ସେନା ପିଓକେ ହାତକୁ ନେବାକୁ ପ୍ରସ୍ତୁତ, ଆଦେଶକୁ ଅପେକ୍ଷା କରିଛୁ: ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଗୃହମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଉପରେ ଏକ ବଡ଼ ବିବୃତି ଦେଇଥିଲେ। ପିଓକେ ପୁନର୍ବାର ଭାରତ ହାତକୁ ଆସିବା ବୋଲି କହିଥିଲେ ରାଜନାଥ ସିଂହ। ବର୍ତ୍ତମାନ ସେନାର ଉତ୍ତର କମାଣ୍ଡର କମାଣ୍ଡିଂ-ଇନ୍-ଚିଫ୍ ଉପେନ୍ଦ୍ର ଦ୍ୱିବେଦୀ ଗୃହମନ୍ତ୍ରୀଙ୍କ ବିବୃତିକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ସରକାରଙ୍କ ନିର୍ଦ୍ଦେଶ ଯାହା ବି ହେବ, ତାହା ପାଳନ କରାଯିବ।

ଆମେ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛୁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ଯଦି ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରେ ତେବେ ଏହାର ଉପଯୁକ୍ତ ଜବାବ ଦିଆଯିବ। ସୀମାରେ ଶାନ୍ତି ବଜାୟ ରଖିବା ଉଭୟ ଦେଶର ଦାୟିତ୍ୱ। କିନ୍ତୁ ଯଦି ପାକିସ୍ତାନ ଶାନ୍ତି ଭଙ୍ଗ କରିବା ପାଇଁ କୌଣସି ପଦକ୍ଷେପ ନିଏ, ତେବେ ଏହାର ପରିଣାମର ସାମ୍ନା କରିବାକୁ ପ୍ରସ୍ତୁତ ରହୁ ବୋଲି ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ସେନାର ଉତ୍ତର କମାଣ୍ଡର କମାଣ୍ଡିଂ-ଇନ୍-ଚିଫ୍ ଉପେନ୍ଦ୍ର ଦ୍ୱିବେଦୀ।

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ରାଜନାଥ ସିଂ ଜମ୍ମୁ କଶ୍ମୀର ଗସ୍ତ କରିଥିଲେ। ଏହି ଗସ୍ତ ସମୟ‌ରେ ସେ କହିଥିଲେ ଯେ, ପାକିସ୍ତାନ ଅକ୍ତିଆର କରିଥିବା କଶ୍ମୀର (ପିଓକେ)ରେ ପାକ୍ ଯାହା କରିଛି ତାହା ମୂଲ୍ୟ ତାଙ୍କୁ ଦେବାକୁ ପଡିବ। ପାକିସ୍ତାନ ପିଓକେରେ ଥିବା ଲୋକଙ୍କ ଉପରେ ଅତ୍ୟାଚାର କରୁଛି ଏବଂ ତାକୁ ଏହାର ପରିଣାମର ମଧ୍ୟ ସାମ୍ନା କରିବାକୁ ପଡିବ। ସେ ଆହୁରି ମଧ୍ୟ କହିଥିଲେ ଯେ ଆମେ କଶ୍ମୀରର ବିକାଶ କାର୍ଯ୍ୟ ଆରମ୍ଭ କରିଛୁ, କିନ୍ତୁ ଆମେ ଗିଲ୍ଗିଟ୍-ବାଲ୍ଟିସ୍ତାନରେ ପହଞ୍ଚିବା ପର୍ଯ୍ୟନ୍ତ ଅଟକିବୁ ନାହିଁ।

ସମ୍ବନ୍ଧିତ ଖବର