ପୋଲାଭରମ: ଅନିୟମିତତାର ଯାଞ୍ଚ କରିବ ଏନ୍‌ଜିଟି

ନୂଆଦିଲ୍ଲୀ : ଓଡ଼ିଶାର ବିରୋଧ ସତ୍ତ୍ବେ କେନ୍ଦ୍ର ସରକାର ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। ଅନ୍ୟ ପକ୍ଷରେ ପ୍ରକଳ୍ପର କ୍ରିୟାନ୍ବୟନରେ ଏକାଧିକ ଅନିୟମିତତା, ବିନା ପରିବେଶ ମଂଜୁରୀରେ ପ୍ରକଳ୍ପ କାର୍ଯ୍ୟ ଜାରି ରହିବା, ପ୍ରକଳ୍ପର ରୂପରେଖ ବଦଳାଇବା ଭଳି ସଙ୍ଗୀନ ଅଭିଯୋଗ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ଙ୍କ ନିକଟରେ ପହଞ୍ଚିଛି। ଏ ସଂପର୍କିତ ଏକ ଆବେଦନର ଶୁଣାଣି କରି ଏନ୍‌ଜିଟି ମାସକ ଭିତରେ ପ୍ରକଳ୍ପର ବାସ୍ତବ ସ୍ଥିତି ସହିତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବା ପାଇଁ ଯୁଗ୍ମ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପୋଲାଭରମ ପ୍ରକଳ୍ପ ପ୍ରାଧିକରଣର ଯୁଗ୍ମ ସଚିବ ସ୍ତରୀୟ ଅଧିକାରୀଙ୍କୁ ନେଇ ଯୁଗ୍ମ କମିଟି ଗଠନ କରାଯିବ। ଡ. ପେଣ୍ଟାପଲି ପୁଲାରାଓଙ୍କ ଦ୍ବାରା ଦାଖଲ ପିଟିସନ୍‌ର ଶୁଣାଣି ଅବସରରେ ଏନ୍‌ଜିଟି ଅଧ୍ୟକ୍ଷ ଜଷ୍ଟିସ୍‌ ଆଦର୍ଶ କୁମାର ଗୋୟଲଙ୍କ ଅଧ୍ୟକ୍ଷତାରେ ଗଠିତ ଚାରି ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ ସହିତ ଜଡିତ ବ୍ୟକ୍ତି, ଅନୁଷ୍ଠାନ ତଥା ହିତାଧିକାରୀମାନଙ୍କ ସହିତ କମିଟି ଆଲୋଚନା କରିବ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ନୋଡାଲ ଏଜେନ୍‌ସି ଭାବେ ସମନ୍ବୟ ଓ ଅନୁପାଳନର ତଦାରଖ କରିବ।

ସମ୍ବନ୍ଧିତ ଖବର