ପୋଲାଭରମ ମାମଲାରେ ସୁପ୍ରିମକୋର୍ଟଙ୍କ ମତ: ଓଡ଼ିଶାର ସନ୍ଦେହ ଦୂର କର, ପ୍ରସଙ୍ଗକୁ ବିବାଦୀୟ କରନାହିଁ

୨ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ଆନ୍ଧ୍ରପ୍ରଦେଶକୁ ନିର୍ଦ୍ଦେଶ, ପ୍ରତିଜବାବ ଦାଖଲ କରିବା ପାଇଁ ଓଡ଼ିଶା ସରକାରଙ୍କୁ ମଧ୍ୟ ଦୁଇ ସପ୍ତାହ ସମୟ

ନୂଆଦିଲ୍ଲୀ: ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାରେ ଓଡ଼ିଶା‌ର ସନ୍ଦେହ ଦୂର କର। ପ୍ରସଙ୍ଗକୁ ବିବାଦୀୟ ନକରି ତୁରନ୍ତ ସମାଧାନ କର। ଆଜି ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହିଭଳି ଭାବେ ଆନ୍ଧ୍ରପ୍ରଦେଶକୁ କହିଛନ୍ତି। ସ୍ଥିତିର ବିସ୍ତୃତ ରିପୋର୍ଟ ଦୁଇ ସପ୍ତାହ ଭିତରେ ଦାଖଲ କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରିପୋର୍ଟ ଆନ୍ଧ୍ରପ୍ରଦେଶ ସରକାର ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା କାର୍ଯ୍ୟ ଓ ପ୍ରକଳ୍ପ ନିର୍ମାଣର ସ୍ଥିତି ସମ୍ପର୍କରେ ଅବଗତ କରିବେ। ଏଥିସହିତ, କେନ୍ଦ୍ର ସରକାର ଓ ଆନ୍ଧ୍ରପ୍ରଦେଶ ଦ୍ବାରା ଦାଖଲ କରାଯାଇଥିବା ଜବାବ ଉପରେ ପ୍ରତିଜବାବ ଦାଖଲ କରିବା ପାଇଁ ଓଡ଼ିଶା ସରକାରଙ୍କୁ ମଧ୍ୟ ଦୁଇ ସପ୍ତାହ ସମୟ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସୁପ୍ରିମକୋର୍ଟ ବିଚାରପତି ଏନ୍‌. ଭି. ରମନା, ବିଚାରପତି ସଞ୍ଜୀବ ଖାନ୍ନା ଓ ବିଚାରପତି କୃଷ୍ଣ ମୁରାରିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ପୋଲାଭରମ ମାମଲାର ଶୁଣାଣି କରାଯାଇଥିଲା। ପୋଲାଭରମ ପ୍ରକଳ୍ପର ବିରୋଧରେ ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଓ ସ୍ବେଚ୍ଛାସେବୀ ସଙ୍ଗଠନ ରେଲା ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲା ସହିତ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ବିସ୍ତୃତ ଭାବେ ଶୁଣାଣି କରାଯାଇଥିଲା। ଓଡ଼ିଶା ପକ୍ଷରୁ ବରିଷ୍ଠ ଆଇନଜୀବୀ ଅରୁଣ କାଠପାଲିୟା ରାଜ୍ୟ ଦାଖଲ କରିଥିବା ଅନ୍ତରୀଣ ଆବେଦନ ସଂକ୍ରାନ୍ତରେ ନିଜର ଯୁକ୍ତି ଦର୍ଶାଇଥିଲେ। ସେ କହିଥିଲେ, ପ୍ରକଳ୍ପର ଡିଜାଇନରେ ପରିବର୍ତ୍ତନ ତଥା ବୈଧ ପରିବେଶ ମଞ୍ଜୁରୀ ନଥିବା ଯୋଗୁଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ୨୦୧୧ ମସିହା ଫେବ୍ରୁଆରି ୮ ତାରିଖରେ ପ୍ରକଳ୍ପ କାର୍ଯ୍ୟ ଉପରେ ରୋକ୍‌ ଲଗାଇଥିଲେ। ପ୍ରକଳ୍ପ ଉପରେ ପୁନଃବିଚାର ନହେବା ଯାଏ ନିର୍ମାଣ ବନ୍ଦ ରଖିବାକୁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲା। ମାତ୍ର, ୨୦୧୩ ମସିହା ଫେବ୍ରୁଆରି ୨୭ ତାରିଖରେ ମନ୍ତ୍ରାଳୟ ଏହି ରୋକ୍‌ ନିର୍ଦ୍ଦେଶକୁ ଉଠାଇ ନେଇଥିଲେ। ଏହାପରେ କେନ୍ଦ୍ର ସରକାର ପ୍ରକଳ୍ପ ନିର୍ମାଣ ଅବଧିକୁ ବଢ଼ାଇ ଚାଲିଛନ୍ତି। ଗତ ବର୍ଷ ଜୁଲାଇ ମାସରେ ସମାନ ଢଙ୍ଗରେ ଦୁଇ ବର୍ଷ ପାଇଁ ବନ୍ଦ ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନିଆଯାଇଛି। କୋର୍ଟରେ ମାମଲାରେ ବିଚାରାଧୀନ ଥିବାବେଳେ ପ୍ରକଳ୍ପ କାର୍ଯ୍ୟକୁ ଅନୁମତି ମିଳିଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ଆଦିବାସୀ ଅଞ୍ଚଳ ଜଳମଗ୍ନ ହେବା ସହ ବ୍ୟାପକ କ୍ଷୟକ୍ଷତି ହେବ ବୋଲି ଶ୍ରୀ କାଠପାଲିୟା ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଖଣ୍ଡପୀଠଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ କାଠପାଲିୟା କହିଥିଲେ ଯେ, ଫେରନ୍ତା ଜଳ ପ୍ରଭାବ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ଅଧ୍ୟୟନ କରାଯାଇନଥିବା ବେଳେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ଯେଉଁ ଆଡ଼ିବନ୍ଧ ନିର୍ମାଣ ପ୍ରସ୍ତାବ ରହିଛି, ତାହା ମଧ୍ୟ ପର୍ଯ୍ୟାବରଣ ମଞ୍ଜୁରୀ ପାଇଁ କୌଣସି ସର୍ତ୍ତ ନଥିଲା।

ଓଡ଼ିଶାର ଅଭିଯୋଗ ଉପରେ କେନ୍ଦ୍ର ସରକାରଙ୍କ ଓକିଲ ଡବ୍ଲୁଏସ୍ କାଦ୍ରି କହିଥିଲେ ‌େଯ, ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ। ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଛି। ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଅନ୍ତରୀଣ ଆବେଦନ ଉପରେ କେନ୍ଦ୍ର ସରକାର ଜବାବ ଦାଖଲ କରିସାରିଛନ୍ତି ବୋଲି ସେ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଏହି ମାମଲାରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଓକିଲ ଭେଙ୍କେଟସ୍ ରମଣୀ ଖଣ୍ଡପୀଠଙ୍କୁ କହିଥିଲେ, ପୋଲାଭରମ ପ୍ରକଳ୍ପ କେନ୍ଦ୍ରୀୟ ଜଳ ଆୟୋଗ ଦ୍ବାରା ଚୂଡ଼ାନ୍ତ ହୋଇଥିବା ଡିଜାଇନ ଅନ୍ତର୍ଗତ ପ୍ରକଳ୍ପର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି ତଥା କୌଣସି ନିୟମର ଉଲ୍ଲଂଘନ କରାଯାଉ ନାହିଁ। ତେବେ, ଖଣ୍ଡପୀଠ ଆନ୍ଧ୍ରପ୍ରଦେଶକୁ କହିଥିଲେ ଯେ, ପ୍ରକଳ୍ପ ନିର୍ମାଣ ନେଇ ଓଡ଼ିଶାର ଯେଉଁ ସବୁ ସନ୍ଦେହ ରହିଛି, ତାହାକୁ ଦୂର କରିବାକୁ ପଡ଼ିବ। ପ୍ରସଙ୍ଗକୁ ଆଉ ଅଧିକ ବିବାଦୀୟ କର ନାହିଁ। ଆନ୍ଧ୍ର ପ୍ରଦେଶ ପକ୍ଷରୁ ଖଣ୍ଡୀପଠଙ୍କୁ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ଜବାବ ଦାଖଲ କରାଯାଇଥିବା ମଧ୍ୟ ଅବଗତ କରାଯାଇଥିଲା।
ଆଜିର ଶୁଣାଣିରେ ଖଣ୍ଡପୀଠ ଏହି ମାମଲାରେ ପକ୍ଷଭୁକ୍ତ ଥିବା ତେଲେଙ୍ଗାନା ରାଜ୍ୟର ଓକିଲ ସି ଏସ୍ ବୈଦ୍ୟନାଥନଙ୍କୁ ପ୍ରକଳ୍ପକୁ ନେଇ ତାଙ୍କର ଆଭିମୁଖ୍ୟ ଜାଣିବା ପାଇଁ ପ୍ରଶ୍ନ କରିଥିଲେ। ଜବାବରେ ବୈଦ୍ୟନାଥନ୍ କହିଥିଲେ, ତେଲେଙ୍ଗାନା ଏହି ପ୍ରକଳ୍ପର ନିର୍ମାଣକୁ ବିରୋଧ କରୁନାହିଁ, ଫେରନ୍ତା ଜଳର ଜଳର ପ୍ରଭାବ ସମସ୍ୟା ସହିତ ଅନ୍ୟାନ୍ୟ ସୁରକ୍ଷା ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ସେ ଖଣ୍ଡପୀଠଙ୍କୁ କହିଥିଲେ। ଖଣ୍ଡପୀଠ ମାମଲାର ଶୁଣାଣୀ ଦୁଇ ସପ୍ତାହକୁ ଘୁଞ୍ଚାଇ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ପୋଲାଭରମ ମାମଲା ଦୀର୍ଘଦିନରୁ କୋର୍ଟରେ ବିଚାରାଧୀନ ଥିବାରୁ ଏହାର ତ୍ବରିତ ଶୁଣାଣି ପାଇଁ ଓଡ଼ିଶା ଦ୍ବାରା ଗତ ବର୍ଷ ଡିସେମ୍ବର ୧୨ରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ ଆବେଦନ କରାଯାଇଥିଲା।

ସମ୍ବନ୍ଧିତ ଖବର