ନୂଆଦିଲ୍ଲୀ : କେନ୍ଦ୍ର ସରକାର ପୁଣି ଥରେ ଓଡ଼ିଶାର ଦାବିକୁ ଅଣଦେଖା କରି ଆନ୍ଧ୍ରପ୍ରଦେଶ ପ୍ରତି ଦରଦି ମନୋଭାବ ପୋଷଣ କରିଛନ୍ତି। ବହୁଚର୍ଚ୍ଚିତ ପୋଲାଭରମ ପ୍ରକଳ୍ପ ନିର୍ମାଣ ଉପରେ ଥିବା ବନ୍ଦ ନିର୍ଦ୍ଦେଶାନାମା ପ୍ରତ୍ୟାହାର ଅବଧିକୁ କେନ୍ଦ୍ର ସରକାର ୨୦୨୩ ମସିହା ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଏନେଇ କେନ୍ଦ୍ର ପରିବେଶ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ଆଦେଶ ଜାରି କରାଯାଇଛି।
ପୋଲାଭରମ ପ୍ରକଳ୍ପ ଡିଜାଇନରେ ପରିବର୍ତ୍ତନ ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ୨୦୧୧ ଫେବ୍ରୁଆରି ୮ରେ ପ୍ରକଳ୍ପ ଉପରେ ରୋକ୍ ଲଗାଇଥିଲେ। ପ୍ରକଳ୍ପ ଉପରେ ପୁନଃବିଚାର ନ ହେବା ଯାଏ ପ୍ରକଳ୍ପ ନିର୍ମାଣ ବନ୍ଦ ରଖିବାକୁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ତତ୍କାଳୀନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ୨୦୧୩ ଫେବ୍ରୁଆରି ୨୭ରେ ପ୍ରକଳ୍ପ ନିର୍ମାଣ ଉପରେ ଲାଗି୍ଥିବା ରୋକ୍ ନିର୍ଦ୍ଦେଶକୁ ହଟାଇ ନେଇଥିଲେ। ଏହା ପରଠାରୁ ବାରମ୍ବାର ଏହି ପ୍ରକଳ୍ପ ନିର୍ମାଣ ଅନୁମତି ଅବଧିକୁ କେନ୍ଦ୍ର ସରକାର ବଢାଇଚାଲିଛନ୍ତି। ଶେଷଥର ପାଇଁ ପ୍ରକଳ୍ପର ନିର୍ମାଣ ପାଇଁ ବନ୍ଦ ନିର୍ଦ୍ଦେଶନାମା ପ୍ରତ୍ୟାହାର ଅବଧିକୁ କେନ୍ଦ୍ର ସରକାର ୨୦୨୧ ଜୁଲାଇ ୨ ଯାଏ ବଢାଇଥିଲେ।
ନିକଟରେ ଆନ୍ଧ୍ର ପଦେଶ ସରକାର ପୁଣି ଥରେ ଏହି ଅବଧିକୁ ବୁଦ୍ଧି ଲାଗି କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିଲେ। କେବଳ ଏତିକି ନୁହେଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ମଧ୍ୟ କେନ୍ଦ୍ର ପରିବେଶ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟକୁ ପୋଲାଭରମ ପ୍ରକଳ୍ପ ଜାତୀୟ ପ୍ରକଳ୍ପ ହୋଇଥିବାରୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ବନ୍ଦ ନିର୍ଦ୍ଦେଶନାମା ପ୍ରତ୍ୟାହାର ଅବଧିକୁ ବଢାଇବା ପାଇଁ ଅନୁରୋଧ କରାଯାଇଥିଲା। ଏହା ପରେ ପୁଣି ସମାନ ଢଙ୍ଗରେ ଦୁଇ ବର୍ଷ ପାଇଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶକୁ କେନ୍ଦ୍ର ପ୍ରତ୍ୟାହାର କରି ନେଇଥିବାରୁ ଆନ୍ଧ୍ରପ୍ରଦେଶ ଏହି ବିବାଦୀୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ବରାନ୍ବିତ କରିବାର ସମ୍ଭାବନା ସୂଷ୍ଟି ହୋଇଛି।
ଉଲ୍ଲେଖଯୋଗ୍ୟ, ଓଡିଶାର ବୃହତ୍ତର ସ୍ବାର୍ଥକୁ ଅଣଦେଖା କରି ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧ କରିଥିଲେ। ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। କୋର୍ଟରେ ମାମଲା ଥିବା ସତ୍ତ୍ବେ ପ୍ରକଳ୍ପ କାର୍ଯ୍ୟକୁ ଅନୁମତି ଦିଆଯିବାକୁ ନେଇ ସେ ଉଦବେଗ ମଧ୍ୟ ପ୍ରକାଶ କରିଥିଲେ। ହେଲେ କେନ୍ଦ୍ର ଏସବୁକୁ ଭ୍ରୁକ୍ଷେପ କରିନି ବରଂ ଆନ୍ଧ୍ର ପ୍ରତି କୋହଳ ମନୋଭାବ ପୋଷଣ କରିଚାଲିଛି। ମିଳିଥିବା ସୁଚନା ଅନୁସାରେ ପୋଲାଭରମ ବହୁମୁଖୀ ଜଳସେଚନ ପ୍ରକଳ୍ପର ନିର୍ମାଣର କାର୍ଯ୍ୟ ୭୩ ପ୍ରତିଶତ ଶେଷ ହୋଇଛି। ବଳକା କାର୍ଯ୍ୟକୁ ଡିସେମ୍ବର ୨୦୨୨ ସୁଦ୍ଧା ଶେଷ କରିବା ପାଇଁ ଆନ୍ଧ୍ରପ୍ରଦେଶ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଣ୍ଠି ପ୍ରଦାନରେ ହେଉଥିବା ବିଳମ୍ବ ଯୋଗୁଁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ସାଜିଛି।