ପିଏମ୍‌ଏୱାଇ (ସହରାଞ୍ଚଳ): ୭ ବର୍ଷରେ ୧.୧ ଲକ୍ଷ ଆବାସ

ନୂଆଦିଲ୍ଲୀ : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ)- ସହରାଞ୍ଚଳରେ ଜୁନ୍‌ ୨୦୧୫ ରୁ ଜୁନ୍‌ ୨୨, ୨୦୨୨ ସୁଦ୍ଧା ମୋଟ ଏକ ଲକ୍ଷ ୧୦ ହଜାର ୩୦ଟି ଆବାସ ନିର୍ମାଣ ହୋଇଛି। ଏହି ସମୟ ମଧ୍ୟରେ ଓଡ଼ିଶା ପାଇଁ ସମୁଦାୟ ୨ ଲକ୍ଷ ୧୨ ହଜାର ୯୫୦ ଟି ଆବାସ ନିର୍ମାଣ ପାଇଁ ମଞ୍ଜୁରି ପ୍ରଦାନ କରାଯାଇଥିଲା। ଏହାର ନିର୍ମାଣ ପାଇଁ ୯୭୨୭.୫୬ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଥିଲା। ଏଥି ପାଇଁ ୩୩୫୦.୯୭ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ବ୍ୟବସ୍ଥା ହୋଇଥିବା ବେଳେ ୧୮୮୫.୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଯୋଜନ‌ାର ୭ ବର୍ଷ ପୂର୍ତ୍ତି ଅବସରରେ ‌ପ୍ରକାଶିତ ଇ-ବୁକ୍ ରିପୋର୍ଟରେ ଉପରୋକ୍ତ ତଥ୍ୟ ପ୍ରଦାନ କରାଯାଇଛି।

ଓଡ଼ିଶା ସମେତ ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସ୍ଥିତି ସମ୍ପର୍କରେ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଓଡ଼ିଶାର ୧୨୦ ଟି ସହରାଞ୍ଚଳର ବିବରଣୀ ରହିଛି। ଯୋଜନା ଅଧୀନରେ ୩୦ଟି ସହରରେ ଏକ ହଜାରରୁ ଅଧିକ ଆବାସ ନିର୍ମାଣ ହୋଇଛି। ଭୁବନେଶ୍ବରରେ ସର୍ବାଧିକ ୫,୬୮୭, କଟକରେ ୩,୯୪୮, ବ୍ରହ୍ମପୁରରେ ୩,୮୦୦, ସମ୍ବଲପୁରରେ ୨,୯୧୩, ‌ଢେଙ୍କାନାଳରେ ୨୮୫୪, ଭଦ୍ରକରେ ୨୩୦୭ ଆବାସ ନିର୍ମାଣ ହୋଇଛି। ଅନ୍ୟ ପକ୍ଷରେ ଭୁବନେଶ୍ବର ପାଇଁ ସର୍ବାଧିକ ୩୦,୩୫୨ ଟି ଆବାସ ନିର୍ମାଣ ଅନୁମୋଦନ ମିଳିଥିଲା। ସେହିଭଳି ବ୍ରହ୍ମପୁର ପାଇଁ ୬,୯୨୧ ଓ କଟକ ପାଇଁ ୬,୪୦୧ ଆବାସ ନିର୍ମାଣ ପାଇଁ ମଂଜୁରି ପ୍ରଦାନ କରାଯାଇଥିଲା। ଭୁବନେଶ୍ବର ପାଇଁ କେନ୍ଦ୍ରୀୟ ସହାୟତା ବାବଦରେ ମଂଜୁର ୪୬୬.୯୧ କୋଟି ଟଙ୍କାରୁ ୧୯୧.୭୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ଜୁନ ୨୫, ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ‘ପିଏମ୍‌ଏୱାଇ-ସହରାଞ୍ଚଳ, ହାଉସିଂ ଫର୍‌ ଅଲ୍‌’ ଯୋଜନା ଆରମ୍ଭ କରାଯାଇଥିଲା। ଆଜି ଯୋଜନାର ୭ ବର୍ଷ ପୂର୍ତ୍ତି ଅବସରରେ‌ କେନ୍ଦ୍ର ଆବାସ ଓ ସହରାଂଚଳ ବିକାଶ ମନ୍ତ୍ରାଳୟ ଦ୍ବାରା ଭର୍ଚୁଆଲ ଜରିଆରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରମୁଖ ସଚିବମାନଙ୍କ ସହିତ ଯୋଜନାର କ୍ରିୟାନ୍ବୟନ ଓ ବିଭିନ୍ନ ଉପଲବ୍ଧି ସଂପର୍କରେ ଆଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର