ସୁପ୍ରିମକୋର୍ଟରେ ପୋଲାଭରମ୍‌ ମାମଲା : ନଥିପତ୍ର ନପହଞ୍ଚିବାରୁ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ : ପୋଲାଭରମ୍‌ ପ୍ରକଳ୍ପ ମାମଲାର ଶୁଣାଣି ପାଇଁ ଆଜି ସୁପ୍ରିମ୍‌କୋର୍ଟ ଖଣ୍ଡପୀଠ ତାରିଖ ଧାର୍ଯ୍ୟ କରିଥିଲେ। ନିୟମ ଅନୁଯାୟୀ ଶୁଣାଣି ପୂର୍ବରୁ ମାମଲା ସମ୍ପର୍କିତ ସମସ୍ତ ନଥିପତ୍ରକୁ ଶୁଣାଣି କରୁଥିବା ବିଚାରପତିମାନଙ୍କୁ ପଠାଯାଇଥାଏ ଏବଂ ତଦନୁଯାୟୀ ମାମଲା ସମ୍ପର୍କରେ ବିଚାରପତିମାନେ ପ୍ରସ୍ତୁତ ହୋଇ ଆସିଥାନ୍ତି। ହେଲେ ପୋଲାଭରମ୍‌ ମାମଲାରେ ବ୍ୟତିକ୍ରମ ଘଟିଛି। ରାଜ୍ୟ ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ମଧ୍ୟବର୍ତ୍ତିକାଳୀନ ଆବେଦନ ଯେଉଁଥିରେ ପୋଲାଭରମ ପ୍ରକଳ୍ପର ବୈଧ ପରିବେଶ ମଂଜୁରି ନଥିବା ତଥା ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ ପ୍ରାର୍ଥନା କରାଯାଇଥିଲା ତାହା ବିଚାରପତିମାନଙ୍କୁ ଶୁଣାଣି ପୂର୍ବରୁ ପ୍ରସ୍ତୁତି ପାଇଁ ପଠାଯାଇନଥିଲା।

ପୋଲାଭରମ ପ୍ରକଳ୍ପ ମାମଲା ସମ୍ପର୍କିତ ମୂଳ ମାମଲାର ନଥିପତ୍ର ବିଚାରପତିମାନଙ୍କ ନିକଟରେ ଥିଲା। ତିନି ଜଣ ବିଚାରପତି ମଦନ ବି ଲୋକୁର, ଏସ୍‌ ଅବଦୁଲ୍‌ ନଜିର ଓ ଦୀପକ ଗୁପ୍ତା ଯେତେବେଳେ ମାମଲାର ଶୁଣାଣି ଆରମ୍ଭ କଲେ ସେ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଗୋପାଳ ସୁବ୍ରମଣ୍ୟମ୍‌ ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନ ସମ୍ପର୍କରେ ଶୁଣାଣି ପାଇଁ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖଣ୍ଡପୀଠ କହିଥିଲେ ସେମାନଙ୍କ ନିକଟରେ ଆବେଦନ ସମ୍ପର୍କିତ କୌଣସି ଫାଇଲ୍‌ ନାହିଁ ତଥା ସେମାନେ ମାମଲାର ଶୁଣାଣି ପାଇଁ ପ୍ରସ୍ତୁତ ନାହାନ୍ତି। ଆବେଦନ ସମ୍ପର୍କିତ ଫାଇଲ୍‌ ସେମାନଙ୍କ ନିକଟରେ ପହଞ୍ଚି ପାରିନଥିବାରୁ ଖଣ୍ଡପୀଠ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଅପରପକ୍ଷେ ଏହି ମାମଲା ଜରୁରୀ ଏବଂ ଏହାର ଶୀଘ୍ର ଶୁଣାଣି ହେଉ ବୋଲି ଗୋପାଳ ସୁବ୍ରମଣ୍ୟମ୍‌ ଖଣ୍ଡପୀଠଙ୍କୁ କହିଥିଲେ।

ଶୁଣାଣି ସମୟରେ ସୁବ୍ରମଣ୍ୟମ୍‌ କହିଥିଲେ ପୋଲାଭରମ୍‌ ପ୍ରକଳ୍ପ ନେଇ କେନ୍ଦ୍ର ଓ ଆନ୍ଧ୍ର ଦ୍ୱାରା ଯେଉଁ ସତ୍ୟପାଠ ଦାଖଲ କରାଯାଇଛି ତାହାର ପ୍ରତିଜବାବ ଦାଖଲ କରିବା ପାଇଁ ଓଡ଼ିଶା ଅନୁମତି ଲୋଡ଼ୁଛି। ଖଣ୍ଡପୀଠଙ୍କ ଦ୍ୱାରା ରାଜ୍ୟ ସରକାରଙ୍କୁ ପ୍ରତିଜବାବ ଦାଖଲ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ମାମଲାର ଶୁଣାଣି ଅକ୍ଟୋବର ପ୍ରଥମ ସପ୍ତାହରେ କରାଯିବ ବୋଲି କୋର୍ଟ କହିଛନ୍ତି। ଅନ୍ୟପକ୍ଷେ ଆଜି ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଏବଂ ଏହି ପ୍ରକଳ୍ପର କୌଣସି ପ୍ରକାର ପରିବେଶ ମଂଜୁରି ନଥିବା ଦର୍ଶାଇ ତେଲେଙ୍ଗାନାର ସ୍ୱେଚ୍ଛାସେବୀ ସଂଗଠନ ରେଲା ଦ୍ୱାରା ପିଟିସନ୍‌ ଦାଖଲ କରାଯାଇଥିଲା ଏବଂ ସୁପ୍ରିମକୋର୍ଟ ଏହାକୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର