ନୂଆଦିଲ୍ଲୀ: ସୋମବାର ଦିନ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ ପଞ୍ଜାବ ନେସ୍ନାଲ୍ ବ୍ୟାଙ୍କ୍ର ମୁମ୍ବାଇ ଶାଖାକୁ ସିଲ୍ କରିଛି। ପିଏନ୍ବିର ଏ ଶାଖା ଅରବପତି ଅଳଙ୍କାର ବ୍ୟବସାୟୀ ନିରବ ମୋଦିଙ୍କ ୧୧, ୩୦୦ କୋଟି ଠକେଇରେ ସମ୍ପୃକ୍ତ।
ଦେଶର ବ୍ୟାଙ୍କ୍ ଇତିହାସରେ ସବୁଠୁ ବଡ଼ ଠକେଇ ମାମଲାରେ, ଦେଶର ଦ୍ୱିତୀୟ ବୃହତ୍ ଅର୍ଥଦାତା ପିଏନ୍ବିର ଦୁଇ କର୍ମଚାରୀଙ୍କ ସମେତ ତିନି ଜଣ ଲୋକଙ୍କୁ ଏହି ଅଭିଯୋଗରେ ଗିରଫ କରାଯାଇଛି।
ନିରବ ମୋଦିଙ୍କ ଫାୟାର୍ ଷ୍ଟାର୍ ହୀରା କମ୍ପାନିର ଚିଫ୍ ଫାଇନାନ୍ସିଆଲ୍ ଅଫିସର୍ ବିପୁଳ ଅମ୍ବାନୀଙ୍କୁ ମଧ୍ୟ ସିବିଆଇ ପଚରା ଉଚୁରା କରୁଛି।
ରବିବାର ଦିନ ସିବିଆଇ ମୁମ୍ବାଇ ଅନ୍ତର୍ଗତ ବ୍ରାଡି ରୋଡ୍ରେ ଥିବା ପିଏନ୍ବି ଶାଖାରେ ଜୋର୍ଦାର୍ ତଲାସ ଅଭିଯାନ ଚଳାଇଥିବା କହିଥିଲା। ଏହି ଶାଖାରେ ହିଁ ନିରବ ମୋଦି ଏବଂ ତାଙ୍କ ବ୍ୟବସାୟିକ ଅଂଶୀଦାର ତଥା ମାମୁ ମେହୁଲ ଚୋକ୍ସିଙ୍କ ଠକେଇ ସୃଷ୍ଟି ହୋଇଥିଲା।
ପିଏନ୍ବିର ଦୁଇ ଅଧିକାରୀ ଏବଂ ନିରବ ମୋଦିଙ୍କର ଜଣେ ସିଗ୍ନାଟୋରିଙ୍କୁ ସିବିଆଇ ପଚରା ଉଚୁରା କରୁଛି। ଏମାନଙ୍କ ଛଡ଼ା ଜେନେରାଲ୍ ମ୍ୟାନେଜରସ୍ତରୀୟ ଅଧିକାରୀଙ୍କ ସମେତ ଆଉ ପାଞ୍ଚ ଜଣ ଅଧିକାରୀଙ୍କୁ ମଧ୍ୟ ତଦନ୍ତକାରୀ ଅଧିକାରୀ ପଚରା ପଚରି କରୁଛନ୍ତି। ଏବେ ପଚରା ଯାଉଥିବା ଅଧିକାରୀଙ୍କ ସଂଖ୍ୟା ୧୧ ବୋଲି ଜଣାପଡ଼ିଛି।