ଅଳିଆଗଦାରେ ନବୀନଙ୍କ ଚିଠି: ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ଵିତ କଲା ଆନ୍ଧ୍ରପ୍ରଦେଶ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଚିଠିକୁ ଅଗ୍ରାହ୍ୟ କରି ଆନ୍ଧ୍ରପ୍ରଦେଶ ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ୨୦୧୯ ମସିହା ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ଯୋରସୋରରେ ଲାଗିପଡ଼ିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପ୍ରତି ସୋମବାର ଦିନ ପୋଲାଭରମ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରୁଛନ୍ତି। ବର୍ତ୍ତମାନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ମନ୍ଥର ଆସିଥିବାରୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଅସନ୍ତୋଷ ପ୍ରକାଶ କରିବା ସହିତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ଵିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା ସରକାରଙ୍କ କୌଣସି ଦାବିକୁ କର୍ଣ୍ଣପାତ କରିବା ଅବସ୍ଥାରେ ନାହିଁ ଅନ୍ଧ୍ରପ୍ରଦେଶ ସରକାର। ବିଶେଷ କରି ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ୮ଟି ଗ୍ରାମ ଜଳମଗ୍ନ ହେବାକୁ ଥିବାରୁ ଓଡ଼ିଶା ଏହି ପ୍ରକଳ୍ପକୁ କଡ଼ା ବିରୋଧ କରୁଛି। ମାତ୍ର ଆନ୍ଧ୍ରପ୍ରଦେଶ ସରକାର ୨୦୧୯ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଲାଗି ପଡ଼ିଛନ୍ତି।

ସୂଚନା ଯୋଗ୍ୟ ଯେ , ଗତ ଅକ୍ଟୋବର ମାସ ୧୦ ତାରିଖ ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ଓ ଓଡ଼ିଶାର ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ତୁରନ୍ତ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲେଖିଥିଲେ ଯେ ଓଡ଼ିଶା ସରକାରଙ୍କ ପାଖରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ବିନା ଅନୁମୋଦନରେ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି। ଏ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶା କ୍ଷତିଗ୍ରସ୍ତ ହେଉଥିବା ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ସରକାର ଏ ନେଇ ଓଡ଼ିଶା ସରକାରଙ୍କ ସହିତ ଆଲୋଚନା କରି ନାହାଁନ୍ତି ବୋଲି ନବୀନ ଚିଠି ଲେଖି ନିଜ ଅସନ୍ତୋଷ ଆନ୍ଧ୍ରପ୍ରେଦେଶ ସରକାରଙ୍କୁ ଜଣାଇଛନ୍ତି।

file photo from TNM

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଚିଠି ସମ୍ପର୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଜଳସମ୍ପଦ ବିଭାଗ ମନ୍ତ୍ରୀ ଡି ଉମା ମହେଶ୍ୱର ରାଓ କହିଛନ୍ତି ଯେ ଆମ ପାଖରେ ପ୍ରକଳ୍ପ ପାଇଁ ସମସ୍ତ ଅନୁମତି ପତ୍ର ରହିଛି। ଆମେ ଏହି ପ୍ରକଳ୍ପକୁ ୨୦୧୯ ମସିହା ସୁଦ୍ଧା ଶେଷ କରିବୁ। ଆମର ବିରୋଧୀମାନେ ଏହି ପ୍ରକଳ୍ପ ଯେପରି ହୋଇ ନ ପାରେ ସେଥିପାଇଁ ଉଦ୍ୟମ ଚଳାଇଛନ୍ତି। ମାତ୍ର ଏଥିରେ ସେମାନେ ସଫଳ ହୋଇ ପାରିବେ ନାହିଁ ବୋଲି ଶ୍ରୀ ରାଓ କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତକାଲି ଏହି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ସମୟରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହିତ ଏହି ପ୍ରକଳ୍ପ ପାଇଁ ଟେଣ୍ଡର ନେଇଥିବା ଠିକାଦାର ସଂସ୍ଥାକୁ କଡ଼ା ଭାଷାରେ ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଚେତାବନୀ ଦେଇଛନ୍ତି। ଏପରିକି କାମର ବିଳମ୍ବ ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ସମ୍ପୃକ୍ତ ଠିକାଦାର ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ପଠାଇଥିବା ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ୧୯୪୧ ମସହାରେ ପୋଲାଭରମ ପ୍ରକଳ୍ପ ନେଇ ଯୋଜନା ଆରମ୍ଭ ହୋଇଥିଲା। ମାତ୍ର ୨୦୦୯ ମସିହାରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ରାଜଶେଖର ରେଡ୍ଡି ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ପ୍ରକଳ୍ପ ନେଇ ବିଶେଷ ଅଗ୍ରଗତି ହୋଇଥିଲା। ପ୍ରକଳ୍ପ ଯୋଗୁଁ ୨.୯୨ ଲକ୍ଷ ହେକ୍ଟର ଜମିକୁ ଜଳଯୋଗାଣ ସହିତ ୯୬୦ ମେଗାଓ୍ଵାଟ୍‌ ବିଦ୍ୟୁତ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି ଆନ୍ଧ୍ରପ୍ରଦେଶ। ତେବେ ପ୍ରକଳ୍ପ ନିର୍ମାଣ ହେଲେ ଆନ୍ଧ୍ରପ୍ରଦେଶର ୨୭୬ଟି ଗ୍ରାମ ସହିତ ଓଡ଼ିଶାର ୮ଟି ଗ୍ରାମ ଜଳମଗ୍ନ ହେବାର ଆଶଙ୍କା ଥିବାରୁ ଓଡ଼ିଶା ସରକାର ଏହାକୁ ବିରୋଧ କରୁଛନ୍ତି। ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ଏହି ପ୍ରକଳ୍ପ ବନ୍ଦ ପାଇଁ ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧିତ ଖବର