ନୂଆଦିଲ୍ଲୀ: ବହୁ କୋଟି ଟଙ୍କାର ପିଏନବି ଦୁର୍ନୀତି ମାମଲାରେ କଂଗ୍ରେସ ଦଳ ଅଧିକ ଆକ୍ରମକ ହୋଇପଡ଼ିଛି । ବୋଧହୁଏ ବହୁ ଦିନ ଧରି ଏକ ବଡ଼ ସ୍କାମ ଖୋଜୁଥିବା କଂଗ୍ରେସ ହାତରେ ଏକ ବଡ଼ ଅସ୍ତ୍ର ପଡିଯାଇଛି । ଆଜି କଂଗ୍ରେସ ନେତ ରଣଦୀପ ସୁର୍ଜେବାଲା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଏହି ବ୍ୟାଙ୍କ ଦୁର୍ନୀତି ୧୧,୪୦୦ କୋଟି ଟଙ୍କାର ନୁହେଁ । ବରଂ ଏହା ପ୍ରାୟ ୨୧,୩୦୬ କୋଟି ଟଙ୍କାର ଏକ ଦୁର୍ନୀତି । କାରଣ ନିରବ ମୋଦି ଓ ମେହୁଲ ଚୋକସୀଙ୍କ ମାଲିକାନାରେ ଥିବା ଆଉ କେତେକ କମ୍ପାନି ପ୍ରାୟ ୯,୯୦୬ କୋଟି ଟଙ୍କାର ଋଣ ନେଇଛନ୍ତି । ଏହାକୁ ମିଶାଇଲେ ମୋଟ ଋଣ ପରିମାଣ ୨୧,୩୦୬ କୋଟି ଟଙ୍କା ହେଉଛି ।

Advertisment

ଅନ୍ୟପକ୍ଷରେ ଏହି ଦୁର୍ନୀତି ସମ୍ପର୍କରେ କେନ୍ଦ୍ର ସରକାର ଯଥେଷ୍ଟ ପୂର୍ବରୁ ବେଶ ଭଲଭାବେ ଅବଗତ ଥିଲେ । କିନ୍ତୁ ଏକ ରହସ୍ୟମୟ କାରଣରୁ ସରକାର କୌଣସି ପଦକ୍ଷେପ ନେଇନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ୨୦୧୫ରୁ କେନ୍ଦ୍ର ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ, ଇଡି, ସେବି, ଏସଏଫଆଇଓ, ମହାରାଷ୍ଚ୍ ସରକାର ଓ ଗୁଜୁରାଟ ସରକାର ଏହି ଦୁର୍ନୀତି ଚାଲିଥିବା ଜାଣିଥିଲେ । କିନ୍ତୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଏପରିକି ଜାନୁଆରୀ ମାସରେ ନିରବ ମୋଦି ଓ ତାର ସବୁ ପରିବାର ବିଦେଶ ଚାଲିଯିବାପରେ ହିଁ ପିଏନବି ପକ୍ଷରୁ ଏଫଆଇଆର ଦିଆଯାଇଥିଲା । ଏହା ସତ୍ତ୍ୱେ ନିରବ ମୋଦି ଡାଭୋସଠାରେ ପ୍ରଧାନମନ୍ତ୍ରୀଙ୍କ ସହ ଗ୍ରୁପଫଟୋ ଉଠାଇଥିଲେ ।