ପାକ୍‌ର ସବୁ ଚାଲ୍‌ ପଣ୍ଡ, ଅନୁପ୍ରବେଶକାରୀଙ୍କୁ ଇମ୍ରାନଙ୍କ ସମର୍ଥନ

ପିଓକେ ବାସିନ୍ଦା ଏଲ୍‌ଓସି ଅତିକ୍ରମ ନ କରିବାକୁ କହିଲେ

ଇସ୍‌ଲାମାବାଦୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପୁଣି କଶ୍ମୀରକୁ ନେଇ ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେଇଛନ୍ତି। କଶ୍ମୀରରେ ପାକିସ୍ତାନ ପଟୁ ଅନୁପ୍ରବେଶକୁ ସମର୍ଥନ କରି ଇମ୍ରାନ କହିଛନ୍ତି ଯେ ପାକିସ୍ତାନ ପଟୁ ଯେଉଁମାନେ କଶ୍ମୀରୀ ବାସିନ୍ଦାଙ୍କୁ ସହାୟତା କରିବାକୁ ଯାଉଛନ୍ତି ସେମାନଙ୍କୁ ଆତଙ୍କବାଦୀ ଆଖ୍ୟା ଦିଆଯାଇ ପାରିବ ନାହିଁ। ଭାରତ କିନ୍ତୁ ଏଭଳି ମାମଲାକୁ ପାକିସ୍ତାନ ପ୍ରାୟୋଜିତ ଇସ୍‌ଲାମିକ ଆତଙ୍କବାଦ ବୋଲି ବିଶ୍ବ ସମୁଦାୟକୁ ଜଣାଉଛି ବୋଲି ଇମ୍ରାନ କହିଛନ୍ତି। ସୀମାରେ ଭାରତୀୟ ସେନାର ସୁରକ୍ଷା ଅତ୍ୟନ୍ତ କଡ଼ାକଡ଼ି ହୋଇଥିବାରୁ ପାକିସ୍ତାନ ସେନା ଏବଂ ଆଇଏସ୍‌ଆଇ ସହାୟତାରେ ହେଉଥିବା ଆତଙ୍କବାଦୀଙ୍କ ଅନେକ ବଡ଼ ଅନୁପ୍ରବେଶ ଯୋଜନା ପଣ୍ଡ ହୋଇଯାଇଛି। କଶ୍ମୀରରେ ହିଂସା ସୃଷ୍ଟି କରିବା ପାଇଁ ପାକିସ୍ତାନର ସବୁ ପ୍ରୟାସ ବିଫଳ ହୋଇଥିବାରୁ ଏବେ ଇମ୍ରାନ ଅନୁପ୍ରବେଶକାରୀଙ୍କୁ ଖୋଲାଖୋଲି ପ୍ରୋତ୍ସାହନ ଦେଉଥିବା ଦେଖିବାକୁ ମିଳିଛି। ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ପଟୁ ଆତଙ୍କବାଦୀମାନେ ବିପୁଳ ଅସ୍ତ୍ରଶସ୍ତ୍ର ସହ ଭାରତରେ ପଶିବାକୁ ଉଦ୍ୟମ କରୁଥିଲେ ମଧ୍ୟ ସେନାର ତ୍ବରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସେମାନେ ନିପାତ ହେଉଛନ୍ତି କିମ୍ବା ପୁଣି ଛତ୍ରଭଙ୍ଗ ଦେଇ ପିଓକେ ପଳାଇ ଯିବାକୁ ବାଧ୍ୟ ହେଉଛନ୍ତି। ଆଜି ଇମ୍ରାନ୍‌ ଟ୍ବିଟ୍‌ କରି କହିଛନ୍ତି, ପିଓକେ ବାସିନ୍ଦା ଏଲ୍‌ଓସି ଅତିକ୍ରମ କରିବା ଉଚିତ ନୁହେଁ।
କଶ୍ମୀରରେ ୨ ମାସ ଧରି ସୁରକ୍ଷା ଦୃଷ୍ଟିରୁ ଲଗାଯାଇଥିବା କଟକଣାକୁ ଇମ୍ରାନ ବିରୋଧ କରି ଏହାକୁ ଅମାନବୀୟ ବୋଲି କହିବା ସହ ଆଗକୁ ଏଥିପାଇଁ ହିଂସା ବଢ଼ିବ ବୋଲି କହିଛନ୍ତି। ତେବେ ଜମ୍ମୁ କଶ୍ମୀରରେ ସ୍ଥିତି ସୁଧୁରୁଥିବାରୁ ଏହା ପାକିସ୍ତାନକୁ ଅଧିକ ବିଚଳିତ କରିଛି। ସେନା ଉପରେ ପଥର ଆକ୍ରମଣ ପାଇଁ ବିଚ୍ଛିନ୍ନତାବାଦୀଙ୍କୁ ପାକିସ୍ତାନର ଅର୍ଥ ଯୋଗାଣକୁ ରୋକିବାରେ ଭାରତ ସମର୍ଥ ହୋଇଥିବାରୁ ଏ ପର୍ଯ୍ୟନ୍ତ କୌଣସି ଆକ୍ରମଣ ସମ୍ଭବ ହୋଇପାରିନାହିଁ। ଇତିମଧ୍ୟରେ କଶ୍ମୀରରେ ଜନସାଧାରଣ ମଧ୍ୟ ସେନା ଓ ପୁଲିସ ପ୍ରଶାସନର ସମର୍ଥନରେ ଆଗଭର ହେଉଥିବାରୁ ବିଚ୍ଛିନ୍ନତାବାଦୀଙ୍କୁ ବଡ଼ ଝଟ୍‌କା ମିଳିଛି।

ସମ୍ବନ୍ଧିତ ଖବର