ନିର୍ମାଣ ବିରୋଧରେ ନ୍ୟାୟାଳୟରୁ କୌଣସି ଆଦେଶ ଆସିନାହିଁ : କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ

ପୋଲାଭରମ ପ୍ରକଳ୍ପ

ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପର ନିର୍ମାଣ ବିରୋଧରେ ବର୍ତ୍ତମାନ ସୁଦ୍ଧା କୌଣସି ନ୍ୟାୟାଳୟରୁ ଆଦେଶ ଆସିନାହିଁ। ଯଦିଓ ପୋଲାଭରମ ପ୍ରକଳ୍ପ ସମ୍ପର୍କରେ କିଛି ଆପତ୍ତି ନେଇ ଓଡ଼ିଶା ଓ ଛତିଶଗଡ଼ ଦ୍ୱାରା ସୁପ୍ରିମକୋର୍ଟରେ ମାମଲା ଦାଏର କରାଯାଇଛି,ଏଯାବତ୍‌ ନିର୍ମାଣ ବିରୋଧରେ ନ୍ୟାୟାଳୟରୁ କୌଣସି ଆଦେଶ ଆସିନାହିଁ। ଆଜି ଲୋକସଭାରେ ବିଜେଡି ସାଂସଦ ନଗେନ୍ଦ୍ର କୁମାର ପ୍ରଧାନଙ୍କ ଦ୍ୱାରା ପଚରାଯାଇଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏକଥା କହିଛନ୍ତି କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ୍‌। ଆନ୍ଧ୍ର ପୁନର୍ଗଠନ ଆଇନର ଧାରା ୯୦ (୩) ଅନୁଯାୟୀ ଏହି ପ୍ରକଳ୍ପ ପାଇଁ ତେଲେଙ୍ଗାନାର ସହମତିକୁ ସ୍ୱାଭାବିକ ହାସଲ ହୋଇଛି ବୋଲି କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି। ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ କହିଛନ୍ତି ଗୋଦାବରୀ ନଦୀ ଉପରେ ନିର୍ମାଣ କରାଯାଉଥିବା ପୋଲାଭରମ ପ୍ରକଳ୍ପକୁ ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲ ସର୍ତ୍ତ ଅନୁସାରେ କାର୍ଯ୍ୟକାରୀ କରାଯାଉଛି। ପୋଲାଭରମ ପ୍ରକଳ୍ପ କର୍ତ୍ତୃପକ୍ଷ ଓ ଆନ୍ଧ୍ର ସରକାରଙ୍କ ସୂଚନା ଅନ୍ତର୍ଗତ ଗତମାସ ନଭେମ୍ବର ସୁଦ୍ଧା ପ୍ରକଳ୍ପର ଡ୍ୟାମ ଅଂଚଳରେ କାର୍ଯ୍ୟ ସଂପର୍କରେ ମଧ୍ୟ ମନ୍ତ୍ରୀ ସୂଚନା ଦେଇଥିଲେ। ଆନ୍ଧ୍ର ସରକାରଙ୍କ ଦ୍ୱାରା ଏହି ପ୍ରକଳ୍ପକୁ ୨୦୧୯ ସୁଦ୍ଧା ଶେଷ କରିବାକୁ ଟାର୍ଗେଟ୍‌ ଧାର୍ଯ୍ୟ କରାଯାଇଛି ।

ସମ୍ବନ୍ଧିତ ଖବର