ନୂଆଦିଲ୍ଲୀ: ବିବିସିର ବିବାଦୀୟ ସିରିଜ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭେଦ ସୃଷ୍ଟିକାରୀ ଶକ୍ତିଙ୍କୁ ଚେତାବନୀ ଦେଇଛନ୍ତି। ଯେଉଁମାନେ ଦେଶରେ ବିଭେଦର ମଞ୍ଜି ବୁଣୁଛନ୍ତି, ସେମାନଙ୍କୁ ସାବଧାନ କରାଇଦେବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କର ଏପରି ଉଦ୍ୟମ କେବେହେଲେ ସଫଳ ହେବ ନାହିଁ। ଦିଲ୍ଲୀ କ୍ୟାଣ୍ଟନମେଣ୍ଟର କାରିଆପ୍ପା ପଡ଼ିଆରେ ଏନ୍‌ସିସି ଛାତ୍ରଛାତ୍ରୀଙ୍କ ଏକ ରୢାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ, ଏକତାର ମନ୍ତ୍ର ହେଉଛି ଏକମାତ୍ର ମନ୍ତ୍ର ଯାହାଦ୍ବାରା ଭାରତ ଉଜ୍ଜ୍ବଳ ହୋଇପାରିବ। ଭାରତର ବୃହତ୍ ଯୁବସମାଜ ପାଇଁ ସମଗ୍ର ପୃଥିବୀ ଭାରତ ଆଡ଼କୁ ଚାହିଛି। ଭାରତର ଯୁବସମାଜ ପାଇଁ ନୂଆ ସୁଯୋଗର ସମୟ ଆସିଛି। ସବୁଠି ଏହା ଜଳଜଳ ଦିଶୁଛି ଯେ ଭାରତର ସମୟ ଏବେ ଉପନୀତ। ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେଇଥିବା ଏନ୍‌ସିସି କ୍ୟାଡେଟ୍‌ମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିବା ସହିତ ଭାରତକୁ ଭାଗଭାଗ କରିବା ପାଇଁ ଚେଷ୍ଟାରତ ଥିବା ଗୋଷ୍ଠୀକୁ ସାବଧାନ କରାଇଦେଇଥିଲେ।

Advertisment

ପ୍ରଧାନମନ୍ତ୍ରୀ କହିଥିଲେ, ଦେଶକୁ ଭାଙ୍ଗିବା ଓ ବଦାନମ କରିବା ପାଇଁ ଅନେକ ବାହାନା କରାଯାଉଛି। ଏଥିପାଇଁ ଭିନ୍ନ ଭିନ୍ନ କୌଶଳ ଅବଲମ୍ବନ କରି ମା ଭାରତୀଙ୍କ ସନ୍ତାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରାଯାଉଛି। ଏଭଳି ସ୍ଥିତିରେ ଏକତାର ମନ୍ତ୍ର ହିଁ ଭାରତକୁ ବିଶ୍ବରେ ବଳିଷ୍ଠ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।