ଆସାମ ମଦମୃତ୍ୟୁ ୧୧୦ ଡେଇଁଲା

ମୃତକଙ୍କ ପରିବାରକୁ ୨ ଲକ୍ଷ, ଆକ୍ରାନ୍ତଙ୍କୁ ୫୦ ହଜାର ସହାୟତା

ଗୌହାଟୀ: ଆସାମର ଗୋଲଘାଟ ଓ ଜୋରହାଟ ଜିଲ୍ଲାରେ ବିଷାକ୍ତ ଦେଶୀ ମଦ ପିଇ ଗତକାଲି ସୁଦ୍ଧା ୩୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ଆଜି ୧୧୪ରେ ପହଞ୍ଚିଛିି। ଏଥି ସହିତ ୩୬ ମହିଳା ସମେତ ୨୦୦ରୁ ଅଧିକ ଅସୁସ୍ଥ ହୋଇ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଖବର ମିଳିଛି। ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନକମ୍ପା ରାଶି ଏବଂ ଆକ୍ରାନ୍ତମାନଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଅପରପକ୍ଷେ, ବେଳକୁ ବେଳ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ସରକାର ଦେଶୀ ମଦ ପ୍ରସ୍ତୁତିରେ ବ୍ୟବହୃତ ନାଲି ଗୁଡ଼କୁ ନିଷିଦ୍ଧ ଘୋଷଣା କରିଛନ୍ତି। ସେହିପରି ଏଥି ପାଇଁ ଦାୟୀ ଦୁଇ ଜଣ ମଦ ବେପାରୀ ଦେବେନ ବୋରା ଏବଂ ଇନ୍ଦ୍ରକଳ୍ପ ବୋରାଙ୍କ ସମେତ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରଥମେ ଏହି ଅଘଟଣ ହୋଇଥିବା ହାସମିରା ଚା’ ବଗିଚା ଅଞ୍ଚଳରୁ କିଛି ମଦର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେହିପରି ରାଜ୍ୟରେ ୧୫,୦୦୦ ଲିଟର ଦେଶୀ ମଦ ନଷ୍ଟ କରାଯାଇଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଉକ୍ତ ଚା ବଗିଚାରେ କାମ କରୁଥିବା ଶ୍ରମିକମାନେ ଦ୍ରୌପଦୀ ଓରାନ ନାମକ ଜଣେ ମହିଳା ଖୁଚୁରା ମଦ ବେପାରୀଙ୍କ ଘରୁ ଦେଶୀ ମଦ କିଣି ସାଙ୍ଗରେ ନେଇଥିଲେ। ଯେଉଁମାନେ ଏହା ପାନ କରିଛନ୍ତି, ସମସ୍ତଙ୍କର ମୃତ୍ୟୁ ଘଟିଛି। ଏପରିକି ଦ୍ରୌପଦୀଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର