ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି(ଶନିବାର) ମଣିପୁର ଗସ୍ତ କରିବେ। ୨୦୨୩, ମେ ମାସରେ ରାଜ୍ୟର ମୈତେଇ ଓ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଜାତିଗତ ହିଂସା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ମଣିପୁର ଗସ୍ତ। ଚଳିତ ବର୍ଷ ଫେବ୍ରିୁଆରିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂହଙ୍କ ଇସ୍ତଫା ପରଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ରହିଛି। ହିଂସାରେ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି ଏବଂ ୨ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।
ପ୍ରଧାନମନ୍ତ୍ରୀ ପ୍ରାୟ ଚାରି ଘଣ୍ଟା ମଣିପୁରରେ ରହିବେ ବୋଲି ଜଣାପଡ଼ିଛି। କୁକି-ଜୋ ଅଧ୍ୟୁଷିତ ଚୁରାଚାନ୍ଦପୁରରୁ ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ଆରମ୍ଭ କରିବେ। ସେଠାରେ ଶାନ୍ତି ମଇଦାନରେ ଏକ ଜନସଭାରେ ଭାଷଣ ଦେବେ ଏବଂ ୭,୩୦୦ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିସ୍ଥାପିତ ପରିବାରଙ୍କ ସହ ମଧ୍ୟ ଆଲୋଚନା କରିବେ। ପରେ ସେ ମୈତେଇ ଅଧ୍ୟୁଷିତ ଇମ୍ଫାଲରେ ୧,୨୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବା ସହ କାଙ୍ଗଲା ଫୋର୍ଟରେ ଜନସଭାକୁ ସମ୍ବୋଧିତ କରିବେ। ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ଗୌହାଟୀ ଗସ୍ତରେ ବାହାରିବେ।
ରାଜ୍ୟବ୍ୟାପୀ ସୁରକ୍ଷା କଡ଼ାକଡ଼ି ହୋଇଥିବା ସତ୍ତ୍ବେ ଚୁରାଚାନ୍ଦପୁରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ହୋଇଥିବା ସାଜସଜ୍ଜାକୁ କେତେକ ଦୁର୍ବୃତ୍ତ ନଷ୍ଟ କରିଥିବା ଖବର ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିଜେପି ଶାନ୍ତି ଓ ଉନ୍ନୟନର ପଦକ୍ଷେପ ବୋଲି ଦାବି କରିଥିବା ବେଳେ ମାତ୍ର କଂଗ୍ରେସ ଏହାକୁ ‘ପ୍ରତୀକାତ୍ମକ’ ଓ ସମସ୍ୟା ସମାଧାନରେ ବିଫଳ ଉଦ୍ୟମ ବୋଲି ଦର୍ଶାଇଛି । କୁକି-ଜୋ ସଂଗଠନ ଓ ‘ଅଲ୍ ମଣିପୁର ୟୁନାଇଟେଡ କ୍ଲବ୍ସ ଅର୍ଗାନାଇଜେସନ୍’ ଏହି ଗସ୍ତକୁ ପ୍ରଚାରମୂଳକ ବୋଲି କହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉଖ୍ରୁଲ ଜିଲ୍ଲାରେ ୪୩ ଜଣ ବିଜେପି ସଦସ୍ୟଙ୍କ ଇସ୍ତଫା ଦେଇଥିବାରୁ ଏହା ରାଜନୈତିକ ଅସନ୍ତୋଷକୁ ସୂଚାଉଛି।