ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରୁ କ୍ରମାଗତ ଦ୍ୱାଦଶ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଉତ୍ସବ ଆରମ୍ଭ ହୋଇଥିଲା। ଲାଲକିଲ୍ଲାରେ ପହଞ୍ଚି ଗାର୍ଡ ଅଫ୍ ଅନର ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ପତାକା ଉତ୍ତୋଳନ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନରେ କହିଛନ୍ତି, ମରୁଭୂମି ହେଉ କି ହିମାଳୟର ଶିଖର, ସମୁଦ୍ର କୂଳ ହେଉ କିମ୍ବା ଜନଗହଳିପୂର୍ଣ୍ଣ ସହର, ସମଗ୍ର ଦେଶରେ ଗୋଟିଏ ସ୍ୱର ଅଛି: ଆମେ ସମସ୍ତେ ଆମ ଜୀବନ ଅପେକ୍ଷା ଭାରତକୁ ଅଧିକ ଭଲ ପାଉ। ଦୀର୍ଘ ୭୫ ବର୍ଷ ଧରି ଭାରତର ସମ୍ବିଧାନ ଆମକୁ ବତିଘର ଭଳି ବାଟ ଦେଖାଉଛି। ମୁଁ ଆମର ବୀର ଯବାନମାନଙ୍କୁ ସଲାମ କରୁଛି, ଯେଉଁମାନେ ଆତଙ୍କବାଦର ସଂଚାଳକମାନଙ୍କୁ ସେମାନଙ୍କ କଳ୍ପନାଠାରୁ ଅଧିକ ଦଣ୍ଡ ଦେଇଛନ୍ତି। ଭାରତ ନିଷ୍ପତ୍ତି ନେଇଛି ଯେ, ସେ ଆଉ ପରମାଣୁ ଧମକକୁ ବରଦାସ୍ତ କରିବ ନାହିଁ। ପାକିସ୍ତାନରେ ଆମ ସଶସ୍ତ୍ର ବାହିନୀର ଧ୍ୱଂସ ଏତେ ବ୍ୟାପକ ଥିଲା ଯେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଭାରତ ଏବେ ନିଷ୍ପତ୍ତି ନେଇଛି, ରକ୍ତ ଓ ପାଣି ଏକାସାଙ୍ଗରେ ପ୍ରବାହିତ ହେବ ନାହିଁ।
ସୁରକ୍ଷିତ ଓ ସମୃଦ୍ଧ ଭାରତ ପାଇଁ ବିଶାଳ ଯୋଜନା
ଅପରେସନ୍ ସିନ୍ଦୂରର ସଫଳତା ଓ ସ୍ବନିର୍ଭରତା ଉପରେ ଗୁରୁତ୍ବ
ଅପରେସନ୍ ସିନ୍ଦୂରର ସଫଳତା ଓ ସ୍ବନିର୍ଭରତା ଉପରେ ଗୁରୁତ୍ବ
ଅନ୍ୟ ଉପରେ ନିର୍ଭରଶୀଳତା ରାଷ୍ଟ୍ରର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇଥାଏ। ସେଥିପାଇଁ ଆତ୍ମନିର୍ଭରଶୀଳ ହେବା ଲାଗି ଆମକୁ ସଚେତନ ଓ ପ୍ରତିଶ୍ରୁତିବଦ୍ଧ ହେବାକୁ ପଡ଼ିବ। ଭାରତ ଏବେ ଆଣବିକ ଶକ୍ତି ଉପରେ ସକ୍ରିୟ ଭାବେ ଧ୍ୟାନ ଦେଉଛି। ବର୍ତ୍ତମାନ ୧୦ଟି ନୂତନ ପରମାଣୁ ରିଆକ୍ଟର କାର୍ଯ୍ୟକ୍ଷମ ହୋଇଛି। ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା ବେଳକୁ ଆମେ ଆମର ପରମାଣୁ ଶକ୍ତି କ୍ଷମତାକୁ ଦଶ ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ। ମୁଁ ଯୁବପିଢ଼ିଙ୍କୁ ଓ ସରକାରଙ୍କ ପ୍ରତ୍ୟେକ ବିଭାଗକୁ ନିବେଦନ କରୁଛି: ଆମର ଲଢୁଆ ବିମାନ ପାଇଁ ମେଡ୍-ଇନ୍-ଇଣ୍ଡିଆ ଜେଟ୍ ଇଞ୍ଜିନ୍ ଉତ୍ପାଦନ କରିବାକୁ ଆମେ ପ୍ରୟାସ କରିବା ଉଚିତ। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଶତ୍ରୁମାନେ ‘ମେଡ୍ ଇନ୍ ଇଣ୍ଡିଆ’ର ସାମର୍ଥ୍ୟ ବିଷୟରେ ଜାଣି ନ ଥିଲେ। ଅସ୍ତ୍ରଶସ୍ତ୍ରରେ ଆମେ ଆତ୍ମନିର୍ଭରଶୀଳ ହୋଇ ନ ଥିଲେ ଏତେ ଦ୍ରୁତ ଗତିରେ ଅପରେସନ୍ ସିନ୍ଦୂର କରିପାରି ନ ଥାନ୍ତେ। ଭାରତ ଏବେ ନିଜର ସ୍ୱଦେଶୀ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ଢାଲ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏକ ବ୍ୟାପକ, ସ୍ୱଦେଶୀ ଓ ସମନ୍ୱିତ ଆକାଶ ପ୍ରତିରକ୍ଷା ବ୍ୟବସ୍ଥା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ନାମ ‘ସୁଦର୍ଶନ ଚକ୍ର’ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
ଆମ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଳା ମହାକାଶ କେନ୍ଦ୍ରରୁ ଫେରିଛନ୍ତି, ଯାହା କି ଦେଶ ପାଇଁ ଗର୍ବର ମୁହୂର୍ତ୍ତ। ଗଗନଯାନ ଅଭିଯାନରେ ଭାରତ ସକ୍ରିୟ ଭାବରେ କାର୍ଯ୍ୟ କରୁଛି ଏବଂ ନିଜର ମହାକାଶ ଷ୍ଟେସନ ପାଇଁ ମଧ୍ୟ ଯୋଜନା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଅନୁପ୍ରବେଶ ସମସ୍ୟା ସଂପର୍କରେ ଚେତାଇ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଅନୁପ୍ରବେଶକାରୀ ଆମ ଯୁବପିଢ଼ିଙ୍କ ରୋଜଗାର ଛଡ଼ାଇ ନେଉଛନ୍ତି। ସେମାନେ ଆମ ଦେଶର ଝିଅ-ଭଉଣୀମାନଙ୍କୁ ଟାର୍ଗେଟ୍ କରୁଛନ୍ତି। ସେମାନେ ନିରୀହ ଆଦିବାସୀଙ୍କୁ ବୋକା ବନାଇ ସେମାନଙ୍କ ଜଙ୍ଗଲ ଜମି ଦଖଲ କରୁଛନ୍ତି। ଦେଶ ଏହାକୁ ବରଦାସ୍ତ କରିବ ନାହିଁ।