ପୋଲାଭରମ ମାମଲା: ୨୯ରେ ଚାରି ରାଜ୍ୟର ପଦାଧିକାରୀ ବୈଠକ

ନୂଆଦିଲ୍ଲୀ: ପୋଲାଭରମ ଇନ୍ଦିରା ସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ନିର୍ମାଣକୁ ନେଇ ଲାଗିରିହିଛି ବିବାଦ। ଏହାର ସମାଧାନ ପାଇଁ କେନ୍ଦ୍ର ସରକାର ଓଡ଼ିଶା ସମେତ ଆନ୍ଧ୍ରପ‌୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ର ଉଚ୍ଚ ପଦାଧିକାରୀଙ୍କ ବୈଠକ ଡାକିଛନ୍ତି। ଚଳିତ ମାସ ୨୯ ତାରିଖ ଦିନ ୧୧ଟାରେ ଏହା ଅନୁଷ୍ଠିତ ହେବ। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ଚତୁର୍ଥ ମହଲାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ର ଜଳଶକ୍ତି ସଚିବ ଅଧ୍ୟକ୍ଷତା କରିବେ।

ଚଳିତ ମାସ ୬ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସଂଜୟ କିଶନ କୌଲ , ବିଚାରପତି ଜଷ୍ଟିସ ଅଭୟ ଏସ୍‌ ଓକା ଏବଂ ବିଚାରପତି ଜଷ୍ଟିସ୍‌ ବିକ୍ରମ ନାଥଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଆଧାରରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଖଣ୍ଡପୀଠ ପୋଲାଭରମ ମାମଲାର ଶୁଣାଣି କରି ବିବାଦର ସମାଧାନ ପାଇଁ ସଂପୃକ୍ତ ରାଜ୍ୟମାନଙ୍କ ବୈଠକ ଡାକିବାକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ସଂପୃକ୍ତ ରାଜ୍ୟମାନଙ୍କ ଉଚ୍ଚ ପଦାଧିକାରୀ ବୈଠକରେ ସମାଧାନ ସୂତ୍ର ବାହାର କରିବାକୁ କହିଥିଲେ। ଯଦି ଉଚ୍ଚ ପଦାଧିକାରୀଙ୍କ ବୈଠକରେ ସମାଧାନର ସୂତ୍ର ନ ବାହାରେ ତେବେ ରାଜନୈତିକ ସ୍ତରରେ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡକ‌ାଯାଇ ପାରିବ ବୋଲି ସୁପ୍ରିମକୋର୍ଟ ମତ ଦେଇଥିଲେ। ଓଡ଼ିଶା ପକ୍ଷରୁ ପୋଲାଭରମ ପ୍ରକଳ୍ପକୁ ନେଇ ଅଭିଯୋଗ ହେଲା, ବିନା ପରିବେଶ ମଂଜୁରିରେ ପ୍ରକଳ୍ପ ନିର୍ମାଣ କରାଯାଉଛି। ଯାହା ଫଳରେ ଓଡ଼ିଶାର ବହୁ ଅଂଚଳ ଜଳମଗ୍ନ ହେବ। ଏଥିରୁ ରକ୍ଷା ପାଇବା ପାଇଁ ପ୍ରକଳ୍ପ ଉପର ମୁଣ୍ଡରେ ଦୁଇଟି ବ୍ୟାରେଜ ନିର୍ମାଣର ଆବଶ୍ୟକତା ଥିବା ଓଡ଼ିଶା ଦାବି କରୁଛି।

ପ୍ରକଳ୍ପ ଯୋଗୁ ଛତିଶଗଡ଼ର ମଧ୍ୟ ଏକାଧିକ ଅଂଚଳ ଜଳମଗ୍ନ ହେବା ସମ୍ଭାବନା ରହିଛି। ସେହିଭଳି ତେଲେଙ୍ଗାନା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ଆସନ୍ତା ୨୯ ରେ ହେବାକୁ ଥିବା ବୈଠକରେ ଉପରୋକ୍ତ ରାଜ୍ୟମାନେ ସେମାନଙ୍କ ସମସ୍ୟା ଉପସ୍ଥାପନ କରିବେ। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ବୈଠକର ନିର୍ଯାସ ସୁପ୍ରିମକୋର୍ଟରେ ଦାଖଲ କରିବ। ଏହା ଆଧାରରେ ସୁପ୍ରିମକୋର୍ଟ ଆସନ୍ତା ଡିସେମ୍ବର ୭ରେ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରିକରିବେ।

ସମ୍ବନ୍ଧିତ ଖବର