ନୂଆଦିଲ୍ଲୀ: ଜାନୁଆରୀ ୨୭ ତାରିଖରେ ନୂଆଦିଲ୍ଲୀର ତାଳକଟୋରା ଇନଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣରେ ପ୍ରଥମ ଥର ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ବୋର୍ଡମାନଙ୍କର ୧୬ ଲକ୍ଷ ପିଲା ଅଂଶଗ୍ରହଣ କରିବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ନୂଆଦିଲ୍ଲୀଠାରେ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଜନଆନ୍ଦୋଳନରେ ପରିଣତ ହୋଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ ଏହି କାର୍ଯ୍ୟକ୍ରମକୁ ଦେଶର ଲୋକମାନେ ସକାରାତ୍ମକ ଭାବରେ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜର ବ୍ୟସ୍ତ ଜୀବନଚର୍ଯ୍ୟା ମଧ୍ୟରେ ଦେଶର ତରୁଣ ପିଢିକୁ ପ୍ରସ୍ତୁତ କରିବା ପାଇଁ ଅଭିଭାବକ ଓ ମେଣ୍ଟର ଭାବେ ପରାମର୍ଶ ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀଙ୍କ ପ୍ରଶ୍ନୋତ୍ତର ଓ ଆଲୋଚନା କାର୍ଯ୍ୟକ୍ରମ ଜୀବନ ପ୍ରତି ଏକ ନୂଆ ଦୃଷ୍ଟିକୋଣ। ଏହା ଧୀରେ ଧୀରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଉଛି।
ଚଳିତବର୍ଷ ‘ପରୀକ୍ଷା ପେ ଚର୍ଚ୍ଚା’ ପାଇଁ ମୋଟ ୩୮ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜୀକରଣ କରାଇଛନ୍ତି। ଗତବର୍ଷ ତୁଳନାରେ ଏହି ସଂଖ୍ୟା ୧୫ ଲକ୍ଷ ୭୩ ହଜାର ଅଧିକ। ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମସ୍ତ ରାଜ୍ୟର ପ୍ରତିନିଧି ଭାବେ ସାରା ଦେଶର ୧୦୨ ଜଣ ବିଦ୍ୟାର୍ଥୀଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାବ୍ୟତୀତ କିଛିଦିନ ପୂର୍ବରୁ ଭାରତ ସରକାରଙ୍କ ଏନ୍ସିଇଆର୍ଟି ଏବଂ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଆୟୋଜିତ କଳା ଉତ୍ସବର ୮୦ ଜଣ ଶ୍ରେଷ୍ଠ ବିଜେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହି ସମସ୍ତ ବିଦ୍ୟାର୍ଥୀ ଗଣତନ୍ତ୍ର ଦିବସ ପରେଡ୍ରେ ମଧ୍ୟ ଅତିଥି ଭାବେ ଭାଗ ନେବେ। ଏହିସବୁ ପିଲାଙ୍କୁ ସ୍ୱାଧୀନତାର ପରୀକ୍ଷା ପେ ଚର୍ତ୍ତା ପରଦିନ କର୍ତ୍ତବ୍ୟ ପଥ, ରାଷ୍ଟ୍ରୀୟ ସମର ସ୍ମାରକ, ରାଜଘାଟ, ସଦୈବ ଅଟଳ ଓ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ତଥା ଦେଶର ଐତିହ୍ୟ ସହ ଜଡ଼ିତ ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା ପାଇଁ ନିଆଯିବ।
ଏଗ୍ଜାମ ୱାରିୟର୍ସ (ପରୀକ୍ଷା ଯୋଦ୍ଧା) ପୁସ୍ତକର ବଢୁଥିବା ଚାହିଦା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ନିକଟରେ ଦେଶର ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସମେତ ରାଜ୍ୟସ୍ତରୀୟ ବୋର୍ଡର ୭ ହଜାର ୨୮୩ ସ୍କୁଲରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଏଗ୍ଜାମ ଓ୍ୱାରିୟର୍ସ କଥାବସ୍ତୁ ଉପରେ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହା ଛାତ୍ରଛାତ୍ରୀଙ୍କ ସୃଜନଶୀଳ ପ୍ରତିଭାକୁ ଚିହ୍ନଟ କରିବାର ଏକ ଅବସର ଦେଇଥିଲା।
ଏଗ୍ଜାମ ଓ୍ୱାରିୟର୍ସ ପୁସ୍ତକ ଇଂରାଜୀ ଓ ହିନ୍ଦୀ ଭାଷା ସମେତ ଦେଶର ୧୩ଟି ପ୍ରମୁଖ ସ୍ଥାନୀୟ ଭାଷା ଯଥା ଓଡ଼ିଆ, ଆସାମୀ, ବଙ୍ଗଳା, ଗୁଜରାଟୀ, କନ୍ନଡ, ମାଲାୟାଲମ, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭାଷାରେ ପ୍ରକାଶିତ ହୋଇଛି। ଏହି ପୁସ୍ତକକୁ ଅଳ୍ପ କିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବ୍ୟକ୍ତି, ରାଜ୍ୟପାଳ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉନ୍ମୋଚନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।