ଋଷ-ୟୁକ୍ରେନ ମଧ୍ୟରେ ଶାନ୍ତି କଥାବାର୍ତ୍ତା ପାଇଁ ଯାଇଥିବା ଋଷ ଶିଳ୍ପପତିଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷ ଆକ୍ରମଣ ଜାରି ରଖିଛି । ଯୁଦ୍ଧ ବନ୍ଦ ସହ ଉଭୟ ଦେଶ ମଧ୍ୟରେ ଶାନ୍ତି ସମ୍ବନ୍ଧରେ ଏପର୍ଯ୍ୟନ୍ତ ଅନେକ ଚେଷ୍ଟା ସତ୍ତ୍ୱେ କୌଣସି ଠୋସ୍ ଫଳାଫଳ ମିଳିପାରି ନାହିଁ। ମାର୍ଚ୍ଚ ୩ ରେ, ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ବନ୍ଦ ନେଇ ହୋଇଥିବା ଆଲୋଚନାରେ ସାମିଲ ଜଣେ ବ୍ୟକ୍ତିଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରିବା ଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି | ଏହି ବୈଠକରେ ଋଷର ଶିଳ୍ପପତି ତଥା ପୁଟିନଙ୍କ ଘନିଷ୍ଠ କୁହାଯାଉଥିବା ରୋମାନ ଆବ୍ରାମୋଭିଚ ମଧ୍ୟ ଯୋଗ ଦେଇଥିଲେ। ତେବେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଏକ ରିପୋର୍ଟରେ କହିଛି ଯେ ଏହି ସଭାରେ ଯୋଗ ଦେଇଥିବା ଚାରିଜଣ ବ୍ୟକ୍ତିଙ୍କୁ ବିଷ ଦିଆଯାଇଥିଲା |

ଆଉ ରୋମାନ ଆବ୍ରାମୋଭିଚଙ୍କୁ ମଧ୍ୟ ବିଷ ଦିଆଯାଇଥିଲା | ବିଷର ପ୍ରଭାବରେ ଆଖି ଲାଲ ହୋଇଯିବା ସଂଗେ ଶରୀରରେ ଯନ୍ତ୍ରଣା ହୋଇଥିଲା । କେବଳ ଏତିକି ନୁହେଁ ରୋମାନ କିଛି ସମୟ ପାଇଁ ଦୃଷ୍ଟିଶକ୍ତି ହରାଇଥିଲେ | ଅବଶ୍ୟ ଚିକିତ୍ସା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି | ରୋମାନ୍ ଆବ୍ରାମୋଭିଚ୍ ୟୁରୋପର ପ୍ରସିଦ୍ଧ ଫୁଟବଲ୍ କ୍ଲବ୍ ଚେଲସିର ମାଲିକ ହୋଇଥିବାବେଳେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ଜଣେ ଘନିଷ୍ଠ ଭାବେ ବେଶ ପରିଚିତ |

ଋଷ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଆଲୋଚନାରେ ରୋମାନ୍ ଆବ୍ରାମୋଭିଚ୍ ପରଦା ପଛରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲେ | କିନ୍ତୁ ତାଙ୍କୁ ବିଷ ଦେଇ ହତ୍ୟା କରିବାର ଉଦ୍ୟମ ଖବର ଶୁଣି ସମଗ୍ର ବିଶ୍ୱ ଚକିତ ହୋଇଯାଇଛି। ତେବେ ଏହା ପଛରେ କାହାର ହାତ ରହିଛି ସେନେଇ ରିପୋର୍ଟରେ କିଛି କୁହାଯାଇନାହିଁ |

ସମ୍ବନ୍ଧିତ ଖବର