ବିଷ ପ୍ରୟୋଗ ମାମଲା : ୫୬ ରୁଷ୍‌ କୂଟନୀତିଜ୍ଞଙ୍କୁ ବହିଷ୍କାର କଲେ ୟୁରୋପୀୟ ରାଷ୍ଟ୍ର

ଶୀତଳ ଯୁଦ୍ଧର ପୂର୍ବାଭାସ!

ମସ୍କୋ: ଗତକାଲି ବିଷ ପ୍ରୟୋଗ ମାମଲାରେ ଆମେରିକା ୬୦ଜଣ ରୁଷ୍‌ କୁଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଆଜି ୟୁରୋପୀୟ ରାଷ୍ଟ୍ର ସଂଘ ମଧ୍ୟ ସେମାନଙ୍କ ଦେଶରେ ଥିବା ୫୬ଜଣ ରୁଷ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି। ଏହି ମାମଲାରେ ଏବେ ବ୍ରିଟେନ୍‌ ସମେତ ୨୦ରୁ ଊର୍ଦ୍ଧ୍ୱ ଦେଶ ରୁଷିଆ ବିରୋଧରେ ଯାଇଛନ୍ତି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ ମଧ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଏଭଳି କାର୍ଯ୍ୟର ବିରୋଧ କରି କଡ଼ା ପଦକ୍ଷେପ ନେବେ ବୋଲି କହିଛନ୍ତି। ତେବେ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ଓ ସେମାନଙ୍କୁ ଗୁଇନ୍ଦା ଆଖ୍ୟା ଦେବା ପଛରେ ଆମେରିକାର ଷଡ଼ଯନ୍ତ୍ର ରହିଥିବା ରୁଷ୍‌ କହିଛି। ରୁଷିଆ ବିରୋଧରେ ଏଭଳି ଅଭିଯୋଗ ଆଣୁଥିବା କୌଣସି ବି ଗୋଟିଏ ରାଷ୍ଟ୍ର ବିଷ ପ୍ରୟୋଗ ମାମଲାରେ ରୁଷ୍‌ର ହାତଥିବା ନେଇ ପ୍ରମାଣ ଦେଇପାରିନାହାନ୍ତି। ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭରଭ କହିଛନ୍ତି ଯେ, ଆମେରିକା ଚାପରେ ଅନ୍ୟ ଦେଶଗୁଡ଼ିକ ରୁଷିଆ ବିରୋଧୀ ହେବାକୁ ବାଧ୍ୟ ହେଉଛନ୍ତି। ତେଣୁ ବର୍ତ୍ତମାନ ରୁଷ୍‌ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ଏହି ବିବାଦ ଶୀତଳଯୁଦ୍ଧର ପୁର୍ବାଭାସ ବୋଲି ଚର୍ଚ୍ଚା ହେଉଛି।

ୟୁରୋପୀୟ ସଂଘ ସଭାପତି ଡୋନାଲ୍ଡ ଟସ୍କ କହିଛନ୍ତି ଯେ ସଂଘର ସମସ୍ତ ସଦସ୍ୟ ସହମତ ହେବାପରେ ରୁଷୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି । ୧୯୪୫ରୁ ୧୯୮୯ ମସିହା ପର୍ଯ୍ୟନ୍ତ ସାମ୍ୟବାଦୀ ସୋଭିଏତ୍‌ ରୁଷ୍‌ ଓ ପୁଞ୍ଜିବାଦୀ ଆମେରିକା ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଅନେକ ସମୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ ଏହା ବାସ୍ତବ ଯୁଦ୍ଧର ରୂପ ନେଇନଥିଲା। ସେହି ସମୟରେ ଦୁଇ ବିଶ୍ୱ ଶକ୍ତି ନିଜକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରିଥିଲେ। ତେବେ ବର୍ତ୍ତମାନ ପରିସ୍ଥିତି ଭିନ୍ନ ଥିବାରୁ ଏହା ଯୁଦ୍ଧର ମୋଡ଼ ନେଇପାରେ ବୋଲି ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସ ପ୍ରଫେସର ମାଇକେଲ କକ୍ସ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୧୯୮୬ ମସିହାରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍‌ ୮୦ଜଣ ରୁଷ୍‌ କୂଟନୀତିଜ୍ଞଙ୍କୁ ଦେଶରୁ ବହିଷ୍କାର କରିଥିଲେ, ଯାହାକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୦୧୬ରେ ଓବାମା ପ୍ରଶାସନ ମଧ୍ୟ ୩୫ ଜଣ ରୁଷ୍‌ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ। ରୁଷ୍‌ ବିରୋଧରେ ଆମେରିକା ଏବେ ନିଜର ମିତ୍ର ରାଷ୍ଟ୍ରଙ୍କୁ ନେଇ ବଡ଼ ଧରଣର ମେଳି ଆରମ୍ଭ କରିଥିବାରୁ ଆଗାମୀ ଦିନରେ ଯୁଦ୍ଧ ଉତ୍ତେଜନା ବଢ଼ିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର