ନୂଆଦିଲ୍ଲୀ : କରୋନାର କୋଳାହଳରେ ବିବାଦୀୟ ପୋଲାଭରମ ଇନ୍ଦିରା ସାଗର ବହୁମୁଖି ଜଳସେଚନ ପ୍ରକଳ୍ପର ଶୁଣାଣି ସୁପ୍ରିମକୋର୍ଟରେ ହଜି ଯାଇଛି। ଚଳିତ ବର୍ଷ ଏପ୍ରିଲ ୭ ତାରିଖରେ ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ। କରୋନା କଟକଣା ଯୋଗୁଁ ଅତ୍ୟନ୍ତ ଜରୁରୀ ମାମଲାର ଶୁଣାଣି ସୁପ୍ରିମକୋର୍ଟ ଭିଡିଓ କନ୍ଫରେନ୍ସିଂ ଜରିଆରେ କରୁଥିବାରୁ ପୋଲାଭରମ ମାମଲାର ଶୁଣାଣି ଅଦ୍ୟାବଧି କେବେ ହେବ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଅରଜିନାଲ ସୁଟ୍ର ଶୁଣାଣି ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇନଥିବା ବେଳେ ପ୍ରକଳ୍ପକୁ ବିରୋଧ କରି ଦାଖଲ କରାଯାଇଥିବା ଏକାଧିକ ମଧ୍ୟବର୍ତ୍ତୀକାଳୀନ ଆବେଦନଗୁଡ଼ିକର ଶୁଣାଣି ଚାଲିଛି।
ସୂଚନାଯୋଗ୍ୟ, ଓଡ଼ିଶା ଦ୍ବାରା ୨୦୦୭ରେ ଦାଖଲ କରାଯାଇଥିବା ଅରଜିନାଲ ସୁଟ୍ର ଶୁଣାଣି ପାଇଁ ୨୦୧୮ ମସିହା ଅଗଷ୍ଟ ୨ ତାରିଖରେ ସୁପ୍ରିମକୋର୍ଟ ୧୪ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିଥିଲେ। ସୁପ୍ରିମକୋର୍ଟର ରେକର୍ଡକୁ ଅନୁଧ୍ୟାନ କଲେ ଓଡ଼ିଶା ଦ୍ବାରା ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ୨୦୦୭ ମସିହା ଅକ୍ଟୋବର ୯ ତାରିଖରେ ଦାଖଲ କରାଯାଇଥିବା ଅରଜିନାଲ ସୁଟ୍ର ଶୁଣାଣିରେ ଅଗ୍ରଗତି ହୋଇପାରି ନଥିବା ଜଣାପଡ଼ୁଛି। ପୋଲାଭରମ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାଲକାନଗିରି ଜିଲ୍ଲାର ଆଦିବାସୀ ଅଞ୍ଚଳ ଜଳମଗ୍ନ ହେବା ସହିତ ପ୍ରାଚୀନ ତଥା ଆଦିବାସୀମାନେ ପ୍ରଭାବିତ ହେବେ ବୋଲି ମୂଳ ମାମଲାରେ କୁହାଯାଇଥିଲା। ଦାଖଲ କରାଯାଇଥିବା ମୂଳ ମାମଲାର ଶୁଣାଣି ପ୍ରଥମେ ୨୦୦୮ ମସିହା ଏପ୍ରିଲ ୪ ତାରିଖରେ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି ଏଚ.କେ.ସିମାଙ୍କ ଜଣିକିଆ ବେଞ୍ଚ୍ରେ ହୋଇଥିଲା। ୨୦୦୮ରେ ଏହି ମାମଲାର ଶୁଣାଣି ୨ ଥର, ୨୦୦୯ରେ ୩ ଥର, ୨୦୧୦ରେ ୪ ଥର, ୨୦୧୧ରେ ୬ ଥର ହୋଇଥିବା ବେଳେ ୨୦୧୨ରୁ ୨୦୧୫ ମଧ୍ୟରେ କୌଣସି ଶୁଣାଣି ହୋଇନଥିବାର ରେକର୍ଡରୁ ଜଣାପଡ଼ିଛି। ୨୦୧୬ରେ ୧୦ ଥର, ୨୦୧୭ରେ ୪ ଥର, ୨୦୧୮ରେ ସର୍ବାଧିକ ୧୫ ଥର ଓ ୨୦୧୯ରେ ୪ ଥର ହୋଇଥିଲା ବେଳେ ଚଳିତ ବର୍ଷ ୩ ଥର ଶୁଣାଣି ହୋଇଛି। ମୂଳ ମାମଲାର ଶୁଣାଣି କମ୍ ହୋଇଥିବା ବେଳେ ପ୍ରକଳ୍ପକୁ ବିରୋଧ କରି ଦାଖଲ ଏକାଧିକ ମଧ୍ୟବର୍ତ୍ତୀକାଳୀନ ଆବେଦନଗୁଡ଼ିକର ଶୁଣାଣି ହୋଇଛି। ପୋଲାଭରମ ପ୍ରକଳ୍ପର ଅନୁଧ୍ୟାନ ପାଇଁ ସୁପ୍ରିମକୋର୍ଟ ଗୋପାଳକୃଷ୍ଣ କମିଟି ଗଠନ କରିଥିଲେ। ଗୋପାଳକୃଷ୍ଣ କମିଟିରେ ଓଡ଼ିଶାକୁ କୌଣସି ଆଶ୍ବସ୍ତି ମଳିନଥିଲା। ଏହି ପ୍ରକଳ୍ପ ଉପରେ ସୁପ୍ରିମକୋର୍ଟ ଆଜି ସୁଦ୍ଧା କୌଣସି ରହିତାଦେଶ ମଧ୍ୟ ଜାରି କରିନାହାନ୍ତି। ଏହି ମାମଲାର ତ୍ବରିତ ଶୁଣାଣି ପାଇଁ ଓଡ଼ିଶାର ଆବେଦନକୁ ଗ୍ରହଣ କରି ଚଳିତ ବର୍ଷ ଜାନୁଆରି ୧୪ରେ ବିଚାରପତି ଏନ୍.ଭି.ରମନ୍ନା, ବିଚାରପତି ସଂଜୀବ ଖାନ୍ନା ଓ ବିଚାରପତି କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠ ଶୁଣାଣି ଆରମ୍ଭ କରିଥିବା ବେଳେ କରୋନା କଟକଣା ଯୋଗୁଁ କୋର୍ଟରେ ଏହି ମାମଲାର ଶୁଣାଣି ହୋଇପାରି ନାହିଁ।
ଅପରପକ୍ଷେ, ଆନ୍ଧ୍ରପ୍ରଦେଶ ପୋଲାଭରମ ପ୍ରକଳ୍ପର କାର୍ଯ୍ୟ ୨୦୨୦ ଡିସେମ୍ବର ମାସ ସୁଦ୍ଧା ଶେଷ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛି। ପ୍ରକଳ୍ପର ମୋଟା ମୋଟି ପ୍ରଗତି ୬୭.୭୯ ପ୍ରତିଶତ ରହିଥିବା ବେଳେ ଡାହାଣ ପାର୍ଶ୍ବ ମୁଖ୍ୟ କେନାଲର ୯୧.୬୯ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଲକ୍ଡାଉନ୍ ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଥିଲା। ଲକ୍ଡାଉନ୍ ହଟିଯିବା ପରେ ପୁଣି ଥରେ ଆନ୍ଧ୍ର ପକ୍ଷରୁ ଜୋରସୋରରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଚଳିତ ନଭେମ୍ବର ମାସରେ ଡ୍ୟାମ୍ର କ୍ରେଷ୍ଟ ଗେଟ୍ ଲଗାଯିବା ନେଇ ସମୟସୀମା ଧାର୍ଯ୍ୟ କରାଯାଇଛି। ୨୦୨୧ ଜୁନ୍ ସୁଦ୍ଧା ସ୍ପିଲ୍ୱେରୁ ଜଳ ନିର୍ଗତ କରାଯିବା ସହିତ ପ୍ରକଳ୍ପର ସମ୍ପୂର୍ଣ୍ଣ କାର୍ଯ୍ୟ ଡିସେମ୍ବର ୨୦୨୧ ସୁଦ୍ଧା ଶେଷ କରିବାକୁ ଆନ୍ଧ୍ର ଲକ୍ଷ୍ୟ ରଖିଛି। ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ପାଇଁ ଆନ୍ଧ୍ର ସରକାର କେନ୍ଦ୍ରଠାରୁ ଆର୍ଥିକ ସହାୟତା ମଧ୍ୟ ଲୋଡ଼ିଛି। କେନ୍ଦ୍ର ଦ୍ବାରା ଆନ୍ଧ୍ରପ୍ରଦେଶକୁ ପ୍ରକଳ୍ପର କାର୍ଯ୍ୟ ତ୍ବରାନ୍ବିତ ପାଇଁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦିଆଯାଇଥିବାର ମଧ୍ୟ ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ପୂର୍ବରୁ ଓଡ଼ିଶାର ବୃହତର ସ୍ବାର୍ଥକୁ ଅଣଦେଖା କରି ଆନ୍ଧ୍ରପ୍ରଦେଶ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଜାରି ରଖିଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ପତ୍ର ଲେଖିବା ସହ ପ୍ରକଳ୍ପ କାର୍ଯ୍ୟ ତତ୍କାଳ ବନ୍ଦ ପାଇଁ ଦାବି କରିଥିଲେ।