ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ସାଂଘାତିକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ଏହାର ପ୍ରତିକାର ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଦିଲ୍ଲୀ ଟ୍ରାଫିକ୍ ପରିଚାଳନା ପକ୍ଷରୁ ଆସନ୍ତା ୧୩ ତାରିଖରୁ ପୁଣି ଥରେ ଗାଡ଼ି ଚଳାଚଳରେ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି। ୧୩ରୁ ୧୭ ତାରିଖ ଯାଏ ଚାରି ଦିନ ପାଇଁ ସକାଳ ୮ରୁ ରାତି ୮ଟା ପର୍ଯ୍ୟନ୍ତ କଡ଼ାକଡ଼ି ଲାଗୁ ହେବାକୁ ଥିବା ଏହି କଟକଣାରୁ ପୂର୍ବ ଭଳି ଦୁଇଚକିଆ ଯାନ, ଗ୍ୟାସ ଚାଳିତ କାର୍ ଏବଂ ସାଙ୍ଗରେ ପିଲାଛୁଆ ଧରି ଯାତ୍ରା କରୁଥିବା ମହିଳା କାର୍ ଚାଳକଙ୍କୁ ଛାଡ଼ ମିଳିବ ବୋଲି ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାସ ଗେହଲଟ ସୂଚନା ଦେଇଛନ୍ତି। ତେବେ ଦିଲ୍ଲୀ ଏବଂ ଆଖପାଖ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଡାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଏହି ସଂକଟଜନକ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ଜରୁରୀ ବୋଲି ଗେହଲଟ କହିଛନ୍ତି।
ଉଲ୍ଲେଖ ଥାଉ କି, ଏହି ନିୟମ ଅନୁଯାୟୀ, ପଞ୍ଜୀକରଣ ନମ୍ବରର ଶେଷ ଅଙ୍କ ଅଯୁଗ୍ମ ଥିବା ବେସରକାରୀ ଗାଡ଼ିଗୁଡ଼ିକ ଅଯୁଗ୍ମ ତାରିଖଗୁଡ଼ିକରେ ରାସ୍ତାକୁ ବାହାରିବେ। ସେହିପରି ଶେଷ ଅଙ୍କ ଯୁଗ୍ମ ଥିବା ବେସରକାରୀ ଗାଡ଼ିଗୁଡ଼ିକ ଯୁଗ୍ମ ତାରିଖରେ ହିଁ ଚଳାଚଳ କରିପାରିବେ। ପୂର୍ବରୁ ପରୀକ୍ଷାମୂଳକ ଭାବେ ଏହି ନିୟମକୁ ଦିଲ୍ଲୀରେ ୨୦୧୬ ଜାନୁଆରି ପହିଲାରୁ ୧୫ ତାରିଖ ଯାଏ ଏବଂ ଏପ୍ରିଲ ୧୪ରୁ ୩୦ ଯାଏ ଲାଗୁ କରାଯାଇଥିଲା। ଦିଲ୍ଲୀ ସରକାର ଏଭଳି କଟକଣା ଲଗାଇ ପ୍ରଦୂଷଣକୁ ଆଶାନୁରୂପ ରୋକିବାରେ ସମର୍ଥ ହୋଇଥିଲେ ବୋଲି ଦାବି କରୁଥିଲା ବେଳେ ଏଥିପାଇଁ ଅନ୍ୟ ସବୁ କାରଣ ମଧ୍ୟ ସହାୟକ ହୋଇଥିଲା ବୋଲି ବିଶେଷଜ୍ଞମାନଙ୍କ ମତ। ଅପରପକ୍ଷେ, ଏହାଦ୍ୱାରା ଯଦିଓ ଅସମ୍ଭବ ଟ୍ରାଫିକ୍ ଗହଳିକୁ କିଛିମାତ୍ରାରେ କମାଯାଇ ଯାତାୟତ ସୁଗମ ହୋଇପାରିଥିଲା, ତେବେ ଲୋକଙ୍କ ସୁବିଧା ଅପେକ୍ଷା ଅସୁବିଧା ବେଶିି ହୋଇଥିଲା ବୋଲି ମଧ୍ୟ କିଛି ବିଶେଷଜ୍ଞ କହିଥିଲେ। ତେବେ ସାମ୍ପ୍ରତିକ ସ୍ଥିତିରେ ଏଭଳି ଟ୍ରାଫିକ କଟକଣା ଅପରିହାର୍ଯ୍ୟ ହୋଇପଡ଼ିଥିବାରୁ ଏହାକୁ ପୁଣି ଲାଗୁ କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/weather2-kgJC-621x414@LiveMint.jpg)