ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବିବାଦୀୟ ପୋଲାଭରମ ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାର ଚୁଡ଼ାନ୍ତ ଶୁଣାଣି ଜୁଲାଇ ମାସ ତୃତୀୟ ସପ୍ତାହରେ ହେବ। ଏଥିପୂର୍ବରୁ ଏହି ମାମଲାରେ ପକ୍ଷଭୁକ୍ତ ରାଜ୍ୟଗୁଡ଼ିକ ପ୍ରକଳ୍ପ ସମ୍ପର୍କିତ ପ୍ରସଙ୍ଗକୁ ପରସ୍ପର ମଧ୍ୟରେ ବିଚାରବିମର୍ଶ କରି ଦାଖଲ କରିବାପାଇଁ ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପୋଲାଭରମ ମାମଲାରେ ୧୨ଟି ପ୍ରସଙ୍ଗ ଏକ୍ରତିତ କରାଯାଇ ପ୍ରସଙ୍ଗ ଅନ୍ତର୍ଗତ ଶୁଣାଣି କରାଯିବାପକୁ ନିବେଦନ କରାଯାଇଥିଲା। ଆଜି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟମ୍ଙ୍କ ଦ୍ୱାରା ପୋଲାଭରମ ପ୍ରକଳ୍ପର ବନ୍ୟାଜଳ ନିଷ୍କାସନ କ୍ଷମତା ବୃଦ୍ଧି କରାଯାଇଥିବା ଯୋଗୁଁ ଏହାର ପ୍ରତିକୂଳ ପ୍ରଭାବ ଅର୍ଥାତ୍ ବ୍ୟାକ୍ ଓ୍ଵାଟର ସମସ୍ୟା ଦ୍ୱାରା ମାଲ୍କାନାଗିରି ଜିଲ୍ଲାର ଆଦିବାସୀଗ୍ରାମଗୁଡ଼ିକ ଜଳମଗ୍ନ ହେବା ଆଶଙ୍କା ନେଇ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ଅନୁରୂପ ଆପତ୍ତି ତେଲେଙ୍ଗାନା ରାଜ୍ୟର ଓକିଲ ସିଏସ୍ ବୈଦ୍ୟନାଥଙ୍କ ଦ୍ୱାରା ମଧ୍ୟ ହୋଇଥିଲା। ବ୍ୟାକ୍ଓ୍ଵାଟର ସମସ୍ୟାର ଉଚିତ୍ ତଥା ବୈଷୟିକ ଅଧ୍ୟୟନ କରାଗଲେ ଏହାର ପ୍ରଭାବ ସମ୍ପର୍କରେ ଏକ ସ୍ପଷ୍ଟଚିତ୍ର ଉପଲବ୍ଧ ହେବ ବୋଲି ଉଭୟ ଓଡ଼ିଶା ଓ ତେଲେଙ୍ଗାନାର ଓକିଲମାନଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଖଣ୍ଡପୀଠ ବ୍ୟାକ୍ ଓ୍ଵାଟର ସମସ୍ୟା ସମ୍ପର୍କରେ ଓଡ଼ିଶା ଓ ତେଲେଙ୍ଗାନାର ଆପତ୍ତି ସମ୍ପର୍କରେ କେନ୍ଦ୍ର ସରକାର ଓ ଆନ୍ଧ୍ର ସରକାରଙ୍କ ଓକିଲଙ୍କୁ ପ୍ରଶ୍ନ କରିବାରୁ ଉଭୟ ରାଜ୍ୟ ବ୍ୟାକ୍ ଅବଗତ ଥିବା ସ୍ୱୀକାର କରିଥିଲେ। ଓଡ଼ିଶା ଓ ତେଲେଙ୍ଗାନା ଦ୍ୱାରା ବ୍ୟାକ୍ ଓ୍ଵାଟର ସମସ୍ୟାକୁ ନେଇ ଯେଉଁ ଚିନ୍ତା ବ୍ୟକ୍ତ କରାଯାଇଛି ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅନୁଧ୍ୟାନ କରିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀରେ କହିଥିଲେ। ଓଡ଼ିଶା ଓ ତେଲେଙ୍ଗାନାକୁ ବାଦ୍ ଦେଇ ପକ୍ଷଭୁକ୍ତ ଥିବା ଅନ୍ୟ ୪ଟି ରାଜ୍ୟ ପ୍ରସଙ୍ଗ ଧାର୍ଯ୍ୟ କରିନଥିବାରୁ ଏହି ମାମଲାର ଶୁଣାଣିିକୁ ଜୁଲାଇ ତୃତୀୟ ସପ୍ତାହକୁ ଘୁଞ୍ଚାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/pola.jpg)