ଶ୍ରୀନଗର: ଆଜି ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଅତଙ୍କବାଦୀମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ‘‘ଭାରତ ପ୍ରତ୍ୟେକ ଆତଙ୍କବାଦୀ ଆହ୍ବାନକୁ ପରାସ୍ତ କରିବ।’’ କାର୍ଗିଲ ଯୁଦ୍ଧ ମେମୋରିଆଲରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୨୫ ବର୍ଷ ପୂର୍ବେ ଭାରତ କେବଳ କାର୍ଗିଲ ଯୁଦ୍ଧରେ ଜିତିନଥିଲା, ବରଂ ସେ "ସତ୍ୟ, ସଂଯମତା ଏବଂ ଶକ୍ତି" ର ଏକ ଚମତ୍କାର ଉଦାହରଣ ଦେଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅତୀତରେ ପାକିସ୍ତାନ ନିଜର ସମସ୍ତ ଘୃଣ୍ୟ ପ୍ରୟାସରେ ବିଫଳ ହୋଇଛି।  କିନ୍ତୁ ଅତୀତର ଅଭିଜ୍ଞତାରୁ କିଛି କଥା ଶିଖିପାରିଲାନି।

"ପାକିସ୍ତାନ ଏହାର ଇତିହାସରୁ କିଛି ଶିଖି ନାହିଁ। ଆଜି ମୁଁ ଏପରି ଏକ ସ୍ଥାନରୁ କହୁଛି ଯେଉଁଠାରେ ଆତଙ୍କବାଦୀମାନେ ମୋର ସ୍ୱର ସିଧାସଳଖ ଶୁଣିପାରୁଥିବେ। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ସେମାନଙ୍କର ଉଦ୍ଦେଶ୍ୟ କଦାପି ସଫଳ ହେବ ନାହିଁ। ଆମର ସୈନିକମାନେ ଆତଙ୍କବାଦକୁ ଦଳି ଦେବେ। ପୂର୍ଣ୍ଣ ଶକ୍ତି ସହ ଶତ୍ରୁଙ୍କୁ ଉପଯୁକ୍ତ ଉତ୍ତର ଦିଆଯିବ’’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଜୁଲାଇ ୨୬ ତାରିଖ ୧୯୯୯ ମସିହାରେ ଭାରତୀୟ ସେନା "ଅପରେସନ୍ ବିଜୟ" ର ସଫଳତା ଘୋଷଣା କରିଥିଲା। ଯାହାକୁ ଲଦାଖରେ ପ୍ରାୟ ତିନିମାସ ଧରି ଚାଲିଥିଲା।କାର୍ଗିଲ ସେକ୍ଟରରେ ଏଲ୍‌ଓସିର ଭାରତୀୟ ପାର୍ଶ୍ୱରେ ପାକିସ୍ତାନୀ ଅନୁପ୍ରବେଶକାରୀମାନେ ସ୍ଥାନ ଅଧିକାର କରିଥିଲେ। ଏହି ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟକୁ ସ୍ମରଣ କରିବା ପାଇଁ ଏହି ଦିନ 'କାର୍ଗିଲ ବିଜୟ ଦିବସ' ଭାବରେ ପାଳନ କରାଯାଏ।

ମୋଦୀ କହିଛନ୍ତି, "ଆଜି ଲଦାଖର ଏହି ମହାନ ଭୂମି କାର୍ଗିଲ ବିଜୟ ଦିବସୀ ୨୫ତମ ବାର୍ଷିକୀ ପାଳନ କରୁଛି। କାର୍ଗିଲ ବିଜୟ ଦିବସ ଆମକୁ କୁହେ ଯେ ଦେଶ ପାଇଁ ବଳିଦାନ ଅମର ଅଟେ।"