ପିଓକେ, ଅକ୍ସାଇ ଚୀନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ: ଶାହ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଏବଂ ଅକ୍ସାଇ ଚୀନ୍ ଜମ୍ମୁ କଶ୍ମୀରର ଅବିଚ୍ଛେଦ୍ୟ ଅଙ୍ଗ। ସେହିଭଳି ଜମ୍ମୁ କଶ୍ମୀର ମଧ୍ୟ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଲୋକସଭାରେ ଆଜି ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସମ୍ବିଧାନର ଧାରା ୩୭୦ର କେତେକ ବ୍ୟବସ୍ଥାର ଉଚ୍ଛେଦ ଏବଂ ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍ ୨୦୧୯ ସମ୍ପର୍କିତ ବିଲ୍ ଲୋକସଭାରେ ଆଗତ କରିବା ଅବସରରେ ଶାହ କହିଛନ୍ତି, ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ କରିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା। ଏହି ଦାବିକୁ ନରେନ୍ଦ୍ର ମୋଦୀ ସରକାର ପୂରଣ କରିଛନ୍ତି। କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ-ଏଥିରେ କାହାରି କୌଣସି ସନ୍ଦେହ ରହିବା ଉଚିତ ନୁହେଁ। ଯେତେବେଳେ ସେ ଜମ୍ମୁ କଶ୍ମୀର କଥା କହୁଛନ୍ତି ସେତେବେଳେ ସେଥିରେ ପିଓକେ ଏବଂ ଅକ୍ସାଇ ଚୀନ ମଧ୍ୟ ସାମିଲ ରହିଛି। ଏଥିପାଇଁ ଆମେ ମରିବାକୁ ପ୍ରସ୍ତୁତ ବୋଲି ଶାହା କହିଛନ୍ତି।

ଏହି ବିଲ୍ ଆଗତ ଏବଂ ସଂକଳ୍ପନାମା ଲୋକଙ୍କ ଅଧିକାରକୁ କ୍ଷୁଣ୍ଣ କରୁଛି ବୋଲି ବିରୋଧୀମାନେ ମତବ୍ୟକ୍ତ କରିବା ପରେ ଶାହ କହିଥିଲେ କଶ୍ମୀର ସମ୍ପର୍କରେ ସଂସଦରେ ସଂପଳ୍ପ ଆଣିବାରେ ତାଙ୍କୁ କେହି ରୋକିପାରିବେ ନାହିଁ। ଉଲ୍ଲେଖଯୋଗ୍ୟ ‌ଯେ, ପିଓକେ ଏବେ ପାକିସ୍ତାନ ଅଧୀନରେ ଥିବାବେଳେ ଅକ୍ସାଇ ଚୀନ ଚୀନ୍‌ ଅଧୀନରେ ରହିଛି। ଶାହଙ୍କ ବକ୍ତବ୍ୟ ବେଳେ ଲୋକସଭାରେ କଂଗ୍ରେସ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ହସ୍ତକ୍ଷେପ କରି କହିଥିଲେ ଜମ୍ମୁ କଶ୍ମୀରରୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଦେବା ପରେ ଏହା ‌ଏବେ ବି ଦେଶର ଆଭ୍ୟନ୍ତରୀଣ ମାମଲା ହୋଇ ରହିଛି କି? ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କିଛିଦିନ ପୂର୍ବେ ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓଙ୍କୁ କହିଥିଲେ କଶ୍ମୀର ଏକ ଦ୍ବିପାକ୍ଷିକ ପ୍ରସଙ୍ଗ। ଏଥିରେ ତୁମେ ହସ୍ତକ୍ଷେପ କରନାହିଁ। ତେଣୁ ଜମ୍ମୁ କଶ୍ମୀର ଏବେ ବି ଆଭ୍ୟନ୍ତରୀଣ ମାମଲା ହୋଇ ରହିଛି କି ବୋଲି କଂଗ୍ରେସ ଦଳ ଜାଣିବାକୁ ଚାହୁଛି ବୋଲି ଶ୍ରୀ ଚୌଧୁରୀ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତରରେ ଶାହ କହିଥିଲେ, କଂଗ୍ରେସ ଦଳ କଣ ଏହି ପରାମର୍ଶ ଦେଉଛି ଯେ, କଶ୍ମୀର ପ୍ରସଙ୍ଗରେ ଜାତିସଂଘ ମଧ୍ୟସ୍ଥତା କରୁ? ଜମ୍ମୁ କଶ୍ମୀର ସମ୍ପର୍କରେ କୌଣସି ଆଇନ ପ୍ରସ୍ତୁତ କରିବାରେ ସଂସଦକୁ ଅଟକାଯାଇ ପାରିବ ନାହିଁ ବୋଲି ଶାହ କହିଥିଲେ।

ସମ୍ବନ୍ଧିତ ଖବର