ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ୨୦୨୧-୨୨ ଆର୍ଥିକ ବର୍ଷରେ ଗ୍ରାହକଙ୍କ ଠାରୁ ଏଟିଏମ କାରବାର ଶୁଳ୍କ ବାବଦରେ ୬୪୫ କୋଟିରୁ ଅଧିକ ଟଙ୍କା ଆହାୟ କରିଛି। ଏଟିଏମ କାରବାର ଦେୟରୁ ପିଏନବି ଦ୍ୱାରା ଅର୍ଜିତ ରାଜସ୍ୱ ୨୦୨୧-୨୨ ଆର୍ଥିକ ବର୍ଷରେ ୬୪୫.୬୭ କୋଟି ଟଙ୍କା ଥିଲା ବୋଲି ବ୍ୟାଙ୍କ ସୂଚନା ଅଧିକାର (ଆରଟିଆଇ) ଅଧିନିୟମ ଅନୁଯାୟୀ ସୂଚନା ମଗା ଯାଇଥିବା ଏକ ଆବେଦନର ଉତ୍ତରରେ କହିଛି।

Advertisment

ଏହା ବ୍ୟତୀତ ଏହି ଆରଟିଆଇ ଆବେଦନରେ ମଗା ଯାଇଥିବା ଅନ୍ୟ ଏକ ତଥ୍ୟର ଉତ୍ତର ଦେଇ ଦେଶର ଦ୍ୱିତୀୟ ବୃହତ୍ତମ ବ୍ୟାଙ୍କ ପିଏନ୍‌ବି କହିଛି ଯେ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍‌ସ କିମ୍ବା ତ୍ରୈମାସିକ/ମାସିକ ହାରାହାରି ବାଲାନ୍‌ସ ବଜାୟ ରଖିବାରେ ବିଫଳ ହୋଇଥିବା ଗ୍ରାହକଙ୍କ ଉପରେ ଲାଗୁ ହୋଇଥିବା ଜରିମାନା ଆକାରରେ ବ୍ୟାଙ୍କ ୨୩୯.୦୯ କୋଟି ଟଙ୍କା ଆଦାୟ କରିଛି। ୨୦୨୦-୨୧ରେ ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍‌ସ ବଜାୟ ନ ରଖିବା ପାଇଁ ଜରିମାନା ଆଦାୟ କରି ୧୭୦ କୋଟି ଟଙ୍କା ରୋଜଗାର କରିଥିଲା।

ଏହି ରାଶି ୨୦୨୧-୨୨ ଆର୍ଥିକ ବର୍ଷରେ ୮,୫୧୮,୯୫୩ ଆକାଉଣ୍ଟରୁ ଆଦାୟ କରା ଯାଇଥିଲା। ବ୍ୟାଙ୍କର ଶୂନ୍ୟ ବାଲାନ୍‌ସ ଆକାଉଣ୍ଟ ସଂଖ୍ୟା ସମ୍ପର୍କରେ ଏକ ପ୍ରଶ୍ନରେ ପିଏନବି (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) କହିଛି ଯେ ମାର୍ଚ୍ଚ ୩୧,୨୦୨୨ ସୁଦ୍ଧା ମୋଟ ୬୭,୬୩୭,୯୧୮ ଆକାଉଣ୍ଟ ରହିଛି।

୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ଗତ ଚାରି ଆର୍ଥିକ ବର୍ଷ ପାଇଁ ଏହି ଧାରାକୁ ଦୃଷ୍ଟିରେ ରଖି ପ୍ରକାଶ ପାଇଛି ଯେ ପିଏନବିରେ ଶୂନ୍ୟ ବାଲାନ୍‌ସ ଆକାଉଣ୍ଟ ସଂଖ୍ୟା ଚଳିତ ବର୍ଷଗୁଡ଼ିକରେ କ୍ରମାଗତ ଭାବରେ ବୃଦ୍ଧି ପାଇଛି। ମାର୍ଚ୍ଚ ୩୧, ୨୦୧୯ ସୁଦ୍ଧା, ପିଏନବିରେ ୨୮,୨୦୩,୩୭୯ ଶୂନ ବାଲାନ୍‌ସ ଆକାଉଣ୍ଟ ଥିଲା, ଯାହା ମାର୍ଚ୍ଚ ୨୦୨୦ ଶେଷ ସୁଦ୍ଧା ୩୦,୫୮୩,୧୮୪ କୁ ବୃଦ୍ଧି ପାଇଥିଲା ଏବଂ ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ୫୯,୪୯୬,୭୩୧ କୁ ବୃଦ୍ଧି ପାଇଛି।