ସୁପ୍ରିମକୋର୍ଟରେ ପୋଲାଭରମ୍‌ ମାମଲା:ଓଡ଼ିଶାକୁ ଦୋଷ ଦେଲା ଆନ୍ଧ୍ର

ଉଦ୍ଦେଶ୍ୟମୂଳକ ଭାବେ ଜନଶୁଣାଣିକୁ ଏଡ଼ାଉଛି ଓଡ଼ିଶା

ନୂଆଦିଲ୍ଲୀ: ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାରେ ଆଜି ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ପୋଲାଭରମ ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟଙ୍କ ଚଳିତ ମାସ ୨ ତାରିଖ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତିକାଳୀନ ଆବେଦନର ଜବାବ ସହ ସତ୍ୟପାଠ ଦାଖଲ କରିଛି ଆନ୍ଧ୍ରପ୍ରଦେଶ। ୨୨୦ ପୃଷ୍ଠାର ସତ୍ୟପାଠରେ ଏହା ଦର୍ଶାଇଛି ଯେ ପ୍ରକଳ୍ପ ପାଇଁ ଓଡ଼ିଶା ଅଞ୍ଚଳରେ କରାଯିବାକୁ ଥିବା ଜନଶୁଣାଣିକୁ ଓଡ଼ିଶା ଉଦ୍ଦେଶ୍ୟମୂଳକ ଭାବେ ଏଡ଼ାଇ ଯାଉଛି ଏବଂ ଏଥିରେ ଆଦୌ ସହଯୋଗ କରୁନାହିଁ।
ପୋଲାଭରମ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ଦର୍ଶାଇ ଜନଶୁଣାଣି କରାଯାଇ ପାରିବ ନାହିଁ ବୋଲି ଓଡ଼ିଶା ବାହାନା କରୁଛି। ଏହାବାଦ୍‌ ଜନଶୁଣାଣିକୁ କାର୍ଯ୍ୟକାରୀ ନକରିବା ପାଇଁ କୋର୍ଟଙ୍କର କୌଣସି ଆଦେଶ ମଧ୍ୟ ନାହିଁ। ତେବେ ଗୋଟିଏ ପଟେ ଓଡ଼ିଶା ତା’ର ଅଞ୍ଚଳରେ ଜନଶୁଣାଣି କରାଯାଇ ନାହିଁ ବୋଲି ଆପତ୍ତି ଉଠାଉଛି ଏବଂ ଅନ୍ୟପଟେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ଜନଶୁଣାଣି କରାଇବା ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ଓଡ଼ିଶା ସହଯୋଗ ନକରିବା ଦୁର୍ଭାଗ୍ୟଜନକ ବୋଲି ଆନ୍ଧ୍ରପ୍ରଦେଶ ସରକାର ସତ୍ୟପାଠରେ କହିଛନ୍ତି। ପୋଲାଭରମ୍‌ ପ୍ରକଳ୍ପ ଢାଞ୍ଚାରେ ପରିବର୍ତ୍ତନ ନେଇ ଓଡ଼ିଶା ସରକାରଙ୍କ ଯୁକ୍ତିକୁ ବିଭ୍ରାନ୍ତିକର ବୋଲି କହିଛନ୍ତି ଆନ୍ଧ୍ର ସରକାର।

ଏଥିସହ ଆନ୍ଧ୍ରପ୍ରଦେଶ ଦ୍ୱାରା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ବା ଆଦେଶକୁ ୫ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ବେଳେ ଓଡ଼ିଶା ଏହାକୁ କାହିଁକି ଚ୍ୟାଲେଞ୍ଜ୍‌ କରିନଥିଲା ବୋଲି ପ୍ରଶ୍ନ କରାଯାଇଛି।
ଆନ୍ଧ୍ରପ୍ରଦେଶ ସରକାର ସତ୍ୟପାଠରେ ସ୍ପଷ୍ଟ ରୂପେ ଉଲ୍ଲେଖ କରି କହିଛନ୍ତି ଯେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟବନ୍ଦ ଆଦେଶକୁ ଓଡ଼ିଶା ଅଞ୍ଚଳରେ ଜନଶୁଣାଣି କରାନଯିବାର ନିଷ୍କ୍ରିୟତା ଯୋଗୁଁ ସ୍ଥଗିତାଦେଶ ଜାରି କରାଯାଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦୧୮ ଜୁନ୍‌ ୨ ଓ ୨୦୧୮ ଜୁଲାଇ ୧୨ରେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟବନ୍ଦ ସଂକ୍ରାନ୍ତ ପତ୍ର ଲେଖାଯିବା ଅନ୍ୟ କିଛି ନୁହେଁ, ବରଂ ସୁପ୍ରିମକୋର୍ଟରେ ମଧ୍ୟବର୍ତ୍ତିକାଳୀନ ଆବେଦନ ଦାଖଲ ପାଇଁ ପ୍ରୟାସ ଥିଲା ବୋଲି ଆନ୍ଧ୍ର ସରକାର ସତ୍ୟପାଠରେ ଦର୍ଶାଇଛନ୍ତି।

ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ସତ୍ୟପାଠରେ ଆହୁରି କୁହାଯାଇଛି ଯେ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ନିର୍ଦ୍ଦେଶ ଅନ୍ତର୍ଗତ ତ୍ୱରାନ୍ଵିତ କରାଯାଉଛି। କୌଣସି ପ୍ରକାର ନିୟମକୁ ଉଲ୍ଲଂଘନ କରାଯାଇନାହିଁ। ଜଳମଗ୍ନ ହେବା ଅଞ୍ଚଳ ସମ୍ପର୍କରେ ବହୁ ପୂର୍ବରୁ ଚିହ୍ନଟ କରାଯାଇଥିବା ବେଳେ ବର୍ତ୍ତମାନ ଏହି ପ୍ରସଙ୍ଗକୁ ଉଠାଇ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ବିଭ୍ରାନ୍ତ କରାଯାଉଛି। ଓଡ଼ିଶା ଏହାର ଅଞ୍ଚଳରେ ସୁରକ୍ଷିତ ଆଡ଼ିବନ୍ଧ ନିର୍ମାଣ ପାଇଁ ଜନଶୁଣାଣି କରିବାରେ ବିଫଳ ହୋଇଥିବାରୁ ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବା ନେଇ ଆନ୍ଧ୍ର ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଓଡ଼ିଶା ସରକାର ବିବାଦ କେବଳ ଏକ ଛୋଟ ପ୍ରସଙ୍ଗ ଯାହା ନଥିପତ୍ର ଆଧାରରେ ସମାଧାନ ହେବ ବୋଲି କହୁଥିବାବେଳେ ୨୪ଟି ପ୍ରସଙ୍ଗ ଓଡ଼ିଶା କୋର୍ଟକୁ ଦେଇଛି। ସର୍ବୋଚ୍ଚ ନ୍ୟାୟାଳୟ ଯେତେବେଳେ ଏହି ମାମଲାର ବିଚାର ପାଇଁ ଇସ୍ୟୁ ଫ୍ରେମ୍‌ କରି ସାରିଛନ୍ତି ଓଡ଼ିଶା ମଧ୍ୟବର୍ତ୍ତିକାଳୀନ ଆବେଦନ ଦାଖଲ କରି ଚୂଡ଼ାନ୍ତ ନିଷ୍ପତ୍ତିରେ ବିଳମ୍ବ କରୁଛି ବୋଲି ଆନ୍ଧ୍ର ସରକାର ସତ୍ୟପାଠରେ କହିଛନ୍ତି।

ସମ୍ବନ୍ଧିତ ଖବର