ଅନିଶ୍ଚିତତାରେ ପୋଲାଭରମ୍ ପ୍ରକଳ୍ପ : ପ୍ରକଳ୍ପ କାର୍ଯ୍ୟ କେନ୍ଦ୍ର ନିଜ ହାତକୁ ନେଇପାରେ

ଅରିଜିନାଲ ସୁଟ୍‌ର ଏକତ୍ର ଶୁଣାଣି ହେବ

ନୂଆଦିଲ୍ଲୀ : ଓଡ଼ିଶା ସମେତ ଛତିଶଗଡ଼ ଓ ତେଲେଙ୍ଗାନାର ପ୍ରବଳ ବିରୋଧ ସତ୍ତ୍ବେ ବିବାଦୀୟ ପୋଲାଭରମ୍ ବହୁମୁଖୀ ଜଳସେଚନ ପ୍ରକଳ୍ପର ୭୦ ପ୍ରତିଶତ କାର୍ଯ୍ୟ ଆନ୍ଧ୍ର ପ୍ରଦେଶ ଦ୍ବାରା ଶେଷ କରାଯାଇ ସାରିଛି। ତେବେ ବଳକା ନିର୍ମାଣ କାର୍ଯ୍ୟରେ ବ୍ରେକ୍ ଲାଗିଛି। ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦ୍ବାରା ପୋଲାଭରମ୍ ପ୍ରକଳ୍ପର ଟେଣ୍ଡରକୁ ବାତିଲ କରିଦେବା ପରେ ନୂଆ ଟେଣ୍ଡର ଅନ୍ତର୍ଗତ ଏହି ପ୍ରକଳ୍ପର କାର୍ଯ୍ୟ ନଭେମ୍ବରରୁ ଆରମ୍ଭ ଯୋଜନା ରହିଛି।

ଅପରପକ୍ଷେ ଟେଣ୍ଡର ବାତିଲକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ପୋଲାଭରମ୍ ପ୍ରକଳ୍ପ ପ୍ରାଧିକରଣ (ପିପିଏ) ନିକଟରୁ ଯେଉଁ ରିପୋର୍ଟ ତଲବ କରାଯାଇଥିଲା ତାହାର ଜବାବ ରଖି ପିପିଏ କହିଛି ପୋଲାଭରମ୍ ଟେଣ୍ଡର ବାତିଲ ଯୋଗୁଁ କାର୍ଯ୍ୟର ଅଗ୍ରଗତି ଉପରେ ପ୍ରଭାବ ପଡ଼ିବ। ଏହି ପ୍ରକଳ୍ପକୁ ବୈଷୟିକ କମିଟି ଦ୍ବାରା ସମୀକ୍ଷା କରାଯିବାର ଆବଶ୍ୟକତା ନଥିଲା ବୋଲି ପିପିଏ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିବା ରିପୋର୍ଟରେ କୁହାଯାଇଛି।

ସୂଚନାଯୋଗ୍ୟ ଆନ୍ଧ୍ର ପ୍ରଦେଶ ସରକାର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଦର୍ଶାଇ ଏହାର ଅନୁଧ୍ୟାନ ପାଇଁ ବୈଷୟିକ କମିଟି ଗଠନ କରିଥିଲେ। ବୈଷୟିକ କମିଟିର ସୁପାରିଶ ପରେ ଟେଣ୍ଡରକୁ ବାତିଲ କରାଯାଇଥିଲା। ପିପିଏ ପକ୍ଷରୁ କୁହାଯାଇଛି ପୋଲାଭରମ୍ ପ୍ରକଳ୍ପ ଜାତୀୟ ପ୍ରକଳ୍ପ ହୋଇଥିବାରୁ ଏହା ବୈଷୟିକ କମିଟିର ପରିସରରେ ଆସୁନାହିଁ। ଟେଣ୍ଡର ବାତିଲକୁ ବିରୋଧ କରି ନବଯୁଗ ଗ୍ରୁପ୍ ଦ୍ବାରା ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା, ଏହା ଉପରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦ୍ବାରା ଏକ ଜଣିକିଆ ବେଞ୍ଚ ଦ୍ବାରା ରହିତାଦେଶ ଦିଆଯାଇଥିବାରୁ ଏହାକୁ ଚାଲେଞ୍ଜ କରି ମାମଲାକୁ ଡିଭିଜନ ବେଞ୍ଚରେ ଶୁଣାଣି ପାଇଁ ଆବେଦନ କରାଯାଇଛି। ଏହାର ଶୁଣାଣି ଆସନ୍ତା ମାସ ୪ରେ ହେବାକୁ ଧାର୍ଯ୍ୟ କରାଯାଇଛି।

ବର୍ତ୍ତମାନ ପ୍ରକଳ୍ପ କାର୍ଯ୍ୟ ବନ୍ଦ ଥିବାବେଳେ ଏହାକୁ ନିର୍ଦ୍ଧାରିତ ସମୟ ଅବଧିରେ ଯେଭଳି କାର୍ଯ୍ୟକ୍ଷମ କରାଯାଇପାରିବ ସେନେଇ କେନ୍ଦ୍ର ସରକାର ବିଚାର କରୁଥିବା ଜଣାପଡ଼ିଛି। ଯଦି ଏହି ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ଘଟେ ତା’ହେଲେ ଏହାକୁ କେନ୍ଦ୍ର ସରକାର ନିଜ ଅଧୀନକୁ ନେଇ ପ୍ରକଳ୍ପ କାର୍ଯ୍ୟକୁ ଶେଷ କରିବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ଅପରପକ୍ଷେ ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶା ଓ ଛତିଶଗଡ଼ର କିଛି ଅଞ୍ଚଳ ଜଳମଗ୍ନ ହେବାକୁ ଥିବାରୁ ଏହାକୁ ବିରୋଧ କରି ଉଭୟ ରାଜ୍ୟମାନଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଅରିଜିନାଲ ସୁଟ୍ ତଥା ଏକାଧିକ ମଧ୍ୟବର୍ତ୍ତୀ କାଳୀନ ଆବେଦନ ଦାଖଲ କରାଯାଇଛି। ସେଗୁଡ଼ିକ ବିଚାରାଧୀନ ରହିଛି। ପୂର୍ବରୁ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଅରିଜିନାଲ ସୁଟ୍‌ର ଶୁଣାଣି କରି ସୁପ୍ରିମକୋର୍ଟ ଇସ୍ୟୁ ଫ୍ରେମ୍‌ କରିସାରିଛନ୍ତି। ଏହି ପ୍ରକଳ୍ପକୁ ନେଇ ତେଲେଙ୍ଗାନା ରାଜ୍ୟ ଦ୍ବାରା ମଧ୍ୟ କିଛି ଆପତ୍ତି ରହିଥିବାରୁ ତେଲେଙ୍ଗାନା ଦ୍ବାରା ଅରିଜିନାଲ ସୁଟ୍ ଦାଖଲ କରାଯାଇଥିଲା। ସୁପ୍ରିମକୋର୍ଟ ଦ୍ବାରା ଏହି ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ପାଇଁ କୌଣସି ପ୍ରକାର ରହିତାଦେଶ ଜାରି କରାଯାଇନାହିଁ। ହେଲେ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ଦ୍ବାରା ଦାଖଲ କରାଯାଇଥିବା ଅରିଜିନାଲ ସୁଟ୍ ଗୁଡ଼ିକୁ ଟ୍ୟାଗ କରାଯାଇଛି ଏବଂ ଏଗୁଡ଼ିକର ଏକତ୍ର ଶୁଣାଣି ହେବ। ତେବେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦ୍ବାରା କୌଣସି ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ ଧାର୍ଯ୍ୟ କାରଯାଇ ନାହିଁ। ତେଲେଙ୍ଗାନାର ଅରିଜିନାଲ ସୁଟ୍ ଉପରେ ଆନ୍ଧ୍ର ପ୍ରଦେଶ ସତ୍ୟପାଠ ଦାଖଲ କରିସାରିଥିବା ବେଳେ ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଜବାବ ଦାଖଲ କରାଯାଇ ନାହିଁ।

ସମ୍ବନ୍ଧିତ ଖବର