କ୍ରେମ୍‌ଲିନ୍ ସମାଲୋଚକ ଆଲେକ୍ସି ନାଭାଲ୍‌ନିଙ୍କ ହୋଟେଲ୍‌ ରୁମ୍‌ରେ ଥିବା ଖାଲି ପାଣି ବୋତଲ ଉପରେ ବିଷ ଲାଗିଥିଲା

ମସ୍କୋ: ସାଇବେରୀୟ ସହର ଟମ୍‌ସ୍କ୍‌ ହୋଟେଲ୍‌ ରୁମ୍‌ରୁ ମିଳିଥିବା ଗୋଟାଏ ଖାଲି ପାଣି ବୋତଲ ଉପରୁ କ୍ରେମ୍‌ଲିନ୍ ସମ‌ାଲୋଚକ ଆଲେକ୍ସି ନାଭାଲ୍‌ନିଙ୍କୁ ଦିଆଯାଇଥିବା ରାସାୟନିକ ବିଷ ‘ନର୍ଭ ଏଜେଣ୍ଟ୍‌’ର ସତ୍ତା ଚିହ୍ନଟ ହୋଇଥିବା କଥା ଗୁରୁବାର ଦିନ ତାଙ୍କ ଟିମ୍‌ କହିଛି। ତାଙ୍କୁ ବିମାନ ବନ୍ଦରରେ ବିଷ ଦିଆଯାଇଥିଲା ବୋଲି ପୂର୍ବରୁ ଯାହା ଅନୁମାନ କରାଯାଉଥିଲା, ତାହା ନୁହେଁ ବୋଲି ସେମାନେ କହିଛନ୍ତି।

ଗତ ମାସରେ ରୁଷ୍‌ରେ ଏକ ଘରୋଇ ବିମାନରେ ନାଭାଲ୍‌ନି ସେ ସାଙ୍ଘାତିକ ଅସୁସ୍ଥ ‌ହୋଇପଡ଼ିଥିଲେ। ରୁଷ୍‌ରେ ଆଶୁ ଚିକିତ୍ସା କରାଯିବା ପରେ କୋମା ଅବସ୍ଥାରେ ତାଙ୍କୁ ବିମାନ ଯୋଗେ ବର୍ଲିନ୍ ନିଆଯାଇଥିଲା। ଜର୍ମାନି କହୁଛି କି, ତାଙ୍କୁ ‘ନୋଭିଚୋକ୍‌ ରାସାୟନିକ ବିଷ’ ଦିଆଯାଇଛି। କିନ୍ତୁ, ତାଙ୍କୁ ବିଷ ଦିଆଯାଇଥିବାର କୌଣସି ପ୍ରମାଣ ଦେଖାଯାଇ ନାହିଁ ବୋଲି ରୁଷ୍‌ କହୁଛି।

ନାଭାଲ୍‌ନିଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ପୋଷ୍ଟ୍‌ କରାଯାଇଥିବା ଏକ ଭିଡିଓରେ ଦେଖାଯାଉଛି ଯେ, ଅଗଷ୍ଟ ୨୦ ତାରିଖ ଦିନ ଟମ୍‌ସ୍କ୍‌ର ‘ଜାଣ୍ଡର୍‌ ହୋଟେଲ୍‌’ରୁ ସେ ସଦ୍ୟ ବାହାରି ଯାଇଥିବା ରୁମ୍‌ରେ ତାଙ୍କ ଟିମ୍‌ର ସଦସ୍ୟମାନେ ତଲାସ କରୁଛନ୍ତି। ସନ୍ଦିଗ୍ଧ ପରିସ୍ଥିତିରେ ନାଭାଲ୍‌ନି ଅସୁସ୍ଥ ‌ହୋଇପଡ଼ିଥିବା ଖବର ପାଇବାର ଘଣ୍ଟାକ ପରେ ସେମାନେ ହୋଟେଲ୍‌ ରୁମ୍ ତଲାସ କରିଥିଲେ।

Image Courtesy of Voice of America

ପୋଷ୍ଟ୍‌ରେ ଉଲ୍ଲେଖ ଅଛି ଯେ, ଦରକାରୀ ବୋଲି ଅନୁମାନ କରାଯାଉଥିବା ସାମଗ୍ରୀ ସମେତ ସମସ୍ତ ସାମଗ୍ରୀ ଏକତ୍ର କରି ଜର୍ମାନିର ଡାକ୍ତରଙ୍କୁ ହସ୍ତାନ୍ତର କରିବାକୁ ସ୍ଥିର କରାଯାଇଥିଲା। ରୁଷ୍‌ରେ ଏହି ମାମଲା ତଦନ୍ତ କରା ନ ଯିବାର କାରଣ ଖୁବ୍ ସ୍ବାଭାବିକ।

ଭିଡିଓରେ ଆହୁରି ମଧ୍ୟ ଦେଖାଯାଉଛି ଯେ, ଗ୍ଲୋଭ୍ସ୍‌ ପରିଧାନ କରି ଅନ୍ୟାନ୍ୟ ସାମଗ୍ରୀ ସମେତ ନାଭାଲ୍‌ନିଙ୍କ ଟିମ୍ ‘ହୋଲି ସ୍ପ୍ରିଙ୍ଗ୍’ ମିନେରାଲ୍‌ ୱାଟର୍‌ର କେତୋଟି ଖାଲି ବୋତଲ ବ୍ୟାଗ୍‌ରେ ଭର୍ତ୍ତି କରୁଛନ୍ତି।

ଏଥିସହ ପୋଷ୍ଟ୍‌ରେ ଲେଖାଯାଇଛି ଯେ, ଦୁଇ ସପ୍ତାହ ପରେ ଜର୍ମାନ ଲାବ୍ରୋଟରି ଟମ୍‌ସ୍କ୍‌ ହୋଟେଲ୍‌ରୁ ଆସିଥିବା ଖାଲି ପାଣି ବୋତଲ ଉପରେ ‘ନୋଭିଚୋକ୍‌’ ଲାଗିଥିବା ଦେଖିଥିଲେ।

କ’ଣ ପାଇଁ ନାଭାଲ୍‌ନିଙ୍କ ଶରୀରରେ ବିଷକ୍ରିୟା ହୋଇଥିଲା ତାହା ଅନ୍ୟ ପରୀକ୍ଷାଗାର ସବୁ ମଧ୍ୟ ସୁନିଶ୍ଚିତ କରିଥିଲେ। ଆମେ ଏବେ ବୁଝୁଛୁ: ବିମାନ ବନ୍ଦରକୁ ଯିବା ଲାଗି ହୋଟେଲ୍‌ ରୁମ୍ ତ୍ୟାଗ କରିବା ପୂର୍ବରୁ ତାଙ୍କୁ ବିଷ ଦିଆଯାଇଥିଲା।

 

 

 

ସମ୍ବନ୍ଧିତ ଖବର