ନୂଆଦିଲ୍ଲୀ : ଗୋଦାବରୀ ନଦୀରେ ପୋଲାଭରମ ଜଳସେଚନ ପ୍ରକଳ୍ପ ନିର୍ମାଣକୁ ନେଇ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନରୁ ଲାଗିରହିଥିବା ବିବାଦର ଆପୋସ ସମାଧାନ ଲାଗି ଗତକାଲି କେନ୍ଦ୍ର ଜଳସଂପଦ ସଚିବ ପଙ୍କଜ କୁମାର ବୈଠକ ଡାକିଥିଲେ। ସ୍ଥାନୀୟ ଶ୍ରମଶକ୍ତି ଭବନ କାର୍ଯ୍ୟାଳୟରେ ଚାରି ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଜଳ ସଂପଦ ସଚିବମାନଙ୍କ ସହ ଶ୍ରୀ କୁମାରଙ୍କ ପ୍ରାରମ୍ଭିକ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷ ଆର୍କେ ଗୁପ୍ତାଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ଯୋଡ଼ିହୋଇଥିଲେ। ଉପସ୍ଥିତ ବୈଠକରେ ଚାରି ରାଜ୍ୟ ପୋଲାଭରମ ପ୍ରକଳ୍ପ ସଂପର୍କିତ ସେମାନଙ୍କ ସମସ୍ୟା, ଚିନ୍ତା ଓ ଆଶଙ୍କା ସଂପର୍କରେ କେନ୍ଦ୍ର ଜଳ ସଂପଦ ସଚିବଙ୍କୁ ଅବଗତ କରିବା ସହ ଏହାର ତ୍ବରିତ ସମାଧାନ ପାଇଁ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।
ପୋଲାଭରମ ପ୍ରକଳ୍ପ ଢାଞ୍ଚାରେ ପରିବର୍ତ୍ତନ, ପ୍ରକଳ୍ପ ଉପରେ ପୁନଃବିଚାର, ପ୍ରକଳ୍ପ ଯୋଗୁଁ ଜଳମଗ୍ନ ସମସ୍ୟା, ପଛୁଆ ବନ୍ୟାଜଳ ସମସ୍ୟା ଓ ଏହାର ଅଧ୍ୟୟନ ପାଇଁ କମିଟି ଗଠନ, ପ୍ରକଳ୍ପ ପ୍ରଭାବିତ ଲୋକମାନଙ୍କ ଥଇଥାନ ଓ ପୁନର୍ବାସ ପ୍ରସଙ୍ଗ ଏଥିରେ ସାମିଲ ଥିଲା। ତେବେ ରାଜ୍ୟମାନଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଅଧିକାଂଶ ପ୍ରସଙ୍ଗ ବୈଷୟିକ ହୋଇଥିବାରୁ ବୈଠକରେ ସେଭଳି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ପାରିନାହିଁ କିମ୍ବା କୌଣସି ନିର୍ଯାସ ବାହାରି ପାରିନି। ଆଗକୁ ବୈଷୟିକ ମାମଲାଗୁଡ଼ିକର ବିଭିନ୍ନ ଦିଗ ଉପରେ ଅଧିକ ଅନୁଧ୍ୟାନ ଓ ଆଲୋଚନା ପାଇଁ ଚାରି ରାଜ୍ୟର ବୈଷୟିକ ବିଶେଷଜ୍ଞମାନଙ୍କ ଆଉଥରେ ବୈଠକ ଡକାଯିବ। ଅକ୍ଟୋବର ୭ରେ ଦିଲ୍ଲୀର କେନ୍ଦ୍ରୀୟ ଜଳ ଆୟୋଗ କାର୍ଯ୍ୟାଳୟରେ ବୈଷୟିକ ବିଶେଷଜ୍ଞମାନଙ୍କ ବୈଠକ ଅନୁଷ୍ଠିତ ହେବ। ବୈଠକରେ କେନ୍ଦ୍ର ଜଳ ସଂପଦ ସଚିବ ଏବଂ କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷ ଉପସ୍ଥିତ ରହିବେ।
ପୋଲାଭରମ ଇନ୍ଦିରା ସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପକୁ ନେଇ ଚାରି ରାଜ୍ୟ ମଧ୍ୟରେ ମତ ପାର୍ଥକ୍ୟ ରହିଛି। ପ୍ରକଳ୍ପ ସଂପର୍କିତ ଏକାଧିକ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଚଳିତ ମାସ ୬ ତାରିଖରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ବେଳେ ପ୍ରକଳ୍ପ ସଂପର୍କିତ ରାଜ୍ୟମାନଙ୍କ ଆପତ୍ତି ଓ ଅଭିଯୋଗଗୁଡ଼ିକର ସମାଧାନ ଦିଗରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଅଗ୍ରଣୀ ଭୂମିକା ନେବା ପାଇଁ ପରାମର୍ଶ ଦେବା ସହିତ ଚଳିତ ମାସରେ ହିଁ ଅଧିକାରୀ ସ୍ତରୀୟ ବୈଠକ ଡାକିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ କେନ୍ଦ୍ର ଜଳ ସଂପଦ ସଚିବଙ୍କ ଅଧ୍ୟକ୍ଷତାରେ ଆଜିର ବୈଠକ ଅନୁଷ୍ଠିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/polavaram.jpg)