ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୭ରେ
ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟ ଆଜି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସ୍ପଷ୍ଟ କରିଛନ୍ତିି ଯେ କୌଣସି ଜାତୀୟ ପ୍ରକଳ୍ପର ମାନ୍ୟତା ରଦ୍ଦ କରିବାର ଅଧିକାର ଅଦାଲତର ରହିଛି। ମୁଲ୍ଲାପେରିୟାର ଡ୍ୟାମ୍ ମାମଲାରେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ମଧ୍ୟ ଏଭଳି ଏକ ଆଦେଶ ପୂର୍ବରୁ ଦେଇ ସାରିଛନ୍ତି। ଆଜି ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଓଡ଼ିଶା ସରକାର ଦାଖଲ କରିଥିବା ପୋଲାଭରମ ପ୍ରକଳ୍ପ ସମ୍ପର୍କିତ ମୂଳ ମାମଲାର ଶୁଣାଣି କରି ଏଭଳି ଟିପ୍ପଣୀ କରିଛନ୍ତି। ଅନ୍ୟପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟର ଦୁଇ ଜଣିଆ ଖଣ୍ଡପୀଠ କୌଣସି ଜାତୀୟ ପ୍ରକଳ୍ପକୁ ବାତିଲ କରିପାରିବେ ନାହିଁ ବୋଲି ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା। କିନ୍ତୁ ଖଣ୍ଡପୀଠ ଏହାକୁ ସହଜରେ ଗ୍ରହଣ କରିନଥିଲେ ଏବଂ ଜାତୀୟ ପ୍ରକଳ୍ପର ମାନ୍ୟତା ରଦ୍ଦ କରିବାର ଅଧିକାର ସୁପ୍ରିମକୋର୍ଟର ରହିଛି ବୋଲି କହିଥିଲେ।
/sambad/media/post_attachments/wp-content/uploads/2018/02/ppp-300x225.jpg)
ଆଜି ମାମଲାର ଶୁଣାଣି ଆରମ୍ଭ ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟମ ପୂର୍ବ ପ୍ରସ୍ତାବ ଅନୁସାରେ ମାମଲାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ସମ୍ଭବପର ନୁହେଁ ବୋଲି ଜଣାଇଥିଲେ। ତେବେ ଖଣ୍ଡପୀଠ କାରଣ ପଚାରିବାରୁ ଏହି ମାମଲାରେ ପାଞ୍ଚଜଣ ମୁଖ୍ୟମନ୍ତ୍ରୀଙ୍କ ସହ ଏକସଙ୍ଗରେ ଆଲୋଚନା କରିବା ସମ୍ଭବପର ନୁହେଁ ବୋଲି ଶ୍ରୀ ସୁବ୍ରମଣ୍ୟମ କହିଥିଲେ। ଏଥି ସହିତ ପୋଲାଭରମ ପ୍ରକଳ୍ପକୁ ଓଡ଼ିଶା ବିରୋଧ କରୁନାହିଁ। ତେବେ ଓଡ଼ିଶାର ଆପତ୍ତି ହେଉଛି ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ। ଯେଉଁ ସର୍ତ୍ତ ଭିତ୍ତିରେ ପୋଲାଭରମ୍ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ଥିଲା ତାହା ଉଲ୍ଳଂଘନ କରାଯାଇଛ। ଫଳରେ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି। ଏତଦ୍ବ୍ୟତୀତ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବା ପୂର୍ବରୁ ବାଧ୍ୟତାମୂଳକ ପରିବେଶ ମଂଜୁରି ନିଆଯାଇନାହିଁ କିମ୍ବା ପ୍ରକଳ୍ପ ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି ମଧ୍ୟ କରାଯାଇନାହିଁ। ତେଣୁ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିିବା ତଥା ରହିତାଦେଶ ଜାରି କରିବା ପାଇଁ ସେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଅପରପକ୍ଷେ, ଆପୋସ ଆଲୋଚନା ଦ୍ୱାରା ମାମଲାର ସମାଧାନ କରାଯାଇପାରିବ ବୋଲି କେନ୍ଦ୍ର ସରକାରଙ୍କ ଓକିଲ ଓ୍ଵାସିମ୍ କାଦ୍ରି କହିଥିଲେ। ଆନ୍ଧ୍ର ପୁନର୍ଗଠନ ଆଇନ ୨୦୧୯ର ଧାରା ୯୦ ଅନୁସାରେ ପୋଲାଭରମ୍ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତାକୁ ବିରୋଧ କରି ଓଡ଼ିଶା ଯେଉଁ ପିଟିସନ୍ ଦାଖଲ କରିଛି ତାହା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଏହାପରେ ଖଣ୍ଡପୀଠ ଏହି ମାମଲା ମେରିଟ୍ ଆଧାରରେ ଶୁଣାଣି କରାଯିବ ବୋଲି ସ୍ପଷ୍ଟ କରିବା ସହ ଦାଖଲ ହୋଇଥିବା କିଛି ଆବେଦନ ଅନୁଧ୍ୟାନ କରି କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ କରିଥିଲେ। ୧୯୮୦ର ଗୋଦାବରୀ ଟ୍ରିବ୍ୟୁନାଲର ଆଓ୍ଵାର୍ଡ ଅନୁସାରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଛତିଶଗଡ଼ ପୋଲାଭରମ ପ୍ରକଳ୍ପ ମାମଲାରେ ସର୍ତ୍ତଗୁଡ଼ିକ ମାନିବାକୁ ବାଧ୍ୟ। ତେବେ ରାଜ୍ୟମାନେ ପ୍ରକୃତରେ ଏହାକୁ କିପରି ପାଳନ କରୁଛନ୍ତି ସେ ସମ୍ପର୍କରେ ମାର୍ଚ୍ଚ ୩୦ ସୁଦ୍ଧା ରାଜ୍ୟର ମୁଖ୍ୟ ସଚିବମାନେ ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟର ସଚିବଙ୍କୁ ମଧ୍ୟ ବିଚାରପତି ବଚାଓ୍ଵଟ୍ ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ ଆଓ୍ଵାର୍ଡର କାର୍ଯ୍ୟକାରିତା ସମ୍ପର୍କରେ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଏପ୍ରିଲ୍ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଖଣ୍ଡପୀଠ କହିଛନ୍ତି। ରାଜ୍ୟମାନଙ୍କଠାରୁ ସତ୍ୟପାଠ ପାଇସାରିବା ପରେ ହିଁ ସୁପ୍ରିମକୋର୍ଟ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରିବେ ବୋଲି ଜଣାପଡ଼ିଥିବା ବେଳେ ଓଡ଼ିଶାର ଦାବିକୁ ନେଇ ଆଜି ଖଣ୍ଡପୀଠ କୌଣସି ଆଦେଶ ଜାରି କରିନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/sc-3.jpg)