ଭିଡ଼ିଓ ଜାରି କଲା ଚୋକ୍‌ସି: ମୋ ବିରୋଧରେ ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ

ନୂଆଦିଲ୍ଲୀ: ଆଣ୍ଟିଗୁଆରେ ଥିବା ଫେରାର ହୀରା ବ୍ୟବସାୟୀ ମେହୁଲ୍‌ ଚୋକ୍‌ସିଙ୍କର ଏକ ଭିଡିିଓ ଗଣମାଧ୍ୟମରେ ହସ୍ତଗତ ହୋଇଛି। ଏହି ଭିଡ଼ିଓରେ ଚୋକ୍‌ସି କହିଛନ୍ତି ଯେ,ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ଆଣିଥିବା ୨ ବିଲିୟନ୍‌ ଆମେରିକୀୟ ଡ଼ଲାର୍‌ର ଘୋଟାଲା ସଂପୂର୍ଣ୍ଣ ଭିତ୍ତିହୀନ। ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ମାମଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଫସାଇ ଦେଇଛି ବୋଲି ସେ କହିଛନ୍ତି।

ହୀରା ବ୍ୟବସାୟୀ ନିରବ ମୋଦିଙ୍କ ମାମୁ ଚୋକ୍‌ସି ଏବେ ଆଣ୍ଟିଗୁଆର ଏବଂ ବର୍‌ବୁଡାର ନାଗରିକତ୍ୱ ଗ୍ରହଣ କରି ସାରିଛନ୍ତି। ୨୦୧୮ ଜାନୁଆରି ୧୫ ତାରିଖରୁ ସେ ଆଣ୍ଟିଗୁଆର ନାଗରିକ ହୋଇସାରିଥିବା ଜଣାପଡ଼ିଛି।

ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇକୁ ମିଳିଥିବା ଏହି ଭିଡ଼ିଓରେ ଚୋକ୍‌ସି କହିଛନ୍ତି ଯେ,ତାଙ୍କର ପାସ୍‌ପୋର୍ଟ ରଦ୍ଦ ହେବା ନେଇ ସେ ମୁମ୍ବାଇର ଆଞ୍ଚଳିକ ପାସପୋର୍ଟ ଅଫିସ୍‌କୁ ଯେଉଁ ଇ-ମେଲ୍‌ ଲେଖିଥିଲେ ତାହର ଉତ୍ତର ଏଯାବତ୍‌ ଆସିନାହିଁ।

ଅନ୍ୟପକ୍ଷରେ ଇଣ୍ଟରପୋଲ୍‌ ପକ୍ଷରୁ ଜାରି ରେଡ କର୍ଣ୍ଣର ନୋଟିସ୍‌ ପ୍ରତ୍ୟାହାର କରିବାକୁ ଚୋକ୍‌ସି ଆବେଦନ କରିଛନ୍ତି। ଭଗ୍ନ ସ୍ୱାସ୍ଥ୍ୟ, ଗଣମାଧ୍ୟମ ପକ୍ଷପାତିତା ଏବଂ ଭାରତୀୟ ଜେଲ୍‌ ଦୁରାବ୍ୟସ୍ଥା ଆଦି କାରଣ ଦର୍ଶାଇ ତାଙ୍କ ବିରୋଧରେ ନୋଟିସ୍‌ ପ୍ରତ୍ୟାହାର କରାଯାଉ ବୋଲି ଚୋକ୍‌ସି ଇଣ୍ଟରପୋଲ୍‌କୁ କହିଛନ୍ତି। ଇଣ୍ଟରପୋଲର ଏକ ୫ ଜଣିଆ କମିଟି ଆଗରେ ତାଙ୍କର ଯୁକ୍ତି ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର