ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବଡ଼ ଧରଣର ଦୁର୍ନୀତି, ୧୧,୩୬୦ କୋଟିର କ୍ଷତି ଆଶଙ୍କା

ନୂଆଦିଲ୍ଲୀ: ରାଷ୍ଟ୍ରାୟତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏକ ବଡ଼ ଧରଣର ଆର୍ଥିକ ଠକେଇ କାରବାରର ସୁରାକ ମିଳିଛି । ଏହି ଠକେଇ ପରିମାଣ ପ୍ରାୟ ୧୧,୩୬୦ କୋଟି ଟଙ୍କା ହେବ ବୋଲି ବ୍ୟାଙ୍କ ପକ୍ଷରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ଦିଆଯାଇଛି । ମୁମ୍ବାଇର ଏକ ଶାଖାରେ ଏହି ସଂଦେହଜନକ କାରବାର ହଇଥିବା ଜଣାଯାଇଛି ।

ପିଏନବି ଦେଶର ୨ୟ ବୃହତ୍ତମ ବ୍ୟାଙ୍କ ହୋଇଥିବା ବେଳେ ଏହି ଠକେଇର ପରିମାଣ ବ୍ୟାଙ୍କର ମୋଟ ବଜାର ପୁଞ୍ଜି ବା ମାର୍କେଟ କ୍ୟାପିଟାଲାଇଜେସନର ଏକ ତୃତୀୟାଂଶ ବୋଲି ଅନୁମାନ କରାଯାଉଛି । ଏହି ଦୁର୍ନୀତି ସଂପର୍କରେ ବ୍ୟାଙ୍କ ପକ୍ଷରୁ ଇତି ମଧ୍ୟରେ ସିବିଆଇ, ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ସେବିକୁ ସୂଚୀତ କରାଯାଇଛି ।

ଗତ ଫେବ୍ରୁଆରୀ ୫ତାରିଖରେ ପିଏନବି ଜଣାଇଥିଲା ଯେ  ମୁମ୍ବାଇର ବ୍ରାଡି ହାଉସ ଶାଖାରେ କାମ କରୁଥିବା ଏହାର ଦୁଇଜଣ କର୍ମଚାରୀ ଗୋକୁଲନାଥ ସେଟ୍ଟୀ ଓ ମନୋଜ ହନୁମେଣ୍ଟ ଖରାତ୍‌  ଡାଇମଣ୍ଡ ଗ୍ରୁପର ପ୍ରମୋଟର ମୋଦି, ନିଶଲ ମୋଦି, ଅମି ନିରବ ମୋଦି, ମୋହୁଲ ଚିନୁଭାଇ ଚୋସକୀ ନାମକ ବ୍ୟକ୍ତିମାନଙ୍କ ସହ ଅସାଧୁ ମେଣ୍ଟ କରି  ୨୮୦ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ବ୍ୟାଙ୍କ ପକ୍ଷରୁ ତୁରନ୍ତ ସିବିଆଇକୁ ସୂଚୀତ କରାଯାଇଥିଲା । ପ୍ରାରମ୍ଭିକ ତଦନ୍ତରୁ ଏହି ଦୁର୍ନୀତି ସମ୍ପର୍କରେ ଜାଣିବା ପରେ ସିବିଆଇ ଏଥିରେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଏଫଆଇଆର ଦାଏର କରିଥିଲା । ତେବେ ଧୀରେ ଧୀରେ ବ୍ୟାପକ ଖୋଳତାଡ଼ ପରେ ଏହି ପରିମାଣ ବେଶ ବଡ଼ ବୋଲି ଜଣାପଡିଥିଲା । ଏସବୁ ସଂଦେହାସ୍ପତ କାରବାର ଫଳରେ ବ୍ୟାଙ୍କର ୧୧,୩୬୦ କୋଟି ଟଙ୍କା କ୍ଷତି ହୋଇଥିବା ଜଣାଯାଇଛି ।

 

 

 

ସମ୍ବନ୍ଧିତ ଖବର