୧୧ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ: ଏକାଠି କାମ କଲେ ସମ୍ବଳ ଅଭାବ ରହିବନି

ନୂଆଦିଲ୍ଲୀ : ଦେଶରେ କୋଭିଡ୍‌-୧୯ ପରିସ୍ଥିତି ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବାଧିକ ପ୍ରଭାବିତ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ବୈଠକରେ ସମସ୍ତ ରାଜ୍ୟ ଏକଜୁଟ୍‌ ହୋଇ କୋଭିଡ୍‌ ମହାମାରୀ ବିରୋଧରେ ଲଢ଼େଇ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟମାନେ ମିଳିତ ଭାବେ କାମକଲେ ସମ୍ବଳର ଆଦୌ ଅଭାବ ରହିବ ନାହିଁ ଏବଂ କେତେକ ରାଜ୍ୟରେ ଦେଖାଦେଇଥିବା ଅକ୍ସିଜେଟ୍‌ ସଙ୍କଟ ଖୁବ୍‌ଶୀଘ୍ର ଦୂର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରଙ୍କ ସମସ୍ତ ବିଭାଗ ଓ ମନ୍ତ୍ରାଳୟ ଏ ଦିଗରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ସେ କହିଛନ୍ତି। ମେଡିକାଲ ଆବଶ୍ୟକତା ପୂରଣ ପାଇଁ ଯୁଦ୍ଧସ୍ତରରେ ଶିଳ୍ପ ଅକ୍ସିଜେନ୍‌ ଦିଆଯାଉଛି ଏବଂ ଏ ଦିଗରେ ସର୍ବାଧିକ ତତ୍ପରତାର ସହ କାମ ହେଉଛି। ସମସ୍ତ ରାଜ୍ୟ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ଆବଶ୍ୟକତା ପୂରଣ ଦିଗରେ କାମ କରିବାକୁ ପ୍ରଧାନମନ୍ତ୍ରୀ ମନ୍ତ୍ର ଦେଇଛନ୍ତି। ରାଜ୍ୟମାନେ ଅକ୍ସିଜେନ୍‌ ଏବଂ ମେଡିସିନ୍‌ କଳାବଜାରକୁ ରୋକିବା ପାଇଁ ପଦ‌େକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।

ଅକ୍ସିଜେନ୍‌ ଯୋଗାଣକୁ ସୁଗମ କରିବା ପାଇଁ ପରିବହନରେ ରହିଥିବା ବାଧା ଦୂର କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅକ୍ସିଜେନ୍‌ ଟ୍ୟାଙ୍କର ଯେଉଁ ରାଜ୍ୟ ପାଇଁ ଉଦ୍ଦିଷ୍ଟ ସେଠାକୁ ଯିବା ବେଳେ ରାସ୍ତାରେ ତାହାକୁ ଯେଭଳି ଅଟକା ନଯିବ ଏବଂ ସମସ୍ୟା ସୃଷ୍ଟି ନହେବ ସେଥିପାଇଁ ଧ୍ୟାନ ଦେବାକୁ ସେ କହିଛନ୍ତି। ଏବେ ରେଳବାଇ ଅକ୍ସିଜେନ୍‌ ଏକ୍ସପ୍ରେସ୍‌ ଆରମ୍ଭ କରିଥିବା ବେଳେ, ବାୟୁସେନା ଖାଲି ଅକ୍ସିଜେନ୍‌ ଟ୍ୟାଙ୍କରଗୁଡ଼ିକୁ ପରିବହନ ବିମାନରେ ପହଞ୍ଚାଇବା କାର୍ଯ୍ୟ କରୁଛି‌ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର