ପୋଲାଭରମ ପ୍ରକଳ୍ପ: ଏନ୍‌ଜିଟି ଆଦେଶ ରୋକ୍‌ ପାଇଁ ଓଡ଼ିଶା ଦାଖଲ କରିଥିଲା ଏସ୍‌ଏଲ୍‌ପି

ରହିତାଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ, ତେଲେଙ୍ଗାନାକୁ ନୋଟିସ

ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ବୈଷୟିକ କମିଟିର ପ୍ରସ୍ତାବକୁ ଗ୍ରହଣ କରି ଗତବର୍ଷ ସେପ୍ଟେମ୍ବର ମାସରେ ଜାତୀୟ ସବୁଜ ଟ୍ରିବୁନାଲ୍‌ (ଏନ୍‌ଜିଟି) ଯେଉଁ ଆଦେଶ ଜାରି କରିଥିଲେ, ତାହା ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏନ୍‌ଜିଟି ଦ୍ବାରା ଯେଉଁ ଆଦେଶ ଜାରି କରାଯାଇଥିଲା, ସେଥିରେ ଓଡ଼ିଶାର କୌଣସି ମତାମତ ନିଆନଯାଇ ଏକପାଖିଆ ଏନ୍‌ଜିଟି ଆଦେଶ ଜାରି କରିଥିବା ଦର୍ଶାଇ ଓଡ଼ିଶା ପକ୍ଷରୁ ସୁ୍ପ୍ରିମକୋର୍ଟରେ ଏସ୍‌ଏଲ୍‌ପି ଦାଖଲ କରାଯାଇ ଆଦେଶ ଉପରେ ରୋକ ଲଗାଇବା ପାଇଁ ପ୍ରାର୍ଥନା କରାଯାଇଥିଲା।

ବିଚାରପତି ଏସ୍‌. ଅବଦୁଲ ନଜିର ଓ କେ. ମୁରାରୀଙ୍କ ଖଣ୍ଡପୀଠରେ ଗୁରୁବାର ଏହି ମାମଲାର ଶୁଣାଣି ହୋଇଥିଲା। ମାମଲା ପରିଚାଳନା ପାଇଁ ନିୟୋଜିତ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମନ୍ୟମ ଅନ୍ୟ ଏକ ମାମଲାରେ ବ୍ୟସ୍ତ ରହିଥିବାରୁ ମାମଲାକୁ କିଛିଦିନ ପାଇଁ ସ୍ଥଗିତ କରିବା ପାଇଁ ଓଡ଼ିଶା ପକ୍ଷରୁ ଅନୁରୋଧ କରାଯାଇଥିଲା। ହେଲେ ଖଣ୍ଡପୀଠ ମାମଲାର ସଂକ୍ଷିପ୍ତ ଶୁଣାଣି କରି ତେଲେଙ୍ଗାନା ଓ ଅନ୍ୟ ପକ୍ଷକୁ ନୋଟିସ ଜାରି କରିଥିଲେ ଓ ଏନ୍‌ଜିଟି ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଓଡ଼ିଶାର ପ୍ରାର୍ଥନାକୁ ନାମଞ୍ଜୁର କରିଦେଇଥିଲେ।

Image Courtesy of India TV News

ଓଡ଼ିଶା ଦ୍ବାରା ୨୦୦୭ରେ ପୋଲାଭରମ ପ୍ରକଳ୍ପ ବିରୋଧରେ ସୁପ୍ରିମକୋର୍ଟରେ ଯେଉଁ ‘ଅରିଜିନାଲ୍‌ ସୁଟ୍‌’ ଦାଖଲ କରାଯାଇଥିଲା, ସେଥିରେ ଏହି ମାମଲାକୁ ଟ୍ୟାଗ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି କେବେ ହେବ ସେ ନେଇ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିନାହାନ୍ତି। ପୋଲାଭରମ ପ୍ରକଳ୍ପ ପଛୁଆ ଜଳ ଯୋଗୁ ସମ୍ଭାବ୍ୟ ପ୍ରଭାବିତ ରାଜ୍ୟ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ସହ ଆଲୋଚନା କରି ସମସ୍ୟା ସମାଧାନ କରିବା ନିମନ୍ତେ ବୈଷୟିକ କମିଟିର ସୁପାରିଶ ଗ୍ରହଣ କରି ପ୍ରଭାବିତ ରାଜ୍ୟ ଏବଂ ଅନ୍ୟାନ୍ୟ ପକ୍ଷମାନଙ୍କୁ ମିଳିତଭାବେ ଆଲୋଚନା ପାଇଁ ଏନ୍‌ଜିଟି ନିର୍ଦ୍ଦେଶ ଜାରି କରିଥିଲେ। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କୁ ସମନ୍ବୟକାରୀ ଭୂମିକା ତୁଲାଇବା ପାଇଁ କହିଥିଲେ।

ଅପରପକ୍ଷେ, ଏନ୍‌ଜିଟିଙ୍କ ନିର୍ଦ୍ଦେଶକ୍ରମେ ପ୍ରଭାବିତ ରାଜ୍ୟମାନଙ୍କ ଅନୁଷ୍ଠିତ ବୈଠକରେ ଓଡିଶା ଯୋଗଦେଇନଥିଲା। ମାମଲାରେ ଓଡ଼ିଶା ପକ୍ଷଭୁକ୍ତ ନଥିବା ତଥା ଓଡ଼ିଶାର କୌଣସି ପକ୍ଷ ଶୁଣାନଯାଇ ଏନ୍‌ଜିଟି ଆଦେଶ ଜାରି କରିଥିବାରୁ ଆଦେଶକୁ ଓଡ଼ିଶା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍‌ କରିଥିଲା।

ସମ୍ବନ୍ଧିତ ଖବର