ମସ୍କୋ: ୟୁକ୍ରେନ୍କୁ ନାଜି ପ୍ରଭାବରୁ ସଂପୂର୍ଣ୍ଣ ମୁକ୍ତ କରିବା ପାଇଁ ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ସାମରିକ ଅଭିଯାନ ଜାରି ରହିବ ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂର୍ବରୁ ଘୋଷଣା କରିଥିବା ବେଳେ ୟୁକ୍ରେନ୍ ପରେ ଆଉ ୬ଟି ରାଷ୍ଟ୍ର ପାଇଁ ମଧ୍ୟ ବିପଦ ଘନଉଛି। ରୁଷ୍ ଟାର୍ଗେଟ୍ରେ ପୋଲାଣ୍ଡ, ଲିଥୁଆନିଆ, ମାଲଡୋଭା, କଜାଖସ୍ତାନ, ଲାଟଭିଆ ଏବଂ ଏଷ୍ଟୋନିଆ ରହିଛି ଏବଂ ଏସବୁ ରାଷ୍ଟ୍ରକୁ ନାଟୋର ସୁରକ୍ଷା ବଳୟରେ ରହିବାକୁ ରୁଷ୍ ଦେବନାହିଁ ବୋଲି ଆଶଙ୍କା କରାଯାଉଛି। ଏଥିପାଇଁ ରୁଷ୍ର ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ହୋଇଛି ବୋଲି ମଧ୍ୟ ଅନେକ ୟୁରୋପୀୟ ଯୁଦ୍ଧନୀତି ବିଶେଷଜ୍ଞ ମତ ରଖିଛନ୍ତି। ରୁଷ୍ ସଂସଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯେ ଆଉ ୬ଟି ରାଷ୍ଟ୍ରକୁ ସଂପୂର୍ଣ୍ଣ ନାଜିବିହୀନ ତଥା ନାଜି ପ୍ରଭାବରୁ ମୁକ୍ତ କରିବା ଜରୁରୀ ହୋଇପଡ଼ିଛି। ୟୁରୋପୀୟ ସଂଘ ଏବଂ ନାଟୋର ସଦସ୍ୟ ଥିବା ଇଷ୍ଟୋନିଆ, ଲାଟଭିଆ ଏବଂ ଲିଥୁଆନିଆକୁ ରୁଷ୍ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ବିଶାଳ ଯୋଜନା ପ୍ରସ୍ତୁତ ରଖିଛି ଏବଂ ୟୁକ୍ରେନ୍ ଯୁଦ୍ଧ ପରେ ଏହି ରାଷ୍ଟ୍ରମାନଙ୍କ ଉପରେ ଯେ କୌଣସି ସମୟରେ ଆକ୍ରମଣ ହୋଇପାରେ। ନାଟୋ ରାଷ୍ଟ୍ରମାନଙ୍କ ମିଳିତ ଆକ୍ରମଣର ମୁକାବିଲା ନିମନ୍ତେ ପରମାଣୁ ଅସ୍ତ୍ର ପ୍ରୟୋଗ ପାଇଁ ଧମକ ଦେଉଥିବା ରୁଷ୍କୁ କିଭଳି ରୋକିହେବ ସେ ନେଇ ନାଟୋ ରାଷ୍ଟ୍ରମାନଙ୍କ ଚିନ୍ତା ବଢ଼ିଛି।
ଗତକାଲି ପୋଲାଣ୍ଡ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ତେବେ ଆମେରିକା ଓ ନାଟୋର ରଣନୀତି ନେଇ ପୋଲାଣ୍ଡ୍ ରୁଷ୍ ବିରୋଧରେ ସକ୍ରିୟ ଥିବାରୁ ପୁଟିନ୍ଙ୍କ ପରବର୍ତ୍ତୀ ଟାର୍ଗେଟ୍ ପୋଲାଣ୍ଡ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ୟୁକ୍ରେନ୍ରେ ଯୁଦ୍ଧ ବନ୍ଦ କରିବା ପାଇଁ ଜାତିସଂଘ, ଆମେରିକା ଓ ନାଟୋର ଚାପକୁ ତିଳେ ବି ଖାତିର କରୁନଥିବା ପୁଟିନଙ୍କର ଯୋଜନା ନେଇ ସମସ୍ତେ ଅନ୍ଧାରରେ ଅଛନ୍ତି। ପୁଟିନ ଏବେ ୟୁକ୍ରେନ୍କୁ ସଂପୂର୍ଣ୍ଣ ମାଟିରେ ମିଶାଇ ଦେବାକୁ ଯୋଜନା କରି ଯୁଦ୍ଧ ଲମ୍ବାଇବାକୁ ଚାହୁଛନ୍ତି ବୋଲି ୟୁକ୍ରେନ୍ କହିଛି। ଅନ୍ୟପକ୍ଷରେ ରୁଷ୍ ଲମ୍ବା ଯୁଦ୍ଧ ଚାହୁନାହିଁ ଏବଂ ରୁଷ୍ ପାଖରେ ଗୁଳିଗୋଳାର ଘୋର ଅଭାବ ଦେଖାଦେଇଛି ବୋଲି ପଶ୍ଚିମ ଗଣମାଧ୍ୟମର ରିପୋର୍ଟ ଭୁଲ୍ ପ୍ରମାଣିତ ହୋଇଛି। ନାଟୋରେ ସାମିଲ ହେବାକୁ କୌଣସି ଯୋଜନା ନାହିଁ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନ୍ସ୍କି ଏବେ ବାରମ୍ବାର ବୟାନ ଦେଉଥିଲେ ମଧ୍ୟ ରୁଷ୍ ତା’ର ଅଭିଯାନରୁ ଓହରିବାର ସାମାନ୍ୟ ସଙ୍କେତ ବି ଦେଇନାହିଁ। ଅନ୍ୟପକ୍ଷରେ କଠୋର ଆର୍ଥିକ କଟକଣା ଯୋଗୁଁ ରୁଷ୍ ତଳିତଳାନ୍ତ ହୋଇଯିବ ବୋଲି ଯାହା କୁହାଯାଉଥିଲା ତାହାକୁ ମଧ୍ୟ ରାଷ୍ଟ୍ରପତି ପୁଟିନ୍ ଭୁଲ୍ ପ୍ରମାଣିତ କରିବାରେ ଲାଗିଛନ୍ତି।