍କ ପ୍ରତ୍ୟାବର୍ତ୍ତନକୁ ପ୍ରଧାନମନ୍ତ୍ରୀ ଏକ ଗର୍ବିତ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଥିଲେ। ଶୁଭାଂଶୁ ସୁରକ୍ଷିତ ଭାବେ ପୃଥିବୀରେ ଅବତରଣ କରିବା ମାତ୍ରେ ଖୁସିର ଲହର ଖେଳିଯାଇଥିଲା। ମୋର ମନେ ଅଛି, ୨୦୨୩ ଅଗଷ୍ଟରେ ଯେତେବେଳେ ଚନ୍ଦ୍ରଯାନ-୩ ସଫଳ ଅବତରଣ କରିଥିଲା, ସେତେବେଳେ ଦେଶରେ ଏକ ନୂତନ ବାତାବରଣ ସୃଷ୍ଟି ହୋଇଥିଲା। ପିଲାମାନଙ୍କ ମଧ୍ୟରେ ବିଜ୍ଞାନ ଓ ମହାକାଶକୁ ନେଇ ଏକ ନୂଆ ଉତ୍ସୁକତା ମଧ୍ୟ ଜନ୍ମ ନେଇଥିଲା। ଛୋଟ ଛୋଟ ପିଲାମାନେ ଏବେ କହୁଛନ୍ତି ଯେ ଆମେ ମଧ୍ୟ ମହାକାଶକୁ ଯିବୁ, ଚନ୍ଦ୍ରରେ ଅବତରଣ କରିବୁ ଏବଂ ଆମେ ମହାକାଶ ବୈଜ୍ଞାନିକ ହେବୁ ବୋଲି ମୋଦୀ କହିଥିଲେ।
‘ଜ୍ଞାନ ଭାରତ ମିସନ୍’ ଏକ ଐତିହାସିକ ପଦକ୍ଷେପ
‘ମହାକାଶ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା’
ମୟୂରଭଞ୍ଜର ସାନ୍ତାଳୀ ଶାଢ଼ି ଓ କେନ୍ଦୁଝରର ପ୍ରମିଳାଙ୍କୁ ପ୍ରଶଂସା
ମହାକାଶ କ୍ଷେତ୍ରରେ ୨୦୦ରୁ ଅଧିକ ଷ୍ଟାର୍ଟଅପ୍
‘ଇନ୍ସ୍ପାୟାର ଷ୍ଟାଣ୍ଡାର୍ଡ ସ୍କିମ୍’ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆପଣ ଏହି ଅଭିଯାନର ନାମ ନିଶ୍ଚୟ ଶୁଣିଥିବେ। ପିଲାମାନଙ୍କ ମଧ୍ୟରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ଅଭିଯାନ। ପ୍ରତି ସ୍କୁଲରୁ ୫ ଜଣ ପିଲାଙ୍କୁ ଚୟନ କରାଯାଇଛି। ପ୍ରତ୍ୟେକ ପିଲା ଏକ ନୂଆ ଆଇଡିଆ ନେଇ ଆସନ୍ତି। ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଶିଶୁ ଏଥିରେ ଯୋଡ଼ି ହୋଇ ସାରିଲେଣି ଏବଂ ଚନ୍ଦ୍ରଯାନ-୩ ପରେ ସେମାନଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଦେଶରେ ମହାକାଶ ଷ୍ଟାର୍ଟଅପ୍ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୫ ବର୍ଷ ତଳେ ୫୦ରୁ କମ୍ ଷ୍ଟାର୍ଟଅପ୍ ଥିଲା। ବର୍ତ୍ତମାନ କେବଳ ମହାକାଶ କ୍ଷେତ୍ରରେ ୨୦୦ରୁ ଅଧିକ ଷ୍ଟାର୍ଟଅପ୍ ରହିଛି। ଅଗଷ୍ଟ ୨୩ ହେଉଛି ଜାତୀୟ ମହାକାଶ ଦିବସ। ଆପଣ ଏହାକୁ କିପରି ପାଳନ କରିବେ? ଆପଣଙ୍କର କିଛି ନୂଆ ଧାରଣା ଅଛି କି? ଯଦି ହଁ, ଦୟାକରି ମୋତେ ନମୋ ଆପ୍ରେ ଏକ ସନ୍ଦେଶ ପଠାନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ସ୍ଥାନୀୟ ଉତ୍ପାଦ ବିଶେଷ କରି ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହନ ଦେବା ଉପରେ ପ୍ରଧାନମନ୍ତ୍ରୀ ଆଜି ଗୁରୁତ୍ବାରୋପ କରିଛନ୍ତି। ଚଳିତ ବର୍ଷ ଅଗଷ୍ଟ ୭ ତାରିଖରେ ‘ଜାତୀୟ ହସ୍ତତନ୍ତ ଦିବସ’ର ୧୦ବର୍ଷ ପୂର୍ତ୍ତି ହେଉଛି। ସ୍ୱାଧୀନତା ସଂଗ୍ରାମ ସମୟରେ ଆମ ଖଦି ସ୍ୱାଧୀନତା ସଂଗ୍ରାମକୁ ନୂଆ ଶକ୍ତି ଦେଇଥିଲା ଏବଂ ଆଜି ଯେତେବେଳେ ଦେଶ ଏକ ବିକଶିତ ଭାରତରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି, ସେଠାରେ କପଡ଼ା ଉଦ୍ୟୋଗ ମଧ୍ୟ ଦେଶର ଶକ୍ତି ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ମୟୂରଭଞ୍ଜର ଏକ ସଫଳ କାହାଣୀକୁ ଉଲ୍ଲେଖ କରିଛନ୍ତି। ଏଠାରେ ୬୫୦ରୁ ଅଧିକ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ିକୁ ପୁନରୁଦ୍ଧାର କରିଛନ୍ତି। ଏହି ମହିଳାମାନେ ଭଲ ରୋଜଗାର କରିବା ସହ ନିଜର ସ୍ବତନ୍ତ୍ର ପରିଚୟ ମଧ୍ୟ ତିଆରି କରୁଛନ୍ତି। ସେହିଭଳି ଲୋକ ଗୀତ ମାଧ୍ୟମରେ ପରିବେଶ ସୁରକ୍ଷା ଓ ବନାଗ୍ନି ସଚେତନତା ପାଇଁ କେନ୍ଦୁଝର ମୁର୍ଗାପାହାଡ଼ି ଗାଁର ପ୍ରମିଳା ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି।