କମିବ ପୋଲାଭରମ ଡ୍ୟାମ ଉଚ୍ଚତା! ୧୫୦ ଫୁଟରୁ ୧୩୫ ଫୁଟକୁ ହ୍ରାସ ନେଇ ଆଲୋଚନା

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ପ୍ରକଳ୍ପର ଉଚ୍ଚତା ହ୍ରାସ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା ପାଇଁ ଜୋର୍‌ଦାର ଉଦ୍ୟମ ଚଳାଇଥିବା ଆନ୍ଧ୍ର ସରକାରଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି।

ଗତକାଲି ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ଏ ନେଇ ଆଲୋଚନା ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ ସିଇଓ ଏକେ ପ୍ରଧାନ, ସିଡବ୍ଲ୍ୟୁସି (ପ୍ରକଳ୍ପ ଓ କାର୍ଯ୍ୟ) ସଦସ୍ୟ କୁଶବନ୍ଧର ଭୋରା, ଆନ୍ଧ୍ର ସରକାରଙ୍କ ସର୍ବୋଚ୍ଚ ଯନ୍ତ୍ରୀ ସି. ନାରାୟଣ ରେଡ୍ଡୀ ଓ ମୁଖ୍ୟଯନ୍ତ୍ରୀ ସୁଧାକରଙ୍କ ମଧ୍ୟରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି ବୈଠକ ହୋଇଥିଲା। କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବ ଉପରେ ଆନ୍ଧ୍ର ସରକାର କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ତେବେ ଆନ୍ଧ୍ର ସରକାର ଡ୍ୟାମର ଉଚ୍ଚତା ହ୍ରାସ କରିବା ସପକ୍ଷରେ ନାହାନ୍ତି। ଆନ୍ଧ୍ର ସରକାରଙ୍କ ଯୋଜନା ହେଲା, ଡ୍ୟାମ୍‌ର ଉଚ୍ଚତା ୧୫୦ ଫୁଟ ରହିଲେ ନଦୀ ସଂଯୋଗୀକରଣ କାର୍ଯ୍ୟ ସଫଳ ହେବ ଓ ରାଜ୍ୟର ୪ କୋଟି ଲୋକଙ୍କ ପାଇଁ ଜଳସେଚନ ଓ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ସାକାର ହେବ। ପୋଲାଭରମ ଜାତୀୟ ପ୍ରକଳ୍ପର ମାନ୍ୟତା ପାଇଥିବାରୁ କେନ୍ଦ୍ର ସରକାର ଏହି ପ୍ରକଳ୍ପର ସଂପୂର୍ଣ୍ଣ ଖର୍ଚ୍ଚ ବହନ କରିବାର ବ୍ୟବସ୍ଥା ରହିଛି।

ପୋଲାଭରମ ପ୍ରକଳ୍ପର ଉଚ୍ଚତା ହ୍ରାସ ପାଇଁ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ପୂ୍ର୍ବରୁ ଦାବି କରିଆସୁଛନ୍ତି। ପୋଲାଭରମ ଡ୍ୟାମର ଉଚ୍ଚତା ୧୫୦ ଫୁଟ ରହିଲେ ପଛୁଆ ବନ୍ୟାଜଳ ସମସ୍ୟା ସୃଷ୍ଟି କରିବ ଓ ଏହା ଦ୍ବାରା ସ୍ଥାନୀୟ ଜନଜାତି ପ୍ରଭାବିତ ହେବେ ବୋଲି ଓଡ଼ିଶା ଆଶଙ୍କା ବ୍ୟକ୍ତ କରିଛି। ଡ୍ୟାମର ଉଚ୍ଚତା ହ୍ରାସ ହେଲେ ବୁଡି ଅଞ୍ଚଳର ସ୍ଥିତି ଅଲଗା କିଛି ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର