ଆହୁରି ବଢିଲା ପିଏନବି ଠକେଇ ପରିମାଣ

ନୂଆଦିଲ୍ଲୀ: ବହୁ କୋଟି ଟଙ୍କାର ପିଏନବି ଠକେଇ ମାମଲା ଆହୁରି ଜଟିଳ ହୋଇଛି । ପୂର୍ବରୁ ଏହି ଠକେଇ ପରିମାଣ ୧୧,୪୦୦ କୋଟି ଟଙ୍କାର ଥିବାବେଳେ ଏବେ ପିଏନବି ସ୍ୱୀକାର କରିଛି ଯେ ଏହି ପରିମାଣ ଆହୁରି ଅଧିକ । ଗତକାଲି ସେବି ଓ ଷ୍ଟକ ଏକ୍ସଚେଞ୍ଜକୁ ଏକ ପତ୍ର ଲେଖି ବ୍ୟାଙ୍କ ସ୍ୱୀକାର କରିଛି ଯେ ନିରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସୀ ଆଉ କେତେକ ଲେଟର ଅଫ ଅଣ୍ଡରଟେକିଂ (ଏଲଓୟୁ) ମାଧ୍ୟମରେ ଆହୁରି ୧୩ଶହ କୋଟି ଟଙ୍କା ଉଠାଣ କରିଛନ୍ତି । ଫଳରେ ଏହି ଠକେଇର ପରିମାଣ ପ୍ରାୟ ୧୨,୭୦୦ କୋଟି ଟଙ୍କା ଟପିଯାଇଛି । ଏବେ ଏହି ଋଣବୋଝ ପିଏନବି ଉପରକୁ ଚାଲିଆସିଛି । ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏଲଓୟୁକୁ ଏକ ପ୍ରକାରର ଗ୍ୟାରେଣ୍ଟି ବୋଲି ଧରାଯାଏ, ଏହାକୁ ଦେଖାଇ ବ୍ୟାଙ୍କଗୁଡ଼ିକର ବିଦେଶୀ ଶାଖାରୁ ଋଣ ନେଇହେବ । କିନ୍ତୁ ଏସବୁ ଋଣ ପାଇଁ ସଂପୃକ୍ତ ବ୍ୟାଙ୍କ ଦାୟୀ ରହିବ । ଅର୍ଥାତ୍‌ ଋଣ ନେଇ ଥିବା ବ୍ୟକ୍ତି ବା ସଂସ୍ଥା ନ ସୁଝିଲେ ସେଥିଲାଗି ଏଲଓୟୁ ଦେଇଥିବା ବ୍ୟାଙ୍କ ହିଁ ସୁଝିବ । ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଅନ୍ୟ ବ୍ୟାଙ୍କମାନଙ୍କର ଋଣ ପରିଶୋଧ କରାଯିବ ବୋଲି ପିଏନବି ପୂର୍ବରୁ କହିଥିଲା । ତେବେ ଦିନକୁ ଦିନ ଏହି ସ୍କାମର ପରିମାଣ ବଢିଚାଲିଥିବାରୁ ପିଏନବିର ଆର୍ଥିକ ଅବସ୍ଥା ଶୋଚନୀୟ ହେବା ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ଇଡିର ବାରମ୍ବାର ସମନ ସତ୍ତ୍ୱେ ନିରବ ମୋଦି ଓ ମେହୁଲ ଚେକସୀ ଇଡି ସାମନାରେ ହାଜିର ହୋଇନାହାନ୍ତି ।

ସମ୍ବନ୍ଧିତ ଖବର