ପିଏନ୍‌ବିରେ ୧୧ ହଜାର କୋଟିର ଠକେଇ

ସିିବିଆଇର ଖୋଳତାଡ଼ ଆରମ୍ଭ

ମୁମ୍ବାଇ : ଦେଶର ଅନ୍ୟତମ ବଡ଼ ସରକାରୀ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)ର ମୁମ୍ବାଇ ଶାଖାରେ ୧୧ ହଜାର କୋଟି ଟଙ୍କାର ଠକେଇ ଧରାପଡ଼ିଛି। ଏହି ଠକେଇରେ ହୀରା ବ୍ୟବସାୟୀ ନିରବ ମୋଦି ଏବଂ ତାଙ୍କ ସଂସ୍ଥାର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ସିବିଆଇ ଏହି ମାମଲାର ତୁରନ୍ତ ଯାଞ୍ଚ ଆରମ୍ଭ କରିଦେଇଛି। ଏହି ଠକେଇରେ ସଂପୃକ୍ତ ଥିବା କେତେକ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବ୍ୟାଙ୍କ କର୍ତୃପକ୍ଷ ସୂଚନା ଦେଇଛନ୍ତି।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କୁ ହାତ କରି ନିରବ ମୋଦି ଲେଟର ଅଫ୍‌ ଅଣ୍ଡରଷ୍ଟାଣ୍ଡିଂ (ଏଲ୍‌ଓୟୁ) ହାସଲ କରିଥିଲେ। ଏହାକୁ ବ୍ୟବହାର କରି ସେ ହଂକଂସ୍ଥିତ କେତେକ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ। ତେବେ ନିରବଙ୍କୁ ଦିଆଯାଇଥିବା ଏଲ୍‌ଓୟୁକୁ ବ୍ୟାଙ୍କ ଖାତାରେ ଏଣ୍ଟ୍ରି କରାଯାଇ ନାହିଁ। ୨୦୧୧ରୁ ଚାଲିଥିବା ଏଭଳି କାରବାରରେ ୧୧ ହଜାର କୋଟି ଟଙ୍କା ଉଠାଇ ନିଆଯାଇଛି। ତେବେ ଗତମାସ ନିରବ ମୋଦି ଋଣ ପାଇଁ ବ୍ୟାଙ୍କକୁ ଆସିଥିବା ବେଳେ ଏହି ଠକେଇ ଧରାପଡ଼ିଥିଲା। କାରଣ ଯେଉଁ ଅଧିକାରୀଙ୍କୁ ସେ ହାତ କରିଥିଲେ ସେ ଅବସର ନେଇସାରିଥିଲେ। ତାଙ୍କ ସ୍ଥାନରେ ଆସିଥିବା ନୂଆ ଅଧିକାରୀ ଏଲ୍‌ଓୟୁ ପାଇଁ ଗ୍ୟାରେଣ୍ଟି ମାଗିବାରୁ ନିରବ ଅସମର୍ଥତା ପ୍ରକାଶ କରିଥିଲେ। ଓଲଟି ସେ କହିଥିଲେ ଯେ ୨୦୧୧ରୁ ସେ ଏଭଳି ସୁବିଧା ବିନା ଗ୍ୟାରେଣ୍ଟିରେ ପାଇ ଆସୁଛନ୍ତି। ଏହା ଶୁଣି ବ୍ୟାଙ୍କ ଅଧିକାରୀ ଖୋଳତାଡ଼ ଆରମ୍ଭ କରିବାରୁ ଜାଲିଆତି ଧରାପଡ଼ିଥିଲା।

ବ୍ୟାଙ୍କ ପକ୍ଷରୁ ତତକ୍ଷଣାତ୍‌ ଏସଂପର୍କରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜକୁ ଜଣାଇ ଦିଆଯାଇଥିଲା।

ଏହାସହିତ ସିବିଆଇରେ ଦୁଇଟି ମାମଲା ରୁଜ୍ଜୁ କରାଯାଇଥିଲା। ଠକେଇ ବିଷୟ ଜଣାପଡ଼ିବା ପରେ ନିବେଶକମାନେ ସେୟାର ବଜାରରେ ବ୍ୟାଙ୍କ୍‌ର ବିପୁଳ ପରିମାଣର ସେୟାର ବିକ୍ରି କରିଦେଇଛନ୍ତି। ଫଳରେ ସେୟାର ବଜାରରେ ବ୍ୟାଙ୍କ ୩୯୦୦ କୋଟି ଟଙ୍କା ହରାଇଛି। ବ୍ୟାଙ୍କର କାରବାର, ଲାଭ ଏବଂ ଅଭିବୃଦ୍ଧିକୁ ଏହା ପ୍ରଭାବିତ କରିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଇତିମଧ୍ୟରେ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଦେଇଛି। ସୂଚନାଯୋଗ୍ୟ ଯେ ଚଳିତ ମାସ ପାଞ୍ଚ ତାରିଖରେ ୨୮୦ କୋଟି ଟଙ୍କାର ଏକ ଠକେଇ ମାମଲାରେ ସିବିଆଇ ପକ୍ଷରୁ ନିରବ ମୋଦିଙ୍କ ସହିତ ତାଙ୍କ ପତ୍ନୀ ଏବଂ ଭାଇଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା। ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଅପରାଧିକ ଷଡ଼ଯନ୍ତ୍ର ଓ ଠକେଇ ଭଳି ଦଫା ଲଗାଯାଇଛି। ଏହି ମାମଲାର ତଦନ୍ତ ଜାରି କରାଯାଇଛି। ଇଡି ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର