ପୋଲାଣ୍ଡ୍‌ ବିସ୍ଫୋରଣ ରୁଷୀୟ କ୍ଷେପଣାସ୍ତ୍ର ଯୋଗୁଁ ନ ହୋଇ ଥାଇପାରେ: ‘ଜି ୨୦’ ଜରୁରୀ ବୈଠକରେ କହିଲେ ବାଇଡେନ୍‌

ବାଲି: ପୋଲାଣ୍ଡ୍‌ରେ ୨ଜଣଙ୍କ ମୃତ୍ୟୁର କାରଣ ହୋଇଥିବା ବିସ୍ଫୋରଣ ବିଷୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତା’ର ‘ନାଟୋ’ ମିତ୍ରମ‌ାନେ ତଦନ୍ତ କରୁଛନ୍ତି। କିନ୍ତୁ, ରୁଷ୍‌ ନିକ୍ଷେପ କରିଥିବା କ୍ଷେପଣାସ୍ତ୍ର ଯୋଗୁଁ ତାହା ଘଟି ନ ଥାଇ ପାରେ ବୋଲି ପ୍ରାରମ୍ଭିକ ସୂଚନାରୁ ଜଣାପଡୁଥିବା କଥା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।

ଆଜି ଇଣ୍ଡୋନେସିଆର ବାଲିରେ ‘ଜି୨୦’ ଶିଖର ସମ୍ମଳନୀରେ ଏକତ୍ର ବିଶ୍ବନେତାମାନଙ୍କର ଜରୁରୀ ବୈଠକରେ ରାଷ୍ଟ୍ରପତି ବାଇଡେନ୍‌ ଏ କଥା କହିଛନ୍ତି। ରୁଷୀୟ ନିର୍ମିତ କ୍ଷେପଣାସ୍ତ୍ର ମାଡ଼ରେ ପୋଲାଣ୍ଡ୍‌ରେ ମାରାତ୍ମକ ବିସ୍ଫୋରଣ ଘଟିଥିବା କଥା ୟୁକ୍ରେନ୍‌ ଓ ପୋଲାଣ୍ଡ୍‌ର କର୍ତ୍ତୃପକ୍ଷମାନେ କହିବା ପରେ ଉପରୋକ୍ତ ଜରୁରୀ ବୈଠକ ବସିଥିଲା।

ରୁଷ୍‌ ଉକ୍ତ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ବୋଲି ଏବେଠୁ କହି ହେବ ନାହିଁ କି, ବୋଲି ପଚରାଯିବାରୁ ବାଇଡେନ୍‌ କହିଲେ, ପ୍ରାଥମିକ ସୂଚନା ଏହାର ବିରୋଧାଭାସ କରୁଛି। ତଦନ୍ତ ଶେଷ ନ କରିବା ପର୍ଯ୍ୟନ୍ତ ମୁଁ ସେ କଥା କହିବି ନାହିଁ। କିନ୍ତୁ, ରୁଷ୍‌ରୁ ଏହା ନି‌କ୍ଷେପ ହୋଇଥିବା ପରି ମନେହେଉନାହିଁ, ତଥାପି ଦେଖିବା। କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ ଆମେରିକା ଓ ‘ନାଟୋ’ ରାଷ୍ଟ୍ରମାନେ ପୂଙ୍ଖାନୁପୁଙ୍ଖ ତଦନ୍ତ କରିବେ।

Image Courtesy of CNN

ହ୍ବାଇଟ୍‌ ହାଉସ୍‌ କହିଛି, ୟୁକ୍ରେନ୍‌ ସୀମାନ୍ତ ନିକଟ ‌ପୂର୍ବ ପୋଲାଣ୍ଡ୍‌ରେ ପ୍ରେଓଡ୍‌ ଗ୍ରାମରେ ବିସ୍ଫୋରଣ ଘଟି ୨ଜଣ ଲୋକଙ୍କର ମୃତ୍ୟୁ ଘଟିବାରୁ ବାଇଡେନ୍‌ ଉକ୍ତ ବୈଠକ ଡକାଇଥିଲେ।

ବାଇଡେନ୍‌ କହିଛନ୍ତି, ୟୁକ୍ରେନ୍‌ ସୀମାନ୍ତ ନିକଟ ଗ୍ରାମୀଣ ପୋଲାଣ୍ଡ୍‌ରେ ଘଟିଥିବା ବିସ୍ଫୋରଣ ଘଟଣାରେ ପୋଲାଣ୍ଡ୍‌ ଚଳାଇଥିବା ତଦନ୍ତରେ ସହଯୋଗ କରିବାକୁ ଆମେ ରାଜି। ଆମେ ଘଟଣାର ସତ୍ୟତା ଜାଣି ପାରିବୁ ବୋଲି ସେମାନେ ସୁନିଶ୍ଚିତ।

ଏହି ବୈଠକରେ ଆମେରିକା, ଜର୍ମାନି, କାନଡା, ନେଦର୍‌ଲାଣ୍ଡ୍‌ସ୍‌, ଜାପାନ, ସ୍ପେନ୍‌, ଇଟାଲି, ଫ୍ରାନ୍ସ୍‌ ଏବଂ ଇଂଲଣ୍ଡ୍‌ ଆଦି ଦେଶ ଭାଗ ନେଇଛନ୍ତି।

ସମ୍ବନ୍ଧିତ ଖବର