ପିଏମ୍‌ଏସ୍‌ବିୱାଇ, ପିଏମ୍‌ଜେଜେବିୱାଇ ଓ ଏପିୱାଇକୁ ପୂରିଲା ୭ ବର୍ଷ

କମ୍ ଖର୍ଚ୍ଚରେ ସମାଜର ଅନ୍ତିମ ବ୍ୟକ୍ତି ନିକଟରେ ଜନ ସୁରକ୍ଷା ସୁବିଧା ପହଞ୍ଚିପାରୁଛି : ନିର୍ମଳା ସୀତାରମଣ
ପିଏମ୍‌ଜେଜେବିୱାଇରେ ୧୨.୭୬ କୋଟି, ପିଏମ୍‌ଏସ୍‌ବିୱାଇରେ ୨୮.୩୭ କୋଟି ଓ ଏପିୱାଇରେ ୪ କୋଟିରୁ ଅଧିକ ହିତାଧିକାରୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତିନିଟି ସାମାଜିକ ସୁରକ୍ଷା (ଜନ ସୁରକ୍ଷା) ଯୋଜନାକୁ ୭ ବର୍ଷ ପୂରିଛି। ଏହି ସବୁ ଯୋଜନା ହେଲା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍‌ଜେଜେବିୱାଇ), ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା (ପିଏମ୍‌ଏସ୍‌ବିୱାଇ) ଏବଂ ଅଟଳ ପେନସନ ଯୋଜନା (ଏପିୱାଇ)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ ମେ ୨୦୧୫ରେ ପଶ୍ଚିମବଙ୍ଗର କୋଲକାତାଠାରେ ତିନି ଯୋଜନାର ଶୁଭାରମ୍ଭ କରିଥିଲେ। ଦେଶର ଅସଂଗଠିତ କ୍ଷେତ୍ରର ଲୋକମାନଙ୍କର ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ପିଏମ୍‌ଜେଜେବିୱାଇ ଓ ପିଏମ୍‌ଏସ୍‌ବିୱାଇ ଯୋଜନା କରିଥିବା ବେଳେ ବୃଦ୍ଧାବସ୍ଥାରେ ଆବଶ୍ୟକତାକୁ ପୂରଣ କରିବା ଲାଗି ଏପିୱାଇର ଶୁଭାରମ୍ଭ କରାଯାଇଥିଲା।

ଯୋଜନାର ୭ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ, ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୧୫ ଅଗଷ୍ଟ ୨୦୧୪ରେ ଘୋଷଣା କରାଯାଇଥିବା ଆର୍ଥିକ ଅନ୍ତର୍ଭୂକ୍ତିକରଣ ଆଧାରିତ ଜାତୀୟ ମିସନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୀମା ଏବଂ ପେନସନ ପରିସରକୁ ବିସ୍ତାରିତ କରିବା। ଯାହାଫଳରେ ସମାଜର ଗରିବ ଓ ଦୁର୍ବଳ ଲୋକମାନଙ୍କୁ ଶସ୍ତା ଉତ୍ପାଦ ମାଧ୍ୟମରେ ଅତ୍ୟଧିକ ଆବଶ୍ୟକ ଆର୍ଥିକ ସୁରକ୍ଷା ମିଳିପାରିବ। ତିନିଟି ଜନ ସୁରକ୍ଷା ଯୋଜନା ବୀମା ଏବଂ ପେନସନକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚା ଯାଇପାରିଛି । ବିଗତ ୭ ବର୍ଷ ମଧ୍ୟରେ ଉପରୋକ୍ତ ଯୋଜନାରେ ପଞ୍ଜିକୃତ ଏବଂ ଏଥିରୁ ଲାଭାନ୍ବିତ ହେଉଥିବା ଲୋକମାନଙ୍କ ସଂଖ୍ୟା ଏସବୁ ଯୋଜନାର ସଫଳତାର ପ୍ରମାଣ ଦେଉଛି । କମ୍‌ ଖର୍ଚ୍ଚରେ ବୀମା ଯୋଜନା ଏବଂ ଗ୍ୟାରେଣ୍ଟିଯୁକ୍ତ ପେନସନ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରୁଛି, ପୂର୍ବରୁ ଏହି ସୁବିଧା ଅଳ୍ପକିଛି ହାତଗଣତି ଲୋକଙ୍କ ପାଖରେ ଉପଲବ୍ଧ ଥିଲା । ଏବେ ଏହା ସମାଜର ଅନ୍ତିମ ବ୍ୟକ୍ତି ନିକଟରେ ପହଞ୍ଚି ପାରିଛି। ଆଜି ଅତି ଦରିଦ୍ର ଲୋକ ମଧ୍ୟ ପିଏମ୍‌ଜେଜେବିୱାଇ ଅଧୀନରେ ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁରକ୍ଷା ଦୈନିକ ମାତ୍ର ୧ ଟଙ୍କା ଖର୍ଚ୍ଚ କରି ପାଇପାରୁଛନ୍ତି।

ସେହିପରି ଦୈନିକ ମାତ୍ର ୧ ଟଙ୍କା ଖର୍ଚ୍ଚ କରି ପିଏମ୍‌ଏସ୍‌ବିୱାଇ ଅଧୀନରେ ଦୁଇ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ମିଳିପାରୁଛି । ଦେଶର ୧୮ରୁ ୪୦ ବର୍ଷ ବୟସର ସବୁ ନାଗରିକ ମାସିକ ସର୍ବନିମ୍ନ ୪୨ ଟଙ୍କା ଖର୍ଚ୍ଚ କରି ୬୦ ବର୍ଷ ବୟସ ପରେ ପେନସନ ପାଇପାରିବେ। ପିଏମ୍‌ଜେଜେବିୱାଇରେ ବର୍ତ୍ତମାନ ସୁଦ୍ଧା ୧୨.୭୬ କୋଟି ଲୋକ ଜୀବନ ବୀମା ପଞ୍ଜୀକରଣ କରାଇଛନ୍ତି। ୫,୭୬,୧୨୧ ଲୋକଙ୍କ ପରିବାରକୁ ଯୋଜନା ଅଧୀନରେ ୧୧,୫୨୨ କୋଟି ଟଙ୍କାର ଦାବି ପୂରଣ କରାଯାଇପାରିଛି। ଅନୁରୂପ ଭାବେ ପିଏମ୍‌ଏସ୍‌ବିୱାଇର ଶୁଭାରମ୍ଭ ପରଠାରୁ ୨୮.୩୭ କୋଟି ଲୋକ ଦୁର୍ଘଟଣା ସୁରକ୍ଷା ନିମନ୍ତେ ପଞ୍ଜୀକରଣ କରାଇଛନ୍ତି। ୯୭ ହଜାର ୨୨୭ଟି ଦାବି ପାଇଁ ୧୯୩୦କୋଟି ଟଙ୍କା ପରିଶୋଧ କରାଯାଇଛି। ୪ କୋଟିରୁ ଅଧିକ ଲୋକ ଏପିୱାଇ ଯୋଜନାର ସଦସ୍ୟ ହୋଇଛନ୍ତି । ଏହି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଶନରାଓ କରାଡ଼ କହିଛନ୍ତି ଯେ ଏସବୁ ଯୋଜନାର ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ମୁଁ ସବୁ ବୀମା କମ୍ପାନିମାନଙ୍କୁ ଯୋଜନା ଗୁଡ଼ିକର ସଫଳ କାର୍ଯ୍ୟକାରିତା ପାଇଁ ଅଭିନନ୍ଦନ ଜଣାଉଛି । ସେମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ସେମାନେ ସମାଜର ଗରିବ ଲୋକଙ୍କ ନିକଟରେ ଯୋଜନାର ଲାଭ ପହଞ୍ଚିବା ପର୍ଯ୍ୟନ୍ତ ଏହିପରି ଆଗ୍ରହ ଏବଂ ପ୍ରତିବଦ୍ଧତାର ସହିତ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଜାରି ରଖନ୍ତୁ।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ)
୧୮-୫୦ ବର୍ଷ ବୟସ୍କ ବ୍ୟକ୍ତି ଏହି ଯୋଜନାରେ ପଞ୍ଜୀକରଣ କରିବା ଲାଗି ଯୋଗ୍ୟ। ସେମାନେ ଡାକ ଘର କିମ୍ବା ବ୍ୟାଙ୍କ ଆକାଉଣ୍ଟରେ ଏହାର ପଞ୍ଜୀକରଣ କରାଇପାରିବେ । ୫୦ ବର୍ଷ ବୟସ ପୂର୍ବରୁ ଯୋଜନାରେ ସାମିଲ ହୋଇଥିବା ଲୋକମାନେ ପ୍ରିମିୟମ ପରିଶୋଧ କରିବା କ୍ଷେତ୍ରରେ ଜୀବନ ସୁରକ୍ଷା କଭରେଜ୍ ୫୫ ବର୍ଷ ବୟସ ପର୍ଯ୍ୟନ୍ତ ପାଇପାରିବେ। ୩୩୦ ଟଙ୍କାର ବାର୍ଷିକ ପ୍ରିମିୟମରେ ଏକ ବର୍ଷ ଅବଧିର ଜୀବନ ବୀମା ସୁରକ୍ଷା, ଯେକୌଣସି କାରଣରୁ ମୃତ୍ୟୁ ହୋଇଥିଲେ ମଧ୍ୟ ସୁରକ୍ଷା ମିଳିବ। ଆକାଉଣ୍ଟଧାରୀମାନେ ବ୍ୟାଙ୍କ ଶାଖା କିମ୍ବା ବିସି ପଏଣ୍ଟ ଅଥବା ୱେବସାଇଟକୁ ଯାଇ ଯୋଜନା ଅଧୀନରେ ପଞ୍ଜୀକରଣ କରିପାରିବେ। ଯୋଜନା ଅଧୀନରେ, ପ୍ରିମିୟମ ପରିଶୋଧ ହିତାଧିକାରୀଙ୍କ ଦ୍ବାରା କେବଳ ଗୋଟିଏ ଥର ଦିଆଯାଇଥିବା ସହମତି ଅନୁଯାୟୀ ଆପେ ଆପେ ବ୍ୟାଙ୍କ ଆକାଉଣ୍ଟରୁ କଟି ଯାଇପାରିବ । ଯୋଜନା ଏବଂ ଫର୍ମ ବିଷୟରେ ଅଧିକ ସୂଚନା ପାଇଁ (ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ) https://jansuraksha.gov.in ରେ ଉପଲବ୍ଧ ରହିଛି।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍‌ଏସ୍‌ବିୱାଇ)
ପିଏମଖଏସ୍‌ବିୱାଇ ଏକ ବର୍ଷ ଅବଧିର ଦୁର୍ଘଟଣା ବୀମା ଯୋଜନା ଅଟେ, ପ୍ରତିବର୍ଷ ଯୋଜନାର ନବୀକରଣ ହୋଇଥାଏ ଏବଂ ଦୁର୍ଘଟଣା କାରଣରୁ ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ଏହା ବୀମାଭୁକ୍ତ ବ୍ୟକ୍ତିଙ୍କୁ ସୁରକ୍ଷା ପ୍ରଦାନ କରିଥାଏ। ସଞ୍ଚୟ ବ୍ୟାଙ୍କ କିମ୍ବା ଡାକ ଘରେ ଖାତା ଥିବା ୧୮-୭୦ ବର୍ଷ ବୟସ୍କ ବ୍ୟକ୍ତି ଏହି ଯୋଜନାରେ ପଞ୍ଜୀକରଣ ଲାଗି ଯୋଗ୍ୟ। ଦୁର୍ଘଟଣା କାରଣରୁ ମୃତ୍ୟୁ କିମ୍ବା ଅକ୍ଷମତା ଲାଗି ୨ ଲକ୍ଷ ଟଙ୍କା (ଆଂଶିକ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କା)ର ଦୁର୍ଘଟଣା ମୃତ୍ୟୁ ସହିତ ଅକ୍ଷମତା ସୁରକ୍ଷା ପ୍ରଦାନ କରିଥାଏ। ଆକାଉଣ୍ଟଧାରୀ ବ୍ୟାଙ୍କ ଶାଖା କିମ୍ବା ବିସି ପଏଣ୍ଟ ଅଥବା ୱେବସାଇଟକୁ ଯାଇ ଯୋଜନା ଅଧୀନରେ ପଞ୍ଜୀକରଣ କରିପାରିବେ । ଯୋଜନା ଅଧୀନରେ, ପ୍ରିମିୟମ ପରିଶୋଧ ହିତାଧିକାରୀଙ୍କ ଦ୍ବାରା କେବଳ ଗୋଟିଏ ଥର ଦିଆଯାଇଥିବା ସହମତି ଅନୁଯାୟୀ ଆପେ ଆପେ ବ୍ୟାଙ୍କ ଆକାଉଣ୍ଟରୁ କଟି ଯାଇପାରିବ । ଯୋଜନା ଏବଂ ଫର୍ମ ବିଷୟରେ ଅଧିକ ସୂଚନା ପାଇଁ (ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ) https://jansuraksha.gov.inରେ ଉପଲବ୍ଧ ରହିଛି ।

ଅଟଳ ପେନସନ ଯୋଜନା (ଏପିୱାଇ)
ଅଟଳ ପେନସନ ଯୋଜନା (ଏପିୱାଇ) ସବୁ ଭାରତୀୟ ନାଗରିକ, ବିଶେଷ କରି ଗରିବ, ବଞ୍ଚିତ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଏକ ସାର୍ବଜନୀନ ସାମାଜିକ ସୁରକ୍ଷା ପ୍ରଣାଳୀ ନିର୍ମାଣ କରିବା ଲାଗି ଆରମ୍ଭ କରାଯାଇଛି। ସେଭିଙ୍ଗସ୍ ଆକାଉଣ୍ଟ ଥିବା ୧୮ରୁ ୪୦ ବର୍ଷ ବୟସ୍କ ଯେକୌଣସି ଯୋଗ୍ୟ ବ୍ୟକ୍ତିବିଶେଷ ଏହି ଯୋଜନାରେ ପଞ୍ଜୀକରଣ କରିପାରିବେ ଏବଂ ଚୟନ କରାଯାଇଥିବା ପେନସନ ପରିମାଣ ଏବଂ ବ୍ୟକ୍ତିବିଶେଷଙ୍କ ବୟସ ଅନୁଯାଇ ଯୋଗଦାନ ପରିମାଣ ନିର୍ଦ୍ଧାରଣ କରାଯିବ। ଯୋଜନାରେ ସାମିଲ ହେବା ପରେ ହିତାଧିକାରୀଙ୍କ ଦ୍ବାରା କରାଯାଇଥିବା ଯୋଗଦାନ ଆଧାରରେ ୬୦ ବର୍ଷ ଆୟୁ ପରେ ସେମାନଙ୍କୁ ଗ୍ୟାରେଣ୍ଟିଯୁକ୍ତ ସର୍ବନିମ୍ନ ମାସିକ ପେନସନ ଆକାରରେ ୧୦୦୦ କିମ୍ବା ୩୦୦୦ କିମ୍ବା ୪୦୦୦ କିମ୍ବା ୫୦୦୦ ଟଙ୍କା ମିଳିଥାଏ। ମାସିକ ପେନସନ ହିତାଧିକାରୀଙ୍କ ପାଇଁ ଉପଲବ୍ଧ ଏବଂ ଏହାପରେ ସେମାନଙ୍କର ଜୀବନସାଥୀ ଏବଂ ଉଭୟଙ୍କ ମୃତ୍ୟୁ ପରେ ହିତାଧିକାରୀଙ୍କ ୬୦ ବର୍ଷ ଆୟୁ ପର୍ଯ୍ୟନ୍ତ ମୋଟ ପେନସନ ଅର୍ଥରାଶି, ହିତାଧିକାରୀଙ୍କ ନୋମିନିଙ୍କୁ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର