ଓଡ଼ିଶା ଆବେଦନର ଶୁଣାଣି ଆଜି

ସୁପ୍ରିମକୋର୍ଟରେ ପୋଲାଭରମ ପ୍ରକଳ୍ପ

ନୂଆଦିଲ୍ଲୀ: ଆସନ୍ତାକାଲି ସୁପ୍ରିମକୋର୍ଟରେ ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ସମ୍ପର୍କିତ ମାମଲାର ଶୁଣାଣି ହେବ। ଗତ ଶୁକ୍ରବାର ଦିନ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ପାଇଁ ଓକିଲ ରାଧେଶ୍ୟାମ ଜେନା ଆବେଦନ କରିଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଦ୍ୱାରା ପୋଲାଭରମ ପ୍ରକଳ୍ପ ବିରୋଧରେ ଏକାଧିକ ମାମଲା ବିଚାର ଅପେକ୍ଷାରେ ରହିଥିବାବେଳେ ଦୀର୍ଘ ଦିନରୁ କୌଣସି ଶୁଣାଣି ହୋଇନାହିଁ। ତେବେ ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତାକୁ ବିରୋଧ ମାମଲାରେ ଆସନ୍ତାକାଲିର ଶୁଣାଣି ହେବ।

୨୦୧୬ ଅକ୍ଟୋବର ପହିଲାରେ ରାଜ୍ୟ ସରକାର ପିଟିସନ୍‌ ଦାଖଲ କରିଥିଲେ। ଓଡ଼ିଶା ସରକାରଙ୍କ ଦ୍ୱାରା ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଆଇନର ଧାରା ୯୦କୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଥିଲା। ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଆଇନର ଧାରା ୯୦ ଅନ୍ତର୍ଗତ ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ମିଳିଥିଲା। ମାମଲାରେ କର୍ଣ୍ଣାଟକ ଓ ମହାରାଷ୍ଟ୍ରକୁ ପକ୍ଷଭୁକ୍ତ କରିବା ଆବେଦନକୁ କୋର୍ଟ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟ ଓଡ଼ିଶାର ଆବେଦନ ଗ୍ରହଣ କରି କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ନୋଟିସ ଜାରି କରି ଜବାବ ତଲବ କରିଥିଲେ। ହେଲେ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଦୀର୍ଘଦିନ ଧରି ନହେବା ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଏହି ପ୍ରକଳ୍ପ କାର୍ଯ୍ୟକୁ ଶେଷ କରିବାପାଇଁ କରାଯାଉଥିବା ପ୍ରୟାସ ପୃଷ୍ଠଭୂମିିରେ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ରାଜ୍ୟ ସରକାରଙ୍କ ଓକିଲ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ମିଳିଥିବା ସୂଚନା ଅନୁସାରେ ଏହି ମାମଲାରେ ଓଡ଼ିଶା ପକ୍ଷକୁ ଉପସ୍ଥାପନ କରିବାପାଇଁ ଜଣାଶୁଣା ଓକିଲ ଗୋପାଳ ସୁବ୍ରମଣ୍ୟମଙ୍କୁ ନିୟୋଜିତ କରାଯିବ।

ସମ୍ବନ୍ଧିତ ଖବର