ପୋଲାଭରମ୍ ମାମଲା : ସୁପ୍ରିମକୋର୍ଟରେ ଛତିଶଗଡ଼ର ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟରେ ଛତିଶଗଡ଼ ଦ୍ବାରା ସତ୍ୟପାଠ ଦାଖଲ କରାଯାଇଛି। ତେଲେଙ୍ଗାନା ଦ୍ବାରା ସୁପ୍ରିମକୋର୍ଟରେ ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଦାଖଲ କରାଯାଇଥିବା ମୂଳ ମାମଲା ଉପରେ ଉତ୍ତର ରଖି ଛତିଶଗଡ଼ ସତ୍ୟପାଠ ଦାଖଲ କରିଛି। । ପୋଲାଭରମ ପ୍ରକଳ୍ପ ସମ୍ପର୍କରେ ତେଲେଙ୍ଗାନାର ଯେଉଁସବୁ ଆପତ୍ତି ଅଭିଯୋଗ ରହିଛି ତାହାକୁ ଛତିଶଗଡ଼ ସମର୍ଥନ କରିଛି। ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଛତିଶଗଡ଼ ଦ୍ବାରା ଯେଉଁ ମୂଳ ମାମଲା ଦାଖଲ କରାଯାଇଥିଲା ସେଥିରେ ପ୍ରକଳ୍ପକୁ ୨୦୦୫ରେ କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରାଳୟ ଦ୍ବାରା ପ୍ରଦାନ କରାଯାଇଥିବା ପରିବେଶ ମଂଜୁରିକୁ ବେଆଇନ ଓ ଅବୈଧ ଘୋଷଣା କରାଯିବା, ରାଜ୍ୟ ସହିତ ବିଚାରବିମର୍ଶ ନକରି ପ୍ରକଳ୍ପ ନିର୍ମାଣକୁ ବେଆଇନ ଘୋଷଣା କରାଯିବା, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ଏପ୍ରିଲ ୧୭, ୨୦୦୭ର ଥଇଥାନ ଓ କ୍ଷତିପୂରଣ ନୀତିକୁ ବେଆଇନ ଘୋଷଣା କରାଯିବା, କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରାଳୟ ଦ୍ବାରା ୨୬,୧୨ ୨୦୦୮ ଓ ୨୮/୭ ୨୦୧୦ରେ ପ୍ରଦାନ କରାଯାଇଥିବା ଜଙ୍ଗଲ ମଂଜୁରିକୁ ବେଆଇନ ଘୋଷଣା କରିବା ଭଳି ବିଷୟଗୁଡ଼ିକୁ ଛତିଶଗଡ଼ ପୁଣିଥରେ ସତ୍ୟପାଠରେ ଦର୍ଶାଇଛି। ସେହିପରି ପୋଲାଭରମ ପ୍ରକଳ୍ପ ନିର୍ମାଣ‌ରେ ଆନ୍ଧ୍ରପ୍ରଦେଶ ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ସର୍ତ୍ତ ଉଲ୍ଳଂଘନ କରିଥିବା ଛତିଶଗଡ଼ ସତ୍ୟପାଠରେ ଦର୍ଶାଇଛି। ପ୍ରକଳ୍ପ ନିର୍ମାଣରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଓ କେନ୍ଦ୍ର ଜଳ ଆୟୋଗର ନିୟମକୁ ମଧ୍ୟ ପାଳନ କରାଯାଇନାହିଁ ବୋଲି ସତ୍ୟପାଠରେ କୁହାଯାଇଛି। ଅନ୍ୟପକ୍ଷେ ଛତିଶଗଡ଼ରେ ୧୩ଟି ଗ୍ରାମ ଜଳମଗ୍ନ ହେବା ସହ ୬ ହଜାର ଏକର ଜମି ଫେରନ୍ତା ଜଳ ପ୍ରବାହରେ ପ୍ରଭାବିତ ହେବା ସମ୍ଭାବନା ରହିଛି ବୋଲି ସତ୍ୟପାଠରେ କୁହାଯାଇଛି। ସୂଚନାଯୋଗ୍ୟ ପୋଲାଭରମ ପ୍ରକଳ୍ପକୁ ବି‌ରୋଧ କରାଯାଇ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର